ଭିସା ପ୍ରସଙ୍ଗ: ସିଏସ୍‌କେ ପ୍ରଥମ ମ୍ୟାଚ୍‌ରୁ ବଞ୍ଚିତ ହେବେ ମୋଇନ୍‌

ମୁମ୍ବାଇ: ଭିସା ପ୍ରସଙ୍ଗକୁ ନେଇ ଇଂଲଣ୍ଡ ଅଲ୍‌ରାଉଣ୍ଡର ମୋଇନ୍‌ ଅଲ୍ଲୀ ଆଗାମୀ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ପ୍ରଥମ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ। ମୋଇନ୍‌ ଏବେବି ଭାରତୀୟ ଭିସା ପାଇନଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଫ୍ରାଞ୍ଚାଇଜ୍‌ର ସିଏସ୍‌କେ ସିଇଓ କାଶୀ ବିଶ୍ବନାଇନ୍‌ ସ୍ପଷ୍ଟ କରିଛନ୍ତି। ଆମେ ବିସିସିଆଇ ସହ ଯୋଗାଯୋଗରେ ରହିଛୁ। ଆଉ ଦିନେ ବା ଦୁଇ ଦିନ ମଧ୍ୟରେ ମୋଇନ୍‌ ଭିସା ପାଇଯିବାର ସମ୍ଭାବନା ରହିଛି। ହେଲେ ସେ ପ୍ରଥମ ମ୍ୟାଚ୍‌ ଖେଳିପାରିବେନି। ସେଥିପାଇଁ ଆମେ ନିରାଶ ହୋଇଛୁ। ମାତ୍ର ତାଙ୍କର ପାକିସ୍ତାନ ସଂପୃକ୍ତି ଯୋଗୁଁ ଭିସା ମିଳିବାରେ ବିଳମ୍ବ ହେଉଛି। ତାଙ୍କ ଜେଜେ ବାପା ପାକିସ୍ତାନ ଅଧିକୃତ କାଶ୍ମୀରରୁ ଇଂଲଣ୍ଡ ସ୍ଥାନାନ୍ତର ହୋଇଥିଲା ବେଳେ ମୋଇନ୍‌ କିନ୍ତୁ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ସେ ମଧ୍ୟ ଭାରତକୁ ବହୁବାର ଗସ୍ତ କରିଛନ୍ତି। ଏହାସତ୍ତ୍ବେ ତାଙ୍କ ପରିବାରର ପାକ୍‌ ସଂପୃକ୍ତି ଯୋଗୁଁ ଭିସା ମିଳିବାରେ ବିଳମ୍ବ ହେଉଥିବାରୁ ସିଏସ୍‌କେ ପ୍ରଥମ ମ୍ୟାଚ୍‌ରେ ମୋଇନ୍‌ଙ୍କ ସେବାରୁ ବଞ୍ଚିତ ହେବ ବୋଲି ବିଶ୍ବନାଥନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର