ଟାଉନ୍ କ୍ଲବ୍ ଖେଳ ପଡ଼ିଆ ଛିନ୍‌ଛତ୍ର

ଭୁବନେଶ୍ବର: ମହାବାତ୍ୟା ରୂପରେ ଆସିଥିବା ଫନିର ପ୍ରଭାବରେ ରାଜଧାନୀର କ୍ରୀଡ଼ା ଭିତ୍ତିଭୂମୀ ଏବଂ ବ୍ୟବସ୍ଥାକୁ ମଧ୍ୟ ଶକ୍ତ ଝଟ୍‌କା ଲାଗିଛି। ରାଜଧାନୀର ସର୍ବପୁରାତନ ଅନୁଷ୍ଠାନ ପୁରୁଣା ଭୁବନେଶ୍ବରସ୍ଥିତ ଟାଉନ୍ କ୍ଲବ୍ ତତ୍ବାବଧାନରେ ଥିବା ମୂଳା ପଡ଼ିଆ ବି ଏଥିରୁ ବାଦ୍‌ ପଡ଼ିନାହିଁ। ଭୟଙ୍କର ପବନ ଏହାର ଚତୁଃପାର୍ଶ୍ବରେ ଥିବା ଛୋଟ ବଡ଼ ଗଛଗୁଡ଼ିକୁ ମୂଳରୁ ଉପାଡ଼ି ଧରାଶାୟୀ କରିଦେଇଛି। ଚଲା ପଥରେ ଗଛ ପଡ଼ିରହିଥିବାରୁ ଏହା ପ୍ରଭାବିତ ହୋଇଛି। ନୂଆ କରି ସଂଯୋଗ କରାଯାଇଥିବା ଆଲୋକୀକରଣ ବ୍ୟବସ୍ଥା ବି ବିଧ୍ବସ୍ତ ହୋଇପଡ଼ିଛି। ପଡ଼ିଆର ପୂର୍ବ, ଦକ୍ଷିଣ ଏବଂ ପଶ୍ଚିମପାର୍ଶ୍ବ ପ୍ରାଚୀର ମଧ୍ୟ ମାଟିରେ ମିଶିଯାଇଥିବାରୁ ପଡ଼ିଆ ଏବେ ମୁକୁଳା ହୋଇଯାଇଛି। ସବୁଠାରୁ ବଡ଼ ଚଡ଼କ ପଡିଛି କ୍ରିକେଟ୍ ଅଭ୍ୟାସ ଉପରେ। ପଡ଼ିଆ ମଝିରେ ଥିବା ପିଚ୍‌ ଆଂଶିକ ଧୋଇ ଯାଇଥିବାବେଳେ ଦକ୍ଷିଣ ପୂର୍ବ କୋଣରେ ଥିବା ଅଭ୍ୟାସ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଷ୍ଟ୍ରକ୍ଚର ଶୋଇ ଯାଇଥିବାବେଳେ ନେଟ୍ସ ମାଟିରେ ଶୋଇଯାଇଛି। ଫଳରେ ଦୈନିକ ଅଭ୍ୟାସ କରୁଥିବା ଯୁବ ଓ ଉଦୀୟମାନ ଖେଳାଳି ନିରାଶ ହୋଇପଡ଼ିଛନ୍ତି। ‘ଏହା ଆମ ଭଳି ଛୋଟ କ୍ଲବ୍‌ଗୁଡ଼ିକ ପାଇଁ ବଡ଼ ଝଟକା। ତଥାପି ଆମେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆସନ୍ତାକାଲିଠାରୁ ଗଛକଟା ଆରମ୍ଭ କରିବୁ। ଖୁବ୍ ଶୀଘ୍ର ଖେଳାଳିଙ୍କ ଅଭ୍ୟାସକୁ ପୁନଃ ଆରମ୍ଭ କରିବାକୁ ଚେଷ୍ଟା ରହିବ’ ବୋଲି କହିଛନ୍ତି ଟାଉନ୍ କ୍ଲବ୍ କ୍ରୀଡ଼ା ସମ୍ପାଦକ ମନୋଜ ମହାପାତ୍ର। ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୮ ତାରିଖରୁ ଏହି ପଡ଼ିଆରେ କ୍ରିକେଟ୍ ଦକ୍ଷତା ବିକାଶ ଶିବିର ଚାଲିଥିଲା। ୨ ତାରିଖରେ ଏହା ଉଦ୍‌ଯାପିତ ହେ‌ବାର ଥିଲେ ମଧ୍ୟ ସମ୍ଭାବ୍ୟ ଫନିକୁ ନଜରେ ରଖି ସ୍ଥଗିତ ରଖାଯାଇଛି। ସବୁକିଛି ସ୍ବାଭାବିକ ହେଲେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର