ଫୋଗଟ୍‌ ପରିବାରକୁ ଅଲିମ୍ପିକ୍ ପଦକ ଉପହାର ଦେଲେ ଜ୍ବାଇଁ

ନୂଆଦିଲ୍ଲୀ: ହରିଆନା ଭିୱାନୀ ଜିଲ୍ଲା ବଲାଲି ଗାଁର ‌ଫୋଗଟ୍‌ ପରିବାର କୁସ୍ତି ପାଇଁ କେବଳ ଦେଶରେ ନୁହେଁ, ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଟୋକିଓ ଅଲିମ୍ପିକ୍ସରେ କୁସ୍ତି ସମୟରେ ବିଦେଶୀ ଭାଷ୍ୟକାର ମାନେ ବି ଏହି ପରିବାରର ଉଦାହରଣ ଦେବା ଓ ଏହାର କୁସ୍ତି ପରଂପରା ସଂପର୍କରେ ଶ୍ରୋତାଙ୍କୁ ଜଣାଇବା ଫୋଗଟ୍‌ଙ୍କ ପ୍ରସିଦ୍ଧିର ପ୍ରମାଣ। ବିଶେଷ କରି ଏହି ପରିବାରର ମହାବୀର ଫୋଗଟ୍ ଏବଂ ତାଙ୍କ ଦୁଇ ବଡ଼ ଝିଅ ଗୀତା ଓ ବବିତାଙ୍କ ଉପରେ ନିର୍ମିତ ଅମୀର ଖାନ୍‌ଙ୍କ ବହୁଚର୍ଚ୍ଚିତ ସିନେମା ‘ଦଙ୍ଗଲ୍‌’ ସେମାନଙ୍କ ପାଇଁ ଅନେକ ସୁନାମ ଆଣି ଦେଇଥିଲା। ହେଲେ ଅଲିମ୍ପିକ୍ ପଦକ ଜିତି ନ ପାରିବା ଏହି ପରିବାରର ଅବସୋସ ହୋଇ ରହିଯାଇଛି। ମହାବୀରଙ୍କ ଚାରି ଝିଅ ମଲ୍ଲଯୋଦ୍ଧା ହୋଇଥିଲେ ବି କେହି ଅଲିମ୍ପିକ୍‌ ପଦକ ଜିତିପାରି ନାହାନ୍ତି।

ମହାବୀରଙ୍କ ଝିଆରି ଭିନେସ୍ ଫୋଗଟ୍ ଏଥର ଟୋକିଓରେ ପଦକର ସବୁଠୁ ବଡ଼ ଦାବିଦାର ହୋଇଥିଲେ ବି ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଥିଲେ। ତେଣୁ ଫୋଗଟ୍ ପରିବାରକୁ ପଦକ ପଶିପାରିନଥିଲା। ‌ହେଲେ ଟୋକିଓ ଅଲିମ୍ପିକ୍‌ର ଶେଷ ପର୍ଯ୍ୟାୟରେ ଏହି ପରିବାରକୁ ପରୋକ୍ଷରେ ହେଲେ ବି ଏକ ପଦକ ଉପହାର ମିଳିଛି। ଫୋଗଟ୍ ପରିବାରକୁ କାଂସ୍ୟ ପଦକ ଉପହାର ଦେଇଛନ୍ତି ଜ୍ବାଇଁ ବଜରଂଗ ପୁନିଆ। ବଜରଂଗ ମହାବୀରଙ୍କ ସବା ସାନ ଝିଅ ତଥା ନିଜ ପ୍ରେମିକା ସଂଗୀତା ଫୋଗଟ୍‌ଙ୍କୁ ଗତ ନଭେମ୍ବର ମାସରେ ବିବାହ କରିଥିଲେ। ଉଭୟ ଟୋକିଓ ଅଲିମ୍ପିକ୍ ପରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ବି ଏହା ଗୋଟିଏ ବର୍ଷ ଘୁଞ୍ଚି ଯିବାରୁ ଗତ ନଭେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ ଆଜି ନିଜ ନବବିବାହିତ ପତ୍ନୀ ଓ କୁସ୍ତିପ୍ରେମୀ ଶ୍ବଶୁରଙ୍କ ପାଇଁ ଟୋକିଓରୁ କାଂସ୍ୟ ଉପହାର ଜିତିଛନ୍ତି। ଝିଅ କି ଝିଆରି ଯାହା କରି ନପାରିଲେ, ଜ୍ବାଇଁ କରିଥିବାରୁ ମହାବୀର ବେଶ ଉଲ୍ଲସିତ ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ମଲ୍ଲଯୋଦ୍ଧାଙ୍କ ମଧ୍ୟରେ ସବୁଠୁ ଆଗରେ ଥିବା ବଜରଂଗ ପୁନିଆ ଲଣ୍ଡନ ଅଲିମ୍ପିକ୍ ପଦକ ବିଜେତା ଯୋଗେଶ୍ବର ଦତ୍ତଙ୍କୁ ନିଜ ଗୁରୁ ମାନନ୍ତି। ବର୍ତ୍ତମାନ ସେ ଜର୍ଜିଆ ପ୍ରଶିକ୍ଷକ ଏମ୍‌ଜାରିଓସ୍ ବେଣ୍ଟିନିଡିସ୍‌ଙ୍କଠାରୁ ତାଲିମ ନେଉଥିଲେ।

ସମ୍ବନ୍ଧିତ ଖବର