୨୦୧୭ରେ ମମତା, ୨୦୧୮ରେ ଭାରତୀ-ରାଧା ଓ ୨୦୧୯ରେ ସଜନୀ: କୁମ୍ଭୀର ସହ ଲଢ଼ି ବଞ୍ଚାଇଲେ ଜୀବନ

ରାଜକନିକା: କୁମ୍ଭୀର ମୁହଁରୁ ନିଜକୁ ବଞ୍ଚାଇ ଚର୍ଚ୍ଚା ପାଲଟିଛନ୍ତି କେନ୍ଦ୍ରାପଡ଼ାର ସାହସିନୀ ମହିଳା। ରାଜକନିକା ବ୍ଲକ ଅନ୍ତର୍ଗତ ଖୁଣ୍ଟା ଗାଁର ଜଣେ ମହିଳା ତାଙ୍କର ସାହସ ପାଇଁ କୁମ୍ଭୀର ମୁହଁରୁ ନିଜକୁ ବଞ୍ଚାଇ ପାରିଛନ୍ତି।  ମହିଳାଙ୍କ ନାମ ସଜନୀ ମଳ୍ଲିକ। ବୟସ ୪୦। ସୋମବାର ସଜନୀ ବିଲରେ କାମ ସାରି ମଧ୍ୟାହ୍ନ ଭୋଜନ ପରେ ଖୁଣ୍ଟା ଜୋର୍‌କୁ ବାସନ ଧୋଇବାକୁ ଯାଇଥିଲେ। ସେହି ଜୋରରେ ଥିବା ଏକ କୁମ୍ଭୀର ତାଙ୍କ ବାଁ ଗୋଡ଼କୁ ଜାବୁଡ଼ି ଧରିଥିଲା। ମହିଳା ନିଜର ବଳ ପ୍ରୟୋଗ କରି କୁମ୍ଭୀର ମୁହଁରୁ ତାଙ୍କ ଗୋଡ଼କୁ କାଢ଼ି ଆଣିଛନ୍ତି। ଘଟଣା ଘଟିବା ପରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଛି। ମହିଳା ଏବେ ବିପଦ ଶୂନ୍ୟ ଅଛନ୍ତି।

ଏପରି ଘଟଣା ରାଜ୍ୟରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏହିପରି ଅନେକ ସାହସିକତାର ଉଦାହରଣ ରହିଛି। ୨୦୧୭ ମସିହାରେ ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶ ପଥ ନିକଟରେ ରାଜନଗର ବ୍ଲକସ୍ଥିତ ଡାଙ୍ଗମାଳ ପଞ୍ଚାୟତର ବାଙ୍କୁଆଳ ଗାଁର ଜଣେ ବାଳିକାଙ୍କୁ କୁମ୍ଭୀର ଟାଣି ନେଇଥିବା ବେଳେ କୁମ୍ଭୀର ସହ କସରତ କରି ବଡ଼ ଭଉଣୀକୁ ମରଣ ମୁହଁରୁ ବଞ୍ଚାଇ ମୁଖ୍ୟମନ୍ତ୍ରୀଙ୍କଠାରୁ ସାହସିକତା ପୁରସ୍କାର ପାଇଛନ୍ତି ମମତା।

ସେହିପରି ୨୦୧୮ ମସିହାରେ କେନ୍ଦ୍ରାପଡ଼ାର ମହାକାଳପଡ଼ା ଅଞ୍ଚଳରେ ଜଣେ ଯୁବକ କୁମ୍ଭୀର କବଳରେ ପଡ଼ିଥିବା ବେଳେ ଗ୍ରାମର ଦୁଇ ଜଣ ମହିଳା ଭାରତୀ ଓ ରାଧା ଟେକାପଥର ମାଡ଼ ମାରି କୁମ୍ଭୀର ମୁର୍ହରୁ ଯୁବକଙ୍କୁ ବଞ୍ଚାଇ ବିଭିନ୍ନ ଆଡୁ ପ୍ରଶଂସିତ ହୋଇଥିଲେ।

ସମ୍ବନ୍ଧିତ ଖବର