ଉଦୀପ୍ତଙ୍କୁ ଋତୁର ଶ୍ରେଷ୍ଠ ସଫଳତା

ଜାତୀୟ ମୋଟର ସାଇକେଲ୍‌ ରେସିଂ

ଭୁବନେଶ୍ୱର: ଜାତୀୟ ମୋଟରସାଇକେଲ୍‌ ରେସିଂ ପ୍ରତିଯୋଗିତାର ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ଏକମାତ୍ର ପେସାଦାର ରେସର୍‌ ଉଦୀପ୍ତ କୁମାର ରଥ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ କରି ସପ୍ତମ ସ୍ଥାନରେ ରହିଛନ୍ତି। ଓଡ଼ିଶା ଦଳ ‘ନରସିମ ରେସିଂ’ର ଅନ୍ୟତମ ରେସର ପୀୟୂଷ ରଞ୍ଜନ (ନବମ) ମଧ୍ୟ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ପ୍ରଥମ ଥର ପାଇଁ ପଏଣ୍ଟ୍‌ ଅର୍ଜନ କରିବାକୁ ସକ୍ଷମ ହୋଇଛନ୍ତି। ଉଭୟ ଯୋଗ୍ୟତା ପର୍ଯ୍ୟାୟର ଦ୍ୱାଦଶ ଏବଂ ତ୍ରୟୋଦଶ ସ୍ଥାନରେ ରହି ମୁଖ୍ୟପର୍ଯ୍ୟାୟକୁ ଯାଇଥିଲେ। ହେଲେ ସେଠାରେ ଭଲ କରି ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିବାର ଗୌରବ ହାସଲ କରିଥିଲେ। ୩.୭୧୭ କିଲୋମିଟର ଦୂରତା ବିଶିଷ୍ଟ ମାଡ୍ରାସ୍‌ ମୋଟର ରେସିଂ ଟ୍ରାକରେ ଉଦୀପ୍ତଙ୍କ ଶ୍ରେଷ୍ଠ ସମୟ ୨ ମିନିଟ୍‌୧.୩୭୮ ସେକେଣ୍ଡ ଥିଲା। ସେହିଭଳି ପୀୟୂଷ ୨ ମିନିଟ୍‌ ୩.୯୭୮ ସେକେଣ୍ଡର ଶ୍ରେଷ୍ଠ ସମୟ ପାଇଥିଲେ। ଏହା ପୂର୍ବରୁ ଆୟୋଜିତ ଦୁଇଟି ପର୍ଯ୍ୟାୟରେ ବୈଷୟିକ ତଥା ଅନ୍ୟାନ୍ୟ କାରଣରୁ ଉଦୀପ୍ତ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲେ। ପ୍ରଥମ ପର୍ଯ୍ୟାୟର ତୃତୀୟ ସ୍ଥାନରେ ଥିଲା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ପଏଣ୍ଟ ଅର୍ଜନରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସମାନ କାରଣ ପାଇଁ ଦଶମ ସ୍ଥାନ ଅଧିକାର କରିଥିଲେ। ସୀମିତ ବ୍ୟୟ ବରାଦ, ବୈଷୟିକ ସମସ୍ୟା ଏବଂ ସରକାରୀ ଓ ବେସରକାରୀ ସମର୍ଥନର ଅଭାବ ସତ୍ତ୍ୱେ ଉଦୀପ୍ତ ନିଜ ପ୍ରଚେଷ୍ଟାରେ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି। ଆଗକୁ ସେ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ରହିବାକୁ ଲକ୍ଷ୍ୟ ରଖିଛନ୍ତି। ଧିରେ ଧିରେ ଆମେ ଶ୍ରେଷ୍ଠ ପ୍ରଦର୍ଶନର ନିକଟତର ହେଉଛୁ। ସସ୍‌ପେନ୍‌ସନ୍‌ରେ ତ୍ରୁଟି ପାଇଁ ମୁଁ ମୋ ବେଗକୁ ଆଶାଜନକ ଭାବେ ବଢ଼ାଇ ପାରିଲି ନାହିଁ। ଚତୁର୍ଥ ପର୍ଯ୍ୟାୟ ବେଳକୁ ଏହି ସମସ୍ୟା ଦୂର ହୋଇଯିବ ବୋଲି ଉଦୀପ୍ତ କହିଛନ୍ତି। ସୂଚନାଯୋଗ୍ୟ ଯେ ଉଦୀପ୍ତ ଆଗରୁ ମାଲେସିଆର ପିରୋଲି ରେସିଂ ଟ୍ରାକରେ ବାଇକ୍‌ ଚଲାଇ ସାରିଥିଲା ବେଳେ ଜାତୀୟ ପ୍ରତିଯୋଗିତାର ୩୦୧-୪୦୦ ସିସି ବର୍ଗରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦଳଗତ ଭାବେ ‘ନରସିମ ରେସିଂ’ ସଂପ୍ରତି ସପ୍ତମ ସ୍ଥାନରେ ରହିଛି। ଉଦୀପ୍ତ ତୃତୀୟ ପର୍ଯ୍ୟାୟରୁ ୬ ଏବଂ ପୀୟୂଷ ୨ ପଏଣ୍ଟ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର