ନଟିଂହାମ୍: ପ୍ରଥମ ଦୁଇ ଟେଷ୍ଟ୍ରେ ଦୟନୀୟ ପରାଜୟ ପରେ ଏବେ ଶୃଙ୍ଖଳାରେ ବଞ୍ଚି ରହିବାକୁ ସଂଘର୍ଷ କରୁଛି ଭାରତୀୟ କ୍ରିକେଟ୍ ଦଳ। ଶନିବାରଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍ ଏବେ ଭାରତ ପାଇଁ ‘କର ବା ମର’ ପାଲଟିଯାଇଛି। ଏହି କାରଣରୁ ଭାରତୀୟ ଦଳ ମଧ୍ୟ ପରିବର୍ତନ ସହିତ ପଡ଼ିଆକୁ ଓହ୍ଲାଇବାକୁ ଯୋଜନା କରିଛି। ଏଜ୍ବାଷ୍ଟନ୍ରେ ୩୧ ରନ୍ରେ ହାରିଥିବା ଭାରତ ଗତ ରବିବାର ଲର୍ଡସରେ ପାଳି ଓ ୧୫୯ ରନ୍ରେ ହାରିଥିଲା। ମାତ୍ର ସାଢ଼େ ୫ ଦିନର କ୍ରିକେଟ୍ ଖେଳି କୋହଲିଙ୍କ ଦଳ ଏବେ ୦-୨ରେ ପଛରେ ପଡ଼ିଯାଇଛି। ଫଳରେ କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ମ୍ୟାଚ୍ ଭଳି ୩୮ତମ ସମନ୍ଵୟରେ ବି ସୁଯୋଗ ନେବ। ଭାରତ ପାଇଁ ସବୁଠୁ ପ୍ରତୀକ୍ଷିତ ପରିବର୍ତନ ହେବ ୨୦ ବର୍ଷୀୟ ଯୁବ ଓ୍ଵିକେଟ୍ରକ୍ଷକ ଋଷବ ପନ୍ତଙ୍କ ରୂପରେ। ଦୀନେଶ କାର୍ତିକଙ୍କ ନୈରାଶ୍ୟଜନକ ଫର୍ମ (୦, ୨୦, ୧, ୦) କାରଣରୁ ଏହି ଯୁବ ତାରକାଙ୍କୁ ପଦାର୍ପଣ ସୁଯୋଗ ମିଳିବାକୁ ଯାଉଛି। ନେଟ୍ସରେ ପନ୍ତଙ୍କୁ କାର୍ତିକ କ୍ୟାଚିଂ ଅଭ୍ୟାସ କରାଉଥିବା ଦେଖିବାକୁ ମିଳିଛି। ଏହି ଦିଲ୍ଲୀ ଓ୍ଵିକେଟ୍ରକ୍ଷକ ମଧ୍ୟ ନେଟ୍ସରେ ଢେର ବ୍ୟାଟିଂ କରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ବିବେଚିତ ହେଉଥିବା ପନ୍ତ୍ ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦୁଇ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୩ ଅର୍ଧଶତକ ହାସଲ କରି ଜାତୀୟ ଦଳକୁ ଆସିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୫୪ରୁ ଉର୍ଧ୍ୱ ହାରରେ ରନ୍ କରିଥିବା ପନ୍ତ୍ଙ୍କ ନାମରେ ମଧ୍ୟ ଏକ ତ୍ରିଶତକ ରହିଛି। କିନ୍ତୁ ଜେମ୍ସ ଆଣ୍ଡର୍ସନ୍, ଷ୍ଟୁଆର୍ଟ ବ୍ରଡ୍, କ୍ରିସ୍ ଓ୍ଵକ୍ସ, ବେନ୍ ଷ୍ଟୋକ୍ସଙ୍କ ଭଳି ବୋଲରଙ୍କୁ ଏହି ଯୁବ ତାରକା କିଭଳି ମୁକାବିଲା କରିପାରିବେ ସମୟ କହିବ। ପନ୍ତ୍ଙ୍କ ପଦାର୍ପଣ ଭଳି କୋହଲିଙ୍କ ସୁସ୍ଥତାକୁ ନେଇ ମଧ୍ୟ ଉତ୍ସୁକତା ରହିଛି ଭାରତୀୟ ଶିବିରରେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ପାଇଁ ସବୁଠୁ ଭଲ ଖବର ହେଉଛି ଦ୍ରୁତ ବୋଲର ଯଶ୍ପ୍ରୀତ ବୁମରାଙ୍କ ଫିଟ୍ନେସ୍। ବୁମରା ସମ୍ପୂର୍ଣ୍ଣ ସୁସ୍ଥ ଘୋଷିତ ହୋଇଥିବା ବେଳେ ସ୍ପିନର ରବି ଚନ୍ଦ୍ରନ୍ ଅଶ୍ୱିନ୍ ଓ ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟା ମଧ୍ୟ ସାମାନ୍ୟ ଶାରୀରିକ ଅକ୍ଷମତା ସମସ୍ୟାରୁ ମୁକ୍ତ ହୋଇଛନ୍ତି। କୋହଲି ମଧ୍ୟ ତାଙ୍କ ପିଠି ସମସ୍ୟାରୁ ମୁକୁଳିଯାଇଛନ୍ତି। ଲର୍ଡସରେ ଦୁଇ ଜଣ ସ୍ପିନର୍ଙ୍କୁ ଖେଳାଇ ଭୁଲ କରିଥିବା କଥାକୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସ୍ୱୀକାର କରିଛନ୍ତି। ପରିସ୍ଥିତି ଓ ପରାଜୟ କାରଣରୁ ଭାରତ ଏକାଧିକ ପରିବର୍ତନ କରି ଏହି ଟେଷ୍ଟ୍ ଖେଳିବାକୁ ବାଧ୍ୟ ହେବ। ମୁରଲୀ ବିଜୟ ବିଦେଶରେ ବିଗତ ୧୦ ପାଳିରେ ମୋଟ ୧୨୮ ରନ୍ କରିଥିଲେ ମଧ୍ୟ ତାଙ୍କ ଭଳି ବ୍ୟାଟିଂ ଦକ୍ଷତାର ଖେଳାଳିଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ସେହିଭଳି ଅପେକ୍ଷାକୃତ ଭଲ ହାରାହାରି ରଖିଥିବା ଶିଖର ଧାଓ୍ଵନଙ୍କ୍ୁ ମଧ୍ୟ ଦଳ ପୁଣି ରଖିପାରେ। ଦକ୍ଷିଣ ଆଫ୍ରିକାରେ ସେ ୧୭.୭୫ ଏବଂ ଇଂଲଣ୍ଡରେ ୪ ଟେଷ୍ଟ୍ରେ ୨୦.୧୨ ହାରରେ ଖେଳିଛନ୍ତି। ଚଳିତ ଗସ୍ତରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୬୮.୯୩ ଏବଂ ୫୭.୨୯ ପୁଣି ତାଙ୍କ ସପକ୍ଷରେ ଯାଇପାରେ। ଲଗାତାର ତୃତୀୟ ଟେଷ୍ଟ୍ରେ କିନ୍ତୁ ଭାରତ ଅଲଗା ପ୍ରାରମ୍ଭିକ ଭାଗୀଦାରି ନେବାର ସମ୍ଭାବନା ରହିଛି। ଏ କ୍ଷେତ୍ରରେ ଧାଓ୍ଵନ-ରାହୁଲ ପାଳି ଆରମ୍ଭ କରିପାରନ୍ତି। କୋହଲି ଠିକ୍ ହୋଇଯାଇଥିବାରୁ ମଧ୍ୟକ୍ରମକୁ ପରିବର୍ତନ ନକରିବା କଥା ମଧ୍ୟ ଭାରତ ଚିନ୍ତା କରୁଛି। ଏଭଳି ହେଲେ ଉମେଶ ଯାଦବ ପୁଣି ଥରେ ହତଭାଗ୍ୟ ସାବ୍ୟସ୍ତ ହୋଇ ନଟିଂହାମ୍ରୁ ବଞ୍ଚିତ ହେବେ। ନଟିଂହାମ୍ରେ ଉଭୟ ଦଳ ୨୦୧୪ରେ ପରସ୍ପରକୁ ଭେଟିଥିଲେ ମଧ୍ୟ ମ୍ୟାଚ୍ ବିନା ହାରଜିତ୍ରେ ଶେଷ ହୋଇଥିଲା। ଭାରତର ୪୫୭ ଏବଂ ୩୯୧/୯ (ଘୋଷିତ) ଜବାବରେ ଇଂଲଣ୍ଡ ୪୯୬ ରନ୍ କରିଥିଲା। ଏଥର କିନ୍ତୁ ପିଚ୍ ଟିକେ ଭିନ୍ନ ଦେଖାଯାଉଛି। ପ୍ରଥମ ୪ ଦିନ ପାଗ ମେଘାଛନ୍ନ ରହିବ ବୋଲି ସୂଚନା ଦିଆଯାଇଥିବାରୁ ଭାରତ ମଧ୍ୟ ଜଣେମାତ୍ର ସ୍ପିନର୍ ନେବା ପ୍ରାୟ ନିଶ୍ଚିତ। ଇଂଲଣ୍ଡ କିନ୍ତୁ ଏଜ୍ବାଷ୍ଟନ୍ ଟେଷ୍ଟ୍ର ଶ୍ରେଷ୍ଠ ଖେଳାଳି ସାମ୍ କରନ୍ଙ୍କୁ ବାଧ୍ୟରେ ବସାଇ ବାର୍ ଗଣ୍ଡଗୋଳରୁ ଦୋଷମୁକ୍ତ ବେନ୍ ଷ୍ଟୋକ୍ସଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରି ନେଇଛି।
ଖରାପ ପରିସଂଖ୍ୟାନ
ଟେଷ୍ଟ୍ ମାନ୍ୟତାର ଏକ ନମ୍ବର ଦଳ ଭାବେ ଇଂଲଣ୍ଡ ଆସିଥିବା ବିରାଟ କୋହଲି ଦଳ ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଆଶା ଥିଲା। ସେହି ଆଶା କ୍ରମେ ମଉଳିବାରେ ଲାଗିଛି। ତୃତୀୟ ଟେଷ୍ଟ୍ ପୂର୍ବରୁ ଭାରତ ଆଗରେ ମଧ୍ୟ କିଛି ସରଳ ପରିସଂଖ୍ୟାନ ରହିଛି ଯାହା ଚାପ ବଢ଼ାଇବା ଛଡ଼ା ଅନ୍ୟ କିଛି ନୁହେଁ। ଟେଷ୍ଟ୍ ଇତିହାସରେ ମାତ୍ର ଗୋଟିଏ ଦେଶ ରହିଛି ଯିଏ ପ୍ରଥମ ଦୁଇ ଟେଷ୍ଟ୍ରେ ହାରିବା ପରେ ୫ ମ୍ୟାଚ୍ ଶୃଙ୍ଖଳାକୁ ଜିତିଛି। ସାର୍ ଡନ୍ ବ୍ରାଡମ୍ୟାନ୍ଙ୍କ ଦଳ ୧୯୩୬-୩୭ରେ ଏଭଳି କରିଥିଲା। ଏଭଳି ପରିସ୍ଥିତିରେ ଭାରତ ପାଇଁ କିନ୍ତୁ ଦେଶ ବାହାରେ ସବୁଠୁ ଶ୍ରେଷ୍ଠ ସଫଳତା ହେଉଛି ୨-୧ ବିଜୟ। ୨୦୧୫ରେ ଶ୍ରୀଲଙ୍କାରେ ପ୍ରଥମ ଟେଷ୍ଟ୍ ହାରିଥିଲେ ମଧ୍ୟ ଭାରତ ପରିବର୍ତୀ ୨ଟିକୁ ଜିତି ନେଇଥିଲା। ଚଳିତ ଗସ୍ତରେ ବିରାଟ କୋହଲିଙ୍କୁ ଛାଡ଼ିଦେଲେ ଭାରତର ଶୀର୍ଷ ୫ ବ୍ୟାଟିଂ ସ୍ଲଟ୍ରେ ଖେଳିଥିବା ମୁରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ୪ଟି ପାଳି ପରେ ବି ଗୋଟିଏ ଅର୍ଧଶତକ ମାରିପାରିନାହାନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତକୁ ମିଶାଇଦେଲେ ବିଗତ ୨୦ ସମ୍ପୂର୍ଣ୍ଣ ପାଳି ମଧ୍ୟରୁ କେବଳ ପୂଜାରା ଥରେ ଅର୍ଧଶତକ କରିଛନ୍ତି। ଭାରତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାଠୁ ୧-୨ରେ ହାରିଥିଲା।
ସୁଇଙ୍ଗ୍ ଓ ସିମ୍
ଭାରତୀୟ ବ୍ୟାଟସ୍ମ୍ୟାନ୍ ଏବେ ସମ୍ପୂର୍ଣ୍ଣ ଚାପରେ। ଇଂଲିସ୍ ଖେଳାଳିଙ୍କ ଘେରାବନ୍ଦି ଭିତରେ ରହିଛନ୍ତି କହିଲେ ବି ଅତ୍ୟୁକ୍ତି ହେବନାହିଁ। ଟ୍ରେଣ୍ଟ୍ବ୍ରିଜ୍ରେ ଇତିହାସ କହୁଛି ସିମ୍ ବୋଲରଙ୍କୁ ସହାୟତା ମିଳିବ, ପିଚ୍ରେ ହାଲ୍କା ଘାସ ବି ରହିଛି। ଜେମ୍ସ ଆଣ୍ଡରସନ୍ ଏହି ପଡ଼ିଆରେ ଏକାକି ୬୦ ଓ୍ଵିକେଟ୍ ନେଇ ସାରିଛନ୍ତି ୧୮.୯୫ ହାରରେ।