ଆଜି ଦ୍ୱିତୀୟ ଟେ୍ଵଣ୍ଟି-୨୦: ଭାରତର ଲକ୍ଷ୍ୟ ଶୃଙ୍ଖଳା

ରାଜକୋଟ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଆସନ୍ତାକାଲି କନ୍ଧେରୀସ୍ଥିତ ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଖେଳାଯିବ। ଗତ ବୁଧବାର ଦିଲ୍ଲୀର ଫିରୋଜ ଶାହା କୋଟଲାରେ ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦଳକୁ ୫୩ ରନ୍‌ରେ ଭାରତ ପରାସ୍ତ କରିଥିଲା। ଏଥି ସହିତ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ମଧ୍ୟ ପ୍ରଥମ ଥର ଲାଗି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ବିଜୟ ପାଇଥିଲା। ଫଳରେ ଶନିବାର ବିଜୟ ହାସଲ କରି ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା କବ୍‌ଜା କରିନେବାକୁ ବିରାଟ କୋହଲିଙ୍କ ଭାରତୀୟ ଦଳ ଲକ୍ଷ୍ୟ ରଖିଛି। ଆଉ ଏହା ସମ୍ଭବ ହେଲେ ୫ ବର୍ଷ ମଧ୍ୟରେ ଭାରତ ତା’ର ତୃତୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତିବାର ଗୌରବ ପାଇବ। ଏହି ୫ ବର୍ଷ ମଧ୍ୟରେ ଭାରତ ୮ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିଥିଲା ବେଳେ ୩ଟି ଅମୀମାଂସିତ ରଖିଥିଲା। ତେବେ ରାଜକୋଟରେ ଭାରତର ସଫଳତା ସେତେଟା ସନ୍ତୋଷଜନକ ନାହିଁ। ଏହି ପଡ଼ିଆରେ ୨୦୧୩ ଓ ୨୦୧୫ରେ ଦୁଇଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଥିଲା ବେଳେ ଉଭୟରେ ଭାରତକୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା। ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାଠାରୁ ଭାରତ ହାରିଥିଲା। ପୁଣି ଏହି ପଡ଼ିଆରେ ଗତ ଋତୁରେ ଭାରତ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। ହେଲେ ସୌରାଷ୍ଟ୍ର ଷ୍ଟାଡିୟମ୍‌ରେ ଆସନ୍ତାକାଲିକୁ ମିଶାଇ ଦ୍ୱିତୀୟ ଥର ପାଇଁ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ୨୦୧୩ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ମ୍ୟାଚ୍‌କୁ ଭାରତ ଅବଶ୍ୟ ଜିତି ନେଇଥିଲା। ସେହି ଦୃଷ୍ଟିରୁ ଭାରତ ଶନିବାର ଏଠାରେ ବିଜୟ ଆଶା ରଖିଛି।

ପ୍ରଥମ ମ୍ୟାଚ୍‌ରେ ଶୀର୍ଷକ୍ରମ ଖେଳାଳି ବିଶେଷକରି ରୋହିତ ଶର୍ମା ଓ ଶିଖର ଧାଓ୍ଵନ୍‌ଙ୍କ ଧୂଆଁଧାର ବ୍ୟାଟିଂ ଭାରତକୁ ମଜବୁତ୍‌ ସ୍ଥିତି ଦେଇଥିଲା। ଦୁହେଁ ୧୬ ଓଭରରେ ୧୫୮ ରନ୍‌ ଯୋଡ଼ିବାରୁ ଭାରତ ମଧ୍ୟ ୨୦୦ ରନ୍‌ ଟପିଯାଇଥିଲା। ପୁଣି ନିଜେ ଅଧିନାୟକ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯଥାକ୍ରମେ ଦଳକୁ ମଝି ଓ ଶେଷ ଭାଗରେ ରକ୍ଷା କରିବାରେ ଧୂରନ୍ଧର ଅଛନ୍ତି। ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଜସ୍‌ପ୍ରୀତ୍‌ ବୁମ୍‌ରା ଭ୍ରମଣକାରୀ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଖୁବ୍‌ ଅଡୁଆରେ ପକାଉଛନ୍ତି। ଉଭୟେ ଶେଷ ପର୍ଯ୍ୟାୟ ଓଭରମାନଙ୍କରେ ୟର୍କର ମାରି ପ୍ରତିପକ୍ଷକୁ ବିଚଳିତ କରିପାରିବାର ସାମର୍ଥ୍ୟ ରଖିଛନ୍ତି। ସେମାନଙ୍କ ସାଙ୍ଗକୁ ମଧ୍ୟଭାଗରେ ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସ୍ପିନ୍‌ ଜାଲରେ ଛନ୍ଦି ପାରିବାର କ୍ଷମତା ଅକ୍ଷର ପଟେଲ ଓ ୟୁଜ୍‌ବେନ୍ଦର ଚହଲ୍‌ଙ୍କର ରହିଛି। ଉଭୟ ସ୍ପିନର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସମସ୍ୟାରେ ପକାଇଥିଲେ। ଭାରତ ମଧ୍ୟ ବିଶେଷ କୌଣସି ପରିବର୍ତନ ବିନା ଦ୍ୱିତୀୟ ମ୍ୟାଚ୍‌ ଖେଳିବାର ସମ୍ଭାବନା ଅଧିକ ରହିଛି।

ଅନ୍ୟପକ୍ଷରେ ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାର ଶୀର୍ଷରେ ରହିଥିବା କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ନ୍ୟୁଜିଲାଣ୍ଡ୍‌ ଦଳ ରାଜକୋଟରେ ଭାରତକୁ ପରାସ୍ତ କରି ଶୃଙ୍ଖଳାକୁ ପ୍ରତ୍ୟାବର୍ତନ କରିବାର ଆଶା ବାନ୍ଧିଛି। ସଂଖ୍ୟାଧିକ ଅଲ୍‌ରାଉଣ୍ଡରଙ୍କୁ ନେଇ ଭ୍ରମଣକାରୀ ଦଳ ବେଶ୍‌ ଶକ୍ତିଶାଳୀ। ଭୁବନେଶ୍ୱର ଓ ବୁମ୍‌ରାଙ୍କ ଭଳି ନ୍ୟୁଜିଲାଣ୍ଡ୍‌ ପାଇଁ ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଟିମ୍‌ ସାଉଦି ୟର୍କର ବୋଲି କରିବାରେ ସିଦ୍ଧହସ୍ତ। ଅବଶ୍ୟ ଉଭୟେ ବୋଲ୍‌ଟ ଓ ସାଉଦି ଦିଲ୍ଲୀରେ ଲୟ ହରାଇଥିଲେ। ହେଲେ କଲିନ୍‌ ମୁନ୍‌ରୋ, ଟମ୍‌ ଲାଥମ୍‌, ମାର୍ଟିନ୍‌ ଗପ୍ଟିଲ, ରସ୍‌ ଟେଲର, କଲିନ୍‌ ଡି ଗ୍ରାଣ୍ଡୋମେ ଓ ହେନ୍‌ରି ନିକୋଲସ୍‌ଙ୍କ ଭଳି ବ୍ୟାଟ୍‌ସମ୍ୟାନ୍‌ ମ୍ୟାଚ୍‌ର ସ୍ଥିତି ବଦଳାଇଦେବାର ସାମର୍ଥ୍ୟ ରଖିଥିବାରୁ ଭାରତ ବିଜୟ ଏତେଟା ସହଜ ହୋଇନପାରେ। ଆମେ ଦିଲ୍ଲୀରେ ସବୁ ବିଭାଗରେ ଭଲ କରିପାରିନଥିଲୁ। ହେଲେ ରାଜକୋଟରେ ସେହି ତ୍ରୁଟିକୁ ସୁଧାରିନେବୁ ବୋଲି ନ୍ୟୁଜିଲାଣ୍ଡ୍‌ ଅଧିନାୟକ ଓ୍ଵିଲିୟମ୍‌ସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର