ବଡ଼ ବିଜୟର ସମକକ୍ଷ: କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଅଶ୍ୱିନ୍‌ଙ୍କ ଦ୍ରୁତତମ ୩୦୦ ଓ୍ଵିକେଟ୍‌

ନାଗପୁର: ତୃତୀୟ ଦିନରୁ ବିଜୟ ବାସ୍ନା ପାଇଥିବା ଭାରତୀୟ ଦଳ ଅତି ସହଜରେ ନାଗପୁର ଟେଷ୍ଟ୍‍କୁ ଜିତି ନେଇଛି। କେବଳ ଜିତି ନେଇଛି ନୁହେଁ, ପାଳି ଓ ୨୩୯ ରନ୍‌ର ବଡ଼ ବ୍ୟବଧାନ ସହିତ ନିଜ ପୂର୍ବ କୀର୍ତିମାନର ସମକକ୍ଷ ହୋଇଛି। ଏଥି ସହିତ ଭାରତ ୧-୦ରେ ଆଗୁଆ ହୋଇ ୩ ମ୍ୟାଚ୍‌ ଶୃଙ୍ଖଳାରେ ସୁରକ୍ଷିତ ରହିଛି। ତୃତୀୟ ତଥା ଶେଷ ଟେଷ୍ଟ୍‍ ଦିଲ୍ଲୀର ଫିରୋଜସାହା କୋଟଲା ଗ୍ରାଉଣ୍ଡ୍‌ରେ ଡିସେମ୍ବର ୨ ତାରିଖରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ଗୋଟିଏ ବି ଟେଷ୍ଟ୍‍ ଶୃଙ୍ଖଳାରେ ନ ହାରି ଆସନ୍ତା ମାସରେ ବିରାଟ ବାହିନୀ ଦକ୍ଷିଣ ଆଫି୍ରକା ଗସ୍ତ କରିବ।
ସୋମବାର ସକାଳେ ଶ୍ରୀଲଙ୍କା ୨୧/୧ରୁ ଖେଳିଥିଲା। ଭାରତକୁ ଦ୍ୱିତୀୟ ପାଳି ଖେଳାଇବା ଅଥବା ପାଳି ପରାଜୟ ଏଡ଼ାଇବା ଲାଗି ଦଳକୁ ୪୦୬ ରନ୍‌ ଲକ୍ଷ୍ୟରେ ପହଞ୍ଚିବାର ଥିଲା। ଯାହାକି ସିଂହଳୀ ଦଳ ପାଇଁ ସୁଦୂର ପରାହତ ଭଳି ଲାଗୁଥିଲା। ଭାରତର ପେସ୍‌ ଓ ସ୍ପିନ୍‌ ଆକ୍ରମଣ ଆଗରେ ବି ଅତିଥି ଦଳ ସମ୍ପୂର୍ଣ୍ଣ ହାରମାନିଗଲା। ବିନା ଲଢ଼େଇରେ ଆତ୍ମସମର୍ପଣ କରି ୧୬୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ଦେଲା। ଫଳରେ ୫ ଦିନିଆ ମ୍ୟାଚ୍‌ ସାଢ଼େ ୩ ଦିନରେ ଶେଷ ହୋଇଗଲା। ଭାରତ ଏକ ପାଳି ଓ ୨୩୯ ରନ୍‌ରେ ଜିତି ସମ୍ପୂର୍ଣ୍ଣ ଆଧିପତ୍ୟ ଜାହିର କଲା। ସକାଳେ ରବୀନ୍ଦ୍ର ଜାଦେଜା ପ୍ରଥମେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଦିମୁଥ କରୁଣାରତ୍ନେଙ୍କୁ ସର୍ଟ ଲେଗ୍‌ରେ ବିଜୟଙ୍କ ହାତରେ ଧରାଇ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଥିରମାନେଙ୍କୁ ଉମେଶ ଯାଦବ ଜାଦେଜାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ମାଥ୍ୟୁସଙ୍କୁ ଜାଦେଜା ମିଡ୍‌ ଅଫ୍‌ରେ ରୋହିତ ଶର୍ମାଙ୍କ ହାତରେ ଧରାଇଥିଲେ। ଡିକ୍‌େଓ୍ଵଲାଙ୍କୁ ଈଶାନ୍ତ ଶର୍ମା ନିଜ ଥଳିରେ ପକାଇଥିଲେ। ଗୋଟିଏ ପଟେ ସଂଗ୍ରାମ ଜାରି ରଖିଥିବା ଅଧିନାୟକ ଦୀନେଶ ଚାନ୍ଦିମାଳ (୬୧, ୮୨ ବଲ୍‌, ୧୦ ଚୌକା)ଙ୍କୁ ଉମେଶ ଯାଦବ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇବା ପରେ ମ୍ୟାଚ୍‌ରେ କେବଳ ଔପଚାରିକତା ରହିଥିଲା। ଶେଷ ୫ ଓ୍ଵିକେଟ୍‌ରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ୪ ଓ୍ଵିକେଟ୍‌ ଝାମ୍ପି ନେଇ ୩୦୦ ଓ୍ଵିକେଟ୍‌ କ୍ଲବ୍‌ରେ ଦ୍ରୁତତମ ବୋଲର ଭାବେ ସାମିଲ ହୋଇଥିଲେ। ଶ୍ରୀଲଙ୍କା ଦ୍ୱିତୀୟ ପାଳି ୧୬୬ ରନ୍‌ରେ ସୀମିତ ରହିଥିଲା। ଉମେଶ ଯାଦବ କିନ୍ତୁ ୧୦୦ତମ ଓ୍ଵିକେଟ୍‌ଠାରୁ ଗୋଟିଏ ଦୂରରେ ରହିଗଲେ। ଗାମାଗେଙ୍କୁ ବୋଲ୍‌ଡ କରି ଅଶ୍ୱିନ୍‌ ନିଜର ଏହି ବ୍ୟକ୍ତିଗତ ମାଇଲଖୁଣ୍ଟ୍‌ ଛୁଇଁବା ସହିତ ଭାରତର ବିଜୟ ମୁଣ୍ଡି ମାରିଥିଲେ। ଅଶ୍ୱିନ୍‌ ମ୍ୟାଚ୍‌ରେ ୮ ଓ୍ଵିକେଟ୍‌ ନେଇ ମଧ୍ୟ କୋଲକାତା ନିରାଶାକୁ ପଛରେ ପକାଇଥିଲେ। କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ନିଜର ୫୪ତମ ମ୍ୟାଚ୍‌ରେ ୩୦୦ ଓ୍ଵିକେଟ୍‌ ପୂରଣ କରି ତାମିଲ ଅଫ୍‌ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ଟେଷ୍ଟ୍‍ କ୍ରିକେଟ୍‌ ଇତିହାସରେ ଦ୍ରୁତତମ ବୋଲର ହେବାର କୀର୍ତିମାନ କରିଛନ୍ତି। ଏ କ୍ଷେତ୍ରରେ ସେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଡେନିସ୍‌ ଲିଲି (୫୬ ଟେଷ୍ଟ୍‍)ଙ୍କୁ ପଛରେ ପକାଇ ଦେଇଛନ୍ତି। ଦ୍ରୁତତମ ସ୍ପିନର୍‌ ଭାବେ ମଧ୍ୟ ଅଶ୍ୱିନ୍‌ ସିଂହଳୀ କିମ୍ବଦନ୍ତୀ ମୁଥୟା ମୁରଲୀଧରନ (୫୮ ଟେଷ୍ଟ୍‍)ଙ୍କୁ ପଛରେ ପକାଇଛନ୍ତି। ବିଶ୍ୱର ଅଷ୍ଟମ ସ୍ପିନର୍‌ ଭାବେ ୩୦୦ ଓ୍ଵିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଅନିଲ କୁମ୍ବଲେ ଏବଂ ହରଭଜନ ସିଂହଙ୍କ ପରେ ସେ ତୃତୀୟ ଭାରତୀୟ। ଆଉ ମାତ୍ର ୪ ଜଣ ଭାରତୀୟ ଏହି କ୍ଲବ୍‌ରେ ଅଛନ୍ତି। ସବୁଠାରୁ କମ୍‌ ବଲ୍‌ ବୋଲିଂ କରି ଅଶ୍ୱିନ୍‌ ମଧ୍ୟ ୩୦୦ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ଏ କ୍ଷେତ୍ରରେ ସେ ଅଷ୍ଟ୍ରେଲୀୟ ଲେଗ୍‌ ସ୍ପିନର୍‌ ସେନ୍‌ ଓ୍ଵର୍ନଙ୍କୁ ୪୭୭ ବଲ୍‌ ବ୍ୟବଧାନରେ ପଛରେ ପକାଇଛନ୍ତି। ଅଶ୍ୱିନ୍‌ଙ୍କ ତଳକୁ ସେନ୍‌ ଓ୍ଵର୍ନ, ମୁଥୟା ମୁରଲୀଧରନ, ରଙ୍ଗନା ହେରାଥ୍‌, ହରଭଜନ ସିଂହ, ଅନିଲ କୁମ୍ବଲେ, ଡାନିଏଲ୍‌ ଭିଟୋରୀ, ଲାନ୍‌ସ ଗିବ୍‌ସ କମ୍‌ ବଲ୍‌ରେ ୩୦୦ ଓ୍ଵିକେଟ୍‌ ଦଖଲ କରିବାର ଶୀର୍ଷ ୮ରେ ରହିଛନ୍ତି। ଉପ ମହାଦେଶରେ ଅଶ୍ୱିନ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ (୫୨.୦୭) କେବଳ ପାକିସ୍ତାନୀ ଦ୍ରୁତ ବୋଲର ଓ୍ଵାକର୍‌ ୟୁନିସ୍‌ (୪୨.୦୪)ଙ୍କ ତଳେ ରହିଛି। ୨୦୧୧ ମସିହାରେ ପଦାର୍ପଣ କରିଥିବା ଅଶ୍ୱିନ୍‌ ୬ ବର୍ଷ ନେଇ ଏହି ମାଇଲଖୁଣ୍ଟ ଛୁଇଁଥିବାବେଳେ ସେନ୍‌ ଓ୍ଵର୍ନଙ୍କ ତଳକୁ ଦ୍ୱିତୀୟରେ ରହିଛନ୍ତି। ଓ୍ଵର୍ନ ଠିକ୍‌ ୬ ବର୍ଷରେ ଏହା ପୂରଣ କରିଥିଲେ। ଅଶ୍ୱିନ୍‌ ୧୮ ଦିନ ଅଧିକ ନେଇଛନ୍ତି। ଭାରତୀୟଙ୍କ ମଧ୍ୟରେ କପିଳ ଦେବ ୮ ବର୍ଷ ୮୦ ଦିନ ନେଇଥିଲେ।

ସମ୍ବନ୍ଧିତ ଖବର