ପାକିସ୍ତାନକୁ ଧୋଇଲା ଇଣ୍ଡିଜ୍, ଗେଲ୍‌ଙ୍କ ଛକା କୀର୍ତ୍ତିମାନ

ସର୍ଟ ପିଚ୍‌ରେ ବୁଡ଼ିଲା ପାକ୍

ନଟିଂହାମ: ଦୁଇଟି ଯାକ ଦଳ ଅସ୍ଥିର ଓ ଅପ୍ରତ୍ୟାଶିତ ପ୍ରଦର୍ଶନ ପାଇଁ ପରିଚିତ। ଶୁକ୍ରବାର କିନ୍ତୁ ୱେଷ୍ଟଇଣ୍ଡିଜ୍ ବୋଲର ନିଜ ଅସଲ ଚମକ ‌ଦେଖାଇଲେ। ଯୋଜନାବଦ୍ଧ ଭାବେ ସର୍ଟ ପିଚ୍ ଓ ବାଉନ୍ସରରେ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲେ। ଝଟ୍‌କା ଉପରେ ଝଟ୍‌କା ଦେଇ ଏହି ଦଳକୁ ୧୦୫ ରନ୍‌ରେ ଅଲଆଉଟ୍ କରିଦେଲେ। ଏହା ପରେ କ୍ରିସ୍ ଗେଲ୍ (୫୦ ରନ୍, ୩୪ ବଲ୍, ୬ ଚୌକା, ୩ ଛକା)ଙ୍କ କୀର୍ତ୍ତିମାନ ଭରା ଅର୍ଧଶତକ କମାଲରେ ୩୬.୨ ଓଭର ପୂର୍ବରୁ ବିଜୟୀ ହେଲେ। ପାକିସ୍ତାନକୁ ୭ ୱିକେଟ୍‌ରେ ଧୂଳି ଚଟାଇ ବିଶ୍ବକପ୍‌ ଅଭିଯାନର ଧମାକାଦାର ଆରମ୍ଭ କଲେ। ସେପଟେ ପାକିସ୍ତାନ ଏକଦିବସୀୟ କ୍ରିକେଟ୍‌ରେ ଲଗାତାର ଏକାଦଶ ପରାଜୟ ବରଣ କଲା।

ଅଶି ଦଶକର ଦୁର୍ଦ୍ଧର୍ଷ ଦଳ ୱେଷ୍ଟଇଣ୍ଡିଜ୍ ଚଳିତ ବିଶ୍ବକପ୍ ଅଭିଯାନର ପ୍ରଥମ ମୁକାବିଲାରେ ସହଜ ବିଜୟ ପାଇଛି। ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଯୁବ ବୋଲର ଓସାନେ ଥୋମାସ (୫.୪-୦-୨୭-୪)ଙ୍କ ନେତୃତ୍ବରେ ପାକିସ୍ତାନକୁ ଇଣ୍ଡିଜ୍ ମାତ୍ର ୨୧.୪ ଓଭରରେ ଅଲଆଉଟ୍ କରିଦେଇଥିଲା। ଅତ୍ୟନ୍ତ ଖରାପ ବ୍ୟାଟିଂ କରିଥିବା ପାକିସ୍ତାନ ଦ୍ବାଦଶ ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୦୫ ରନ୍ କରି ପାରିଥିଲା। ବିଶ୍ବକପରେ ପୂର୍ବ ବିଜେତା ପାକିସ୍ତାନର ଏହା ଦ୍ବିତୀୟ ସର୍ବନିମ୍ନ ଦଳଗତ ସ୍କୋର ଥିଲା। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ବିପକ୍ଷରେ ଆଡିଲେଡଠାରେ କରିଥିବା ୭୪ ରନ୍ ପାକିସ୍ତାନର ବିଶ୍ବକପରେ ସର୍ବନିମ୍ନ ଦଳଗତ ସ୍କୋର ହୋଇ ରହିଛି। ଆଜି ଇଣ୍ଡିଜ୍ ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିବା ପାକିସ୍ତାନ ଦୁଇ ଅଙ୍କରେ ସୀମିତ ରହିବାର ଦ୍ବାର ଦେଶରେ ଥିଲା। ହେଲେ ୨୨ ରନ୍‌ର ଦଶମ ୱିକେଟ୍ ଭାଗୀଦାରି ପାଇଁ କଷ୍ଟେମଷ୍ଟେ ୧୦୦ ଟପି ଯାଇଥିଲା। ଏହା ମଧ୍ୟ ପାକ୍ ପାଳିର ସର୍ବୋଚ୍ଚ ଭାଗୀଦାରି ଥିଲା। ସେପଟେ ୱେ‌ଷ୍ଟଇଣ୍ଡିଜ୍ ୨୧୮ ବଲ୍ ପୂର୍ବରୁ ବିଜୟୀ ହେବା ଏକ ବିଶ୍ବକପ୍ କୀର୍ତ୍ତିମାନ ଥିଲା। ବଲ୍ ବ୍ୟବଧାନରେ ପାକିସ୍ତାନର ବିଶ୍ବକପରେ ଏହା ସର୍ବବୃହତ୍ ପରାଜୟ ଥିଲା।

ସର୍ଟ ପିଚ୍‌ରେ ବୁଡ଼ିଲା ପାକ୍
ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତାକୁ ଠଉରାଇ ୱେଷ୍ଟଇଣ୍ଡିଜ୍ ବୋଲର ବାଉନ୍ସର ଏବଂ ସର୍ଟ ପିଚ୍ ବଲ୍‌କୁ ପ୍ରମୁଖ ଅସ୍ତ୍ର କରିଥିଲେ। ପାକିସ୍ତାନ ମଧ୍ୟ ଇଣ୍ଡିଜ ବିଛାଇଥିବା ଜାଲରେ ପୂରା ଫସି ଯାଇଥିଲା। ଦୁର୍ବଳ ସଟ୍ ଚୟନ ଏବଂ ବେପରୁଆ ବ୍ୟାଟିଂ ଏହି ଦଳ ପାଇଁ କାଳ ହୋଇଥିଲା। ୧୭ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଇମାମ-ଉଲ-ହକ୍ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଯିବା ଆସିବା ଲାଗି ରହିଥିଲା। ଓସାନେ ଥୋମାସ (୪/୨୭), ଜାସନ ହୋଲ୍ଡର (୩/୪୨), ସେଲଡନ୍ କୋଟ୍ରେଲ (୧/୧୮), ଓ ଆନ୍ଦ୍ରେ ରସେଲ (୨/୪)ଙ୍କ ଅଗ୍ନିବର୍ଷୀ ବୋଲିଂର ସମ୍ମୁଖୀନ କୌଣସି ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ହୋଇ ପାରି ନଥିଲେ। ଫକର ଜମନ ଓ ବାବର ଆଜମ ଯୁଗ୍ମ ସର୍ବାଧିକ ୨୨ ରନ୍ କରିଥିଲେ। ୬ ଜଣ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦଶମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ୱାହାବ ରିଆଜ ୧୧ ବଲ୍‌ରୁ ୧୮ ରନ୍ କରି ଦଳର ସମ୍ମାନ ରଖିଥିଲେ। କେବଳ ସର୍ଟ ପିଚ୍‌ ବଲ୍‌ରେ ହିଁ ପାକିସ୍ତାନର ୭ ଜଣ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଥିଲେ। ଫଳରେ ପାକିସ୍ତାନ ୨୧.୪ ଓଭରରେ ମାତ୍ର ୧୦୫ ରନ୍ କରି ପାରିଥିଲା। ଓସାନେ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ବି‌ବେଚିତ ହୋଇଥିଲେ। ପୂର୍ବରୁ ଇଣ୍ଡିଜ୍ ଅଧିନାୟକ ହୋଲ୍ଡର ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।

