ବିଶ୍ବକପ୍‌ ସେମିଫାଇନାଲ୍‌ରେ ବର୍ଷା ହେଲେ କ’ଣ ହେବ

ବିଶ୍ବକପ୍‌ର ସେମିଫାଇନାଲ୍ ଏବଂ ଫାଇନାଲ୍ ପାଇଁ ଆଇସିସି ସଂରକ୍ଷିତ ଦିବସର ବ୍ୟବସ୍ଥା କରିଛି। ଏଣୁ ମଙ୍ଗଳବାର ଯଦି ବର୍ଷା ପାଇଁ ଆଦୌ ଖେଳ ହୋଇ ନପାରେ କିମ୍ବା ଅଧା ରହେ, ତେବେ ଏହାକୁ ବୁଧବାର ପୂରଣ କରାଯିବ। ଉଭୟ ଦିନରେ ଯଦି ମ୍ୟାଚ୍ ସଂପୂର୍ଣ୍ଣ ନହୁଏ, ତାହାଲେ ପଏଣ୍ଟ୍‌ ତାଲିକାର ଉଚ୍ଚ ସ୍ଥାନରେ ରହି ସେମିଫାଇନାଲ୍ ଖେଳିଥିବା ଦଳକୁ ବିଜୟୀ ଘୋଷଣା କରାଯିବ। ଏଭଳି ସ୍ଥିତିରେ ଭାରତ ଆଗକୁ ବଢ଼ିବ। ଲିଗ୍ ପର୍ଯ୍ୟାୟର ପ୍ରଥମ ସ୍ଥାନରେ ରହିଥିବାରୁ ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲ୍ ଆସିଥିବା ନ୍ୟୁଜିଲାଣ୍ଡ ବିଦାୟ ନେବ। ପ୍ରଥମ ଦିନରେ ମ୍ୟାଚ୍ ଟାଇ ରହିଲେ ସୁପରଓଭର ଜରିଆରେ ବିