ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ଅନ୍ୟତମ ସଫଳ ବ୍ୟାଟସମ୍ୟାନ୍ ୱାସିମ୍ ଜାଫର କାହିଁକି ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିପାରିଲେ ନାହିଁ ବୋଲି ଅନେକ ପ୍ରଶ୍ନ କରିଥା’ନ୍ତି। ଚଳିତ ବର୍ଷର କ୍ରିକେଟ୍ ଋତୁ ପୂର୍ବରୁ ଅବସର ନେଇଥିବା ଜାଫରଙ୍କୁ ଏହି ପ୍ରଶ୍ନ ପଚରାଗଲେ ସେ କୁହନ୍ତି ‘ମୋ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତନ ନ ହେବା ସମ୍ପର୍କରେ ଉତ୍ତର ଦେବାକୁ ଚୟନକର୍ତାମାନେ ଶ୍ରେଷ୍ଠ ବ୍ୟକ୍ତି। ୨୦୧୨-୧୩ ଋତୁରେ ଯେତେବେଳେ ଶିଖର ଧାୱନ ମନୋନୀତ ହେଲେ ମୁଁ ନିକଟତର ହୋଇଥିଲି।
ପୂର୍ବରୁ ଥରେ ଦୁଇ ଥର ପ୍ରତ୍ୟାବର୍ତନର ନିକଟତର ହୋଇଥିଲେ ମଧ୍ୟ କୌଣସି ନା କୌଣସି କାରଣରୁ ବସ୍ ମିସ୍ କରିଥିଲି। ତେଣୁ ଚୟନକର୍ତାମାନେ ଏହାର ସଠିକ୍ ଉତ୍ତର ଦେଇପାରିବେ। ମୁଁ ମଧ୍ୟ ସେତେଟା ସ୍ଥିର ପ୍ରଦର୍ଶନ ଦେଇପାରିନଥିଲି, ବିଶେଷ କରି ଅନ୍ତର୍ଜାତୀୟ ସ୍ତରରେ, ନହେଲେ ମୁଁ ୧୦୦ରୁ ଊର୍ଧ୍ବ ଟେଷ୍ଟ୍ ଖେଳିଥା’ନ୍ତି। ସେଥିପାଇଁ ଦଳରୁ ବାଦ୍ ପଡ଼ିଥିଲି। ତେଣୁ ଅନ୍ତର୍ଜାତୀୟ କ୍ରିକେଟ୍ ତୁଳନାରେ ନିଜ ଘରୋଇ କ୍ରିକେଟ୍ ପ୍ରଦର୍ଶନ ପାଇଁ ମୁଁ ପ୍ରସିଦ୍ଧ ବୋଲି ଜାଫର ପ୍ରକାଶ କରିଥିଲେ। ଅନ୍ୟ ଦେଶ ତୁଳନାରେ ଆମ ଘରୋଇ କ୍ରିକେଟ୍ ଢାଞ୍ଚା ଖରାପ ନୁହେଁ। କେବଳ ପଦ୍ଧତିରେ ବାରମ୍ବାର ପରିବର୍ତନ ନକରିବା ଉଚିତ୍ ବୋଲି ଉତ୍ତରାଖଣ୍ଡର ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ଜାଫର ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଘରୋଇ କ୍ରିକେଟରେ ୨୬୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଜାଫର ୧୯,୦୦୦ ରୁ ଊର୍ଧ୍ବ ରନ୍ କରିଥିଲେ। ୫୦.୬୭ ହାରାହାରିରେ ବ୍ୟାଟିଂ କରିଥିଲେ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ସେ ୩୧ ଟେଷ୍ଟ୍ ଖେଳି ୩୪.୧୧ ହାରରେ ୧୯୪୪ ରନ୍ କରିଥିଲେ। ସୀମିତ ଓଭରରେ ସୀମିତ ସୁଯୋଗ ପାଇଥିବା ଜାଫର ମାତ୍ର ୨ ଦିନିକିଆ ଏବଂ ୮ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ।