ରୋହିତ ନୁହେଁ, ଭାରତର ଏହି ଖେଳାଳିଙ୍କୁ ବୀରେନ୍ଦ୍ର ସେହେଓ୍ଵାଗଙ୍କ ସହ ତୁଳନା କଲେ ଭିଭିଏସ୍‌ ଲକ୍ଷ୍ମଣ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ଇତିହାସ ରଚିଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୪୦୦ରୁ ଅଧିକ ରନ୍‌ କଲା ପରେ ବି ଭାରତ ଠାରୁ ପରାସ୍ତ ହୋଇଛି। ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ପ୍ରଥମ ପାଳିରେ ଦ୍ୱିଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ଵାଲଙ୍କ ବହୁତ ପ୍ରଶଂସା କରିଛନ୍ତି।

ଲକ୍ଷ୍ମଣଙ୍କ ଦୃଷ୍ଟିରେ ୨୮ ବର୍ଷିଅ ମୟଙ୍କ ଅଗ୍ରଓ୍ଵାଲ୍‌ଙ୍କ ବ୍ୟାଟିଂ ଶୈଳୀ ବୀରେନ୍ଦ୍ର ସେହେଓ୍ଵାଗଙ୍କ ଭଳି। ମୟଙ୍କ ମାନସିକ ଭାବେ ଯେତିକି ଦୃଢ଼ମନା ସେ ସେତିକି ନିର୍ଭୟରେ ଖେଳିଥାନ୍ତି। ଏହି ମ୍ୟାଚ୍‌ରେ ଅଗ୍ରଓ୍ଵାଲ ପ୍ରଥମ ପାଳିରେ ୨୧୫ ରନ୍‌ କରିଥିଲେ। ଭାରତ ପ୍ରଥମ ପାଳିରେ ୫୦୨ କରିଥିଲା। ରୋହିତ ଶର୍ମା ପ୍ରଥମ ପାଳିରେ ୧୭୬ ରନ୍‌ ଓ ଦ୍ୱିତୀୟ ପାଳିରେ ୧୨୭ ରନ୍‌ କରିଥିଲେ।

ଲକ୍ଷ୍ମଣ କହିଛନ୍ତି, ମୟଙ୍କ ଅଗ୍ରଓ୍ଵାଲ ଜଣେ ମଜବୁତ ବ୍ୟାଟ୍‌ସମ୍ୟାନ୍‌ ଏବଂ ସେ ଘରୋଇ କ୍ରିକେଟ ଷ୍ଟାଡିୟମ୍‌ରେ ଭଲ ଖେଳିପାରୁଛନ୍ତି। ଜଣେ ଖେଳାଳିଙ୍କ ପାଇଁ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ ଭିନ୍ନ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାଏ। ମୟଙ୍କ କିନ୍ତୁ ଉଭୟ ଫର୍ମାଟରେ ଖେଳିପାରିବେ। କାରଣ ସେ ମାନସିକ ଭାବେ ଏଥିପାଇଁ ପ୍ରସ୍ତୁତ ଥାଆନ୍ତି। ସେ (ମୟଙ୍କ) ବୀରେନ୍ଦ୍ର ସେହେଓ୍ଵାଗଙ୍କ ଭଳି ନିର୍ଭୟରେ ଖେଳିଥାନ୍ତି। କର୍ଣ୍ଣାଟକର ଏହି ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମାଙ୍କ ସହ ପ୍ରଥମ ଓ୍ଵିକେଟ୍‌ରେ ୩୧୭ ରନ୍‌ କରି ଭାରତକୁ ଏକ ମଜବୁତ ସ୍ଥିତିରେ ପହଂଚାଇଥିଲେ।

ସମ୍ବନ୍ଧିତ ଖବର