ଗେଲ୍‌ଙ୍କ ଛକା କୀର୍ତ୍ତିମାନ
୧୦୬ ରନ୍‌ର ବିଜୟ ଲକ୍ଷ୍ୟ ପାଇବା ପରେ ଇଣ୍ଡିଜ୍ ବୃହତ୍ ବିଜୟ ହାସଲ କରିବାର ସମ୍ଭାବନା ବଢ଼ି ଯାଇଥିଲା। ଛକା ମାଷ୍ଟର କ୍ରିସ୍ ଗେଲ୍ ମଧ୍ୟ ମାତ୍ର ୧୩.୪ ଓଭରରେ ନିଜ ଦଳକୁ ଏକତରଫା ବିଜୟ ଉପହାର ଦେଇଥିଲେ। ସାଇ ହୋପ୍ ୧୧ ଏବଂ ଡାରେନ୍ ବ୍ରାଭୋ ଖାତା ଖୋଲି ପାରି ନଥିଲେ। ତେବେ ନବାଗତ ତାରକା ନିକୋଲା‌ସ ପୂରନ (୩୪*ରନ୍, ୧୯ ବଲ୍, ୪ ଚୌକା, ୨ ଛକା) ଓ ଗେଲ୍ ପାକିସ୍ତାନ ବୋଲରଙ୍କୁ ଆଧିପତ୍ୟ ବିସ୍ତାର କରିବାକୁ ଦେଇ ନଥିଲେ। ୩୪ ବଲ୍‌ରୁ ଅର୍ଧଶତକ ହାସଲ କରିବା ପରେ ଗେଲ୍ ଆଉଟ୍ ହୋଇ ଯାଇଥିଲେ। ଅପରାଜିତ ପୂରନ ପାକ୍ ଦ୍ରୁତ ବୋଲର ୱାହବ ରିଆଜଙ୍କୁ ମିଡ୍‌ୱିକେଟ୍ ଉପରେ ଛକା ମାରି ୱେଷ୍ଟଇଣ୍ଡିଜକୁ ପ୍ରଥମ ମ୍ୟାଚ୍‌ରେ ହିଁ ଧମାକାଦାର ବିଜୟ ଉପହାର ଦେଇଥିଲେ। ଗେଲ୍ ଶୁକ୍ରବାର ଦିନିକିଆରେ ଲଗାତାର ଷଷ୍ଠ ଅର୍ଧଶତକ ହାସଲ କରିଥିଲେ। ୱେଷ୍ଟଇଣ୍ଡିଜ୍ ହରାଇଥିବା ତିନିଟି ଯାକ ୱିକେଟ୍ ମହମ୍ମଦ ଆମୀର ଅକ୍ତିଆର କରିଥିଲେ। ଗେଲ୍ ନିଜ ମ୍ୟାଚ୍ ବିଜୟୀ ପାଳିରେ ତିନିଟି ବିଶାଳ ଛକା ମାରିଥିଲେ। ତା’ ସହ ଏବି ଡି’ଭିଲିୟର୍ସଙ୍କୁ ଟପି ବିଶ୍ବକପରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ କରି ନେଇଥିଲେ। ଡି’ଭିଲିୟର୍ସ ୨୩ ମ୍ୟାଚ୍‌ରୁ ୩୭ ଛକା ମାରିଥିଲେ। ଗେଲ୍ ଏବେ ୪୦ ଛକାରେ ପହଞ୍ଚି ଯାଇଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୩୧ ଛକା, ୪୬ ମ୍ୟାଚ୍), ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକଲମ୍ (୨୯ ଛକା, ୩୪ ମ୍ୟାଚ୍) ଓ ଦକ୍ଷିଣ ଆଫ୍ରିକାର ହରଶ୍ଚେଲ ଗିବ୍ସ (୨୮ ଛକା, ୨୫ ମ୍ୟାଚ୍) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୨୭ ଛକା, ୪୫ ମ୍ୟାଚ୍) ଓ ଶ୍ରୀଲଙ୍କାର ସନଥ ଜୟସୁରିୟା (୨୭ ଛକା, ୩୮ ମ୍ୟାଚ୍) ଯୁଗ୍ମ ଷଷ୍ଠ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର