ବିଶ୍ୱକପ୍‌: ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌, ଆଘାତ ସତ୍ତ୍ୱେ ଅଭ୍ୟାସ ସ୍ଥଳକୁ ଗଲେ ଶିଖର ଧାଓ୍ଵନ

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ଏହି ମୁକାବିଲା ପୂର୍ବରୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି, ଶିଖର ଧାଓ୍ଵନ। ସେ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବ୍ୟାଟିଂ କରୁଥିବା ବେଳେ ଆଘାତ ପାଇଛନ୍ତି। ଡାକ୍ତର ତାଙ୍କୁ ଅତି କମ୍‌ରେ ୧୦ରୁ ୧୨ ଦିନ ଯାଏଁ କ୍ରିକେଟରୁ ଦୂର ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ଶିଖର ଧାଓ୍ଵନଙ୍କ ଆଙ୍ଗୁଠି ମଙ୍ଗଳବାର ସ୍କାନିଂ କରାଯାଇଥିଲା। ସ୍କାନିଂରେ ହେୟାରଲାଇନ ଫ୍ୟାକ୍ଚର ହୋଇଥିବା ଜଣାପଡ଼ିଥିଲା। ବ୍ୟାଟିଂ କୋଚ ସଂଜୟ ବାଙ୍ଗରଙ୍କ ଅନୁସାରେ ଶିଖର ଧାଓ୍ଵନ ଖେଳିବା ନେଇ ଅନ୍ତିମ ନିଷ୍ପତ୍ତି ୧୦ ରୁ ୧୨ ଦିନ ପରେ ନିଆଯିବ। ଅର୍ଥାତ ସେ ଭାରତର ଆଗାମୀ ୩ଟି ମ୍ୟାଚ୍‌ (ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ)ରେ ଖେଳିବେ ନାହିଁ।

ନିଜର ସ୍ୱତନ୍ତ୍ର ସ୍ୱଭାବ ଯୋଗୁଁ ପରିଚୟ ସୃଷ୍ଟି କରିଥିବା ଶିଖର ଧାଓ୍ଵନ ଆଘାତ ପରେ ବି ବୁଧବାର ଅଭ୍ୟାସ ସମୟରେ ଉପସ୍ଥିତ ଥିଲେ। ଟିମ୍‌ ଇଣ୍ଡିଆ ନଟିଂହାମ୍‌ରେ ନେଟ୍‌ ଅଭ୍ୟାସ କରିଛି। ଧାଓ୍ଵନ ମଧ୍ୟ ସାଥୀ ଖେଳାଳିଙ୍କ ସହିତ ଅଭ୍ୟାସ ବେଳେ ବ୍ୟାଟ ଦେବା ନେବା କାମ କରୁଥିଲେ।

ସମ୍ବନ୍ଧିତ ଖବର