ଯୁବ ଖେଳାଳିଙ୍କ ପ୍ରଦର୍ଶନ ମନ ଛୁଇଁଛି -ଭିଭିଏସ୍ ଲକ୍ଷ୍ମଣ

ଅଧିକାଂଶ କ୍ରିକେଟ୍‌ପ୍ରେମୀଙ୍କ ଭଳି ମୁଁ ମଧ୍ୟ ଆଶା କରିଥିଲି ଯେ ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ। ହେଲେ ଭାରତ ତିନିଟି ଯାକ ମ୍ୟାଚ୍ ସହଜରେ ଜିତିନେବାରୁ ଆଉ ଏକ ଏକତରଫା ଶୃଙ୍ଖଳା ଦେଖିବାକୁ ମିଳିଲା। ପରିବେଶ ଏବଂ ପରିସ୍ଥିତି‌ ଅନୁଯାୟୀ ନିଜକୁ ଖାପ ଖୁଆଇବାର ଦକ୍ଷତା ହିଁ ସବୁବେଳେ ନିର୍ଣ୍ଣାୟକ ସାବ୍ୟସ୍ତ ହୁଏ ବୋଲି ଏହି ଶୃଙ୍ଖଳାରୁ ପୁଣି ଥରେ ପ୍ରମାଣ ହେଲା। ଏ କ୍ଷେତ୍ରରେ ଇଣ୍ଡିଜଠାରୁ ଭାରତ ଢେର ଆଗରେ ରହିଲା। ମୁଁ କହିବି ଇଣ୍ଡିଜ୍ ପାଇଁ ଏହା ଏକ ଧାରାରେ ପରିଣତ ହେଲାଣି। ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ଏହି ଦଳ ପାଇଁ ନିକଟ ଅତୀତରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶୃଙ୍ଖଳାର ତିନିଟି ଯାକ ମ୍ୟାଚ୍‌ରେ ବ୍ୟବହୃତ ହୋଇଥିବା ପିଚ୍ ବ୍ୟାଟିଂ ପାଇଁ ଉପଯୋଗୀ ନଥିଲା। ଫଳରେ ଇଣ୍ଡିଜ୍ ଖେଳାଳିମାନେ ନିଜ ସ୍ବାଭାବିକ ଖେଳ ଖେଳି ପାରି ନଥିଲେ। ଭାରତ କିନ୍ତୁ ତୁଳନାତ୍ମକ ଭାବେ ଭଲ ଖେଳିଲା। ଏହି ଶୃଙ୍ଖଳାରେ ଭାରତୀୟ ଯୁବ ଖେଳାଳିଙ୍କ ସଫଳତା ମୋତେ ସର୍ବାଧିକ ଖୁସୀ ଦେଇଛି। ବିଶେଷକରି ଭାରତୀୟ ଯୁବ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ମୋ ମନକୁ ଛୁଇଁ ଯାଇଛି। ନଭଦୀପ ସଇନି, କ୍ରୁନାଲ ପାଣ୍ଡ୍ୟା ଓ ଦୀପକ ଚହର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଉଜ୍ଜ୍ବଳ ବୋଲି ଦର୍ଶାଇଛି। ବଡ଼ କଥା ହେଲା ପୂରା ଶୃଙ୍ଖଳାରେ ଏହି ଖେଳାଳିମାନଙ୍କ ଆତ୍ମବିଶ୍ବାସ ଢେର ଉଚ୍ଚରେ ଥିଲା। ସେମାନେ ନିଜ ଦକ୍ଷତା ମୁତାବକ ଖେଳ ଖେଳିଥିଲେ। ସଇନି ନିଜ ଶକ୍ତି ମୁତାବକ ଗତି, ଚହର ସୁଇଂ ଏବଂ କ୍ରୁନାଲ ଚତୁରତା ଉପରେ ଧ୍ୟାନ ଦେଇଥିଲେ। କ୍ରୁନାଲଙ୍କୁ ଏକଦିବସୀୟ କ୍ରିକେଟ୍‌ରେ ମଧ୍ୟ ସୁଯୋଗ ମିଳୁ ବୋଲି ମୁଁ ଚାହୁଁଛି। ମୋ ମତରେ ସେ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ସହ ପୂରା ୧୦ ଓଭର ବୋଲିଂ କରି ପାରିବେ। ଯଶପ୍ରୀତ ବୁମରା ଏବଂ ଭୁବନେଶ୍ବର କୁମାରଙ୍କ ଉପରେ ସବୁବେଳେ ନିର୍ଭରଶୀଳ ରହିବା ମଧ୍ୟ ଭଲ କଥା ନୁହେଁ। ଭାରତ ପାଖରେ ବିକଳ୍ପର ଅଭାବ ନାହିଁ ବୋଲି ଏହି ଶୃଙ୍ଖଳାରୁ ସ୍ପଷ୍ଟ ହୋଇଗଲା। ଋଷବ ପନ୍ତ ମଧ୍ୟ ପ୍ରଶଂସାର ପାତ୍ର। ପୂର୍ବ ଭୁଲରୁ ଶିକ୍ଷା ଲାଭ କରି ତୃତୀୟ ତଥା ଶେଷ ମ୍ୟାଚ୍‌ରେ ସେ ବିଜୟୀ ପାଳି ଖେଳିଲେ। ମୌଳିକତା ଉପରେ ଧ୍ୟାନ ଦେଇ ହିଁ ପନ୍ତ ସଫଳ ହେଲେ। ଯୁବ ଖେଳାଳିଙ୍କଠାରୁ ଆପଣ ଠିକ୍ ଏହା ହିଁ ଆଶା କରନ୍ତି। ଅବଶ୍ୟ ଯୁବ ଖେଳାଳିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପରିପକ୍ବ ହେବା ଲାଗି ସେମାନଙ୍କୁ ନିୟମିତ ସୁଯୋଗ ମିଳିବା ଦରକାର। ଏହି ଶୃଙ୍ଖଳାର ଫଳାଫଳ ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ ପାଇଁ ନିଶ୍ଚିତ ଭାବେ ଏକ ଭଲ ଖବର।

ସମ୍ବନ୍ଧିତ ଖବର