ପ୍ୟାରିସ୍: ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଫ୍ରେଞ୍ଚ୍ ଓପନ୍ର ଦୁଇ ଦିନ ମଧ୍ୟରେ ତିନିଟି ବୃହତ୍ ବିପର୍ଯ୍ୟୟ ଘଟିଛି। ଗତଥରର ମହିଳା ଏକକ ବିଜୟିନୀ ଜେଲେନା ଓସ୍ତାପେଙ୍କୋ, ପୂର୍ବତନ ପୁରୁଷ ଏକକ ବିଜେତା ଷ୍ଟାନ୍ ଓ୍ଵାରିଙ୍କା ଏବଂ ପୂର୍ବତନ ଶୀର୍ଷ ମାନ୍ୟତା ମହିଳା ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ଏକକ ବର୍ଗରେ ପ୍ରଥମ ରାଉଣ୍ଡ୍ ପରାଜୟ ସହ ସଅଳ ବିଦାୟ ନେଇଛନ୍ତି। ତିନିଜଣ ଯାକ ନିଜ ନିଜର ପ୍ରଥମ ରାଉଣ୍ଡ୍ ମୁକାବିଲା ହାରି ଦୁଃଖଦ ବିଦାୟ ନେଇଛନ୍ତି। ବିଶ୍ୱ ମାନ୍ୟତାର ପଞ୍ଚମ ଓସ୍ତାପେଙ୍କୋ ରୋଲାଁ ଗ୍ୟାରସ୍ରେ ରବିବାର ମହିଳା ଏକକ ପ୍ରଥମ ରାଉଣ୍ଡ୍ରେ ୟୁକ୍ରେନ୍ ପ୍ରତିଦ୍ୱନ୍ଦ୍ୱୀ କାଟାରିନା କୋଜ୍ଲୋଭାଙ୍କ ନିକଟରୁ ସିଧାସଳଖ ୫-୭ ଓ ୩-୬ ସେଟ୍ରେ ହାରି ଯାଇଛନ୍ତି। ଏଥି ସହିତ ଓସ୍ତାପେଙ୍କୋ ଷଷ୍ଠ ମହିଳା ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ଭାବେ ପ୍ରଥମ ରାଉଣ୍ଡ୍ ହାରିବାର ନିଆରା କୀର୍ତିମାନ ପାଇଛନ୍ତି। ଶେଷଥର ପାଇଁ ୨୦୦୫ରେ ଆନାସ୍ତେସିଆ ମିସ୍କିନାଙ୍କ ପରେ ଫ୍ରେଞ୍ଚ୍ ଓପନ୍ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏହାର ମହିଳା ବିଜୟିନୀଙ୍କୁ ଆରମ୍ଭରୁ ପରାଜୟ ଦେଖିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଓସ୍ତାପେଙ୍କୋଙ୍କ ପୂର୍ବରୁ ମିସ୍କିନା, ଷ୍ଟେଫି ଗ୍ରାଫ୍, ଜେନିଫର କାପ୍ରିଆତି, ସ୍ୱେତଲାନା କୁଜେଁତ୍ସୋଭା ଏବଂ ଆଞ୍ଜେଲିକ୍ କେର୍ବର ଗ୍ରାଣ୍ଡ୍ ସ୍ଲାମ୍ ଜିତିବାର ପରବର୍ଷ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଥିଲେ। ସେହିପରି ଆଜାରେଙ୍କା ସୋମବାର ପ୍ରଥମ ରାଉଣ୍ଡ୍ ଖେଳିଥିଲା ବେଳେ କାଟେରିନା ସିନିଆକୋଭାଙ୍କ ନିକଟରୁ ହାରିଗଲେ। ତାଙ୍କୁ ସିଧାସଳଖ ୭-୫ ଓ ୭-୫ ସେଟ୍ରେ ପରାସ୍ତ କରି ବେଲାରୁଷ ଲଲନା ସିନିଆକୋଭା ଆରମ୍ଭରୁ ବିଦାୟ ରାସ୍ତା ଦେଖାଇଦେଲେ। ଫଳରେ ଦୁଇ ଥର ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିବା ଆଜାରେଙ୍କା ଗତ ୫ ବର୍ଷ ମଧ୍ୟରେ ରୋଲାଁ ଗ୍ୟାରସ୍ରେ ମାତ୍ର ଦୁଇଟି ମ୍ୟାଚ୍ ଜିତିପାରିଛନ୍ତି। ଅନ୍ୟ ମହିଳା ଏକକ ମୁକାବିଲାରେ ଅଷ୍ଟମ ମାନ୍ୟତା ପେଟ୍ରା କ୍ୱିତୋଭା, ତ୍ରୟୋଦଶ ମାନ୍ୟତା ମାଡିସନ୍ କେୟସ୍, ଚତୁର୍ଦଶ ମାନ୍ୟତା ଦାରିୟା କାସାତ୍କିନା, ପଞ୍ଚଦଶ ମାନ୍ୟତା କୋକୋ ଭାନ୍ଦେେଓ୍ଵଘା, ଉନ୍ନବିଂଶ ମାନ୍ୟତା ମାଗ୍ଦାଲିନା ରିବାରିକୋଭା, ୨୧ତମ ମାନ୍ୟତା ନାଓମି ଓସାକା, ୨୩ତମ ମାନ୍ୟତା କାର୍ଲା ସୁଆରେଜ୍ ନାଭାରୋ ସିଧାସଳଖ ସେଟ୍ ବିଜୟ ସହ ପ୍ରଥମ ରାଉଣ୍ଡ୍ ଅତିକ୍ରମ କରିଛନ୍ତି। ସେହପରି ଦ୍ୱିତୀୟ ମାନ୍ୟତା ଡେନ୍ମାର୍କର କାରୋଲିନେ ଓ୍ଵଜନିଆକି ୭-୬, ୬-୧ ସେଟ୍ରେ ଆମେରିକାର ଡାନିଏଲ୍ ରୋଜ୍ କଲିନ୍ସଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି।
ତେବେ ପୁରୁଷ ଏକକରେ ପୂର୍ବ ବିଜେତା ଓ୍ଵାରିଙ୍କା ୫ ସେଟ୍ ଲଢ଼େଇ କରି ହାର୍ ମାନିଥିଲେ। ଗତଥର ଫାଇନାଲ୍ରେ ରାଫେଲ ନାଦାଲଙ୍କଠୁ ହାରିଥିବା ଏବଂ ୨୦୧୫ରେ ବିଜେତା ହୋଇଥିବା ଓ୍ଵାରିଙ୍କା ଏଥର ରୋଲାଁ ଗ୍ୟାରସ୍ରେ ସୋମବାର ପ୍ରଥମ ରାଉଣ୍ଡ୍ରେ ଗୁଏଲେର୍ମୋ ଗାର୍ସିଆ ଲୋପେଜ୍ଙ୍କୁ ଭେଟିଥିଲେ। ଉଭୟଙ୍କ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ହେଲେ ସ୍ପେନ୍ ତାରକା ଲୋପେଜ୍ ୨-୬, ୬-୩, ୬-୪, ୬-୭ ଓ ୩-୬ ସେଟ୍ରେ ଓ୍ଵାରିଙ୍କାଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କଲେ। ଅନ୍ୟପକ୍ଷରେ ସପ୍ତମ ମାନ୍ୟତା ଡୋମିନିକ୍ ଥିମ୍, ଏକାଦଶ ମାନ୍ୟତା ଡିଏଗୋ ସ୍ୱ୍ଵାର୍ଜମ୍ୟାନ୍, ଦ୍ୱାଦଶ ମାନ୍ୟତା ସାମ୍ କ୍ୱେରି, ୨୦ତମ ମାନ୍ୟତା ନୋଭାକ୍ ଜୋକୋଭିକ୍ ଏବଂ ୨୯ତମ ମାନ୍ୟତା ରିଚାର୍ଡ ଗାସ୍କ୍ୱେଟ୍ ନିଜ ନିଜର ସିଧାସଳଖ ସେଟ୍ ବିଜୟ ସହ ପ୍ରଥମ ରାଉଣ୍ଡ୍ ଅତିକ୍ରମ କରି ଦ୍ୱିତୀୟ ରାଉଣ୍ଡ୍ରେ ସ୍ଥାନ ପକ୍କା କରିଛନ୍ତି।