ୟୁଏସ୍‌ ଓପନ୍‌: ପ୍ରିକ୍ବାର୍ଟରରେ ନାଦାଲ, ଅଲ୍‌କାରାଜ, ସ୍ବିତେକ

ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ର ପ୍ରିକ୍ବାର୍ଟର ଫାଇନାଲ୍‌ରେ ଦୁଇ ସ୍ପେନ୍ ତାରକା ୨୨ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ରାଫେଲ ନାଦାଲ ଓ ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲ୍‌କାରାଜଙ୍କ ସହ ବିଶ୍ବର ଏକ ନମ୍ବର ମହିଳା ଖେଳାଳି ଈଗା ସ୍ବିତେକ ପହଞ୍ଚିଛନ୍ତି। ପୁରୁଷ ଏକକ ତୃତୀୟ ରାଉଣ୍ଡ ମୁକାବିଲା‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ସିଧାସଳଖ ୬-୦, ୬-୧, ୭-୫ ସେଟ୍‌ରେ ଫ୍ରାନ୍ସର ରିଚାର୍ଡ ଗାସକ୍ବେଟଙ୍କୁ ଏବଂ ୧୯ ବର୍ଷୀୟ ଅଲ୍‌କାରାଜ ୬-୩, ୬-୩, ୬-୩ ସେଟ୍‌ରେ ଆମେରିକାର ଜେନସନ ବ୍ରୁକ୍ସବାଏଙ୍କୁ ପରାସ୍ତ କରିଥିଲେ। ପ୍ରିକ୍ବାର୍ଟର ଫାଇନାଲ୍‌ରେ ନାଦାଲ ଆମେରିକାର ଫ୍ରାନ୍ସିସ ତିଆଫୋଏଙ୍କୁ ଏବଂ ଅଲ୍‌କାରାଜ କ୍ରୋଏସିଆର ମାରିନ ସିଲିକ୍‌ଙ୍କୁ ଭେଟିବେ। ତିଆଫୋଏ ୭-୬, ୬-୪, ୬-୪ ସେଟ୍‌ରେ ୧୪ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାର ଡି‌ଏଗୋ ସ୍ବର୍ଜମାନଙ୍କୁ ଏବଂ ସିଲିକ ୭-୬, ୬-୭, ୬-୨, ୭-୫ ସେଟ୍‌ରେ ଇଂଲଣ୍ଡର ଡାନ ଇଭାନ୍ସଙ୍କୁ ହରାଇଥିଲେ। ସପ୍ତମ ମାନ୍ୟତାପ୍ରାପ୍ତ କାମେରୁନ ନୋରି ଏବଂ ନବମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ପ୍ରିକ୍ବାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଇଂଲଣ୍ଡର ନୋରି ୭-୫, ୬-୪, ୬-୧ ସେଟ୍‌ରେ ଡେନ୍‌ମାର୍କର ହୋଲଗର ରୁନେଙ୍କୁ ଏବଂ ରୁବଲେଭ ୬-୪, ୨-୬, ୬-୭, ୬-୪, ୭-୬ ସେଟ୍‌ରେ କାନାଡ଼ାର ଡେନିସ ସାପୋଭାଲୋଭଙ୍କୁ ମାତ୍‌ ଦେଇଥିଲେ।

ମହିଳା ଏକକ ତୃତୀୟ ରାଉଣ୍ଡରେ ପୋଲାଣ୍ଡ ଯୁବତୀ ସ୍ବିତେକ ସିଧାସଳଖ ୬-୩, ୬-୪ ସେଟ୍‌ରେ ଆମେରିକାର ଲରେନ ଡେଭିସଙ୍କୁ ପରାସ୍ତ କରିଥିଲେ। ଏହି ଫ୍ରେଞ୍ଚ ଓପନ୍‌ ବିଜୟିନୀ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଜର୍ମାନିର ଜୁଲେ ନିମେରଙ୍କୁ ଭେଟିବେ। ନିମେର ୬-୪, ୭-୬ ସେଟ୍‌ରେ ଚୀନ୍‌ର କ୍ବିନୱେନ୍‌ ଝେଙ୍ଗଙ୍କୁ ହରାଇଥିଲେ। ସ୍ବିତେକଙ୍କ ସହ ଷଷ୍ଠ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କା ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ବେଲାରୁଷର ସା‌ବଲେଙ୍କା ୬-୦, ୬-୨ ସେଟ୍‌ରେ ଫ୍ରାନ୍ସର କ୍ଲାରା ବୁରେଲଙ୍କୁ ଏବଂ ଆମେରିକାର ପେଗୁଲା ୬-୨, ୬-୭, ୬-୦ ସେଟ୍‌ରେ ଚୀନ୍‌ର ୟୁ ୟୁଆନ୍‌ଙ୍କୁ ହରାଇଥିଲେ। ପ୍ରିକ୍ବାର୍ଟରରେ ସାବଲେଙ୍କା ଆମେରିକାର ଡାନିଏଲେ କଲିନ୍ସଙ୍କୁ ଏବଂ ପେଗୁଲା ଚେକ୍‌ଗଣରାଜ୍ୟର ପେଟ୍ରା କ୍ବିତୋଭାଙ୍କୁ ଭେଟିବେ। କଲିନ୍ସ ୬-୪, ୭-୬ ସେଟ୍‌ରେ ଫ୍ରାନ୍ସର ଆଲିଜ କୋର୍ନେଟଙ୍କୁ ଏବଂ କ୍ବିତୋଭା ୫-୭, ୬-୩, ୭-୬ ସେଟ୍‌ରେ ନବମ ମାନ୍ୟତାପ୍ରାପ୍ତ ଗାର୍ବିନେ ମୁଗୁରୁଜାଙ୍କୁ ମାତ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର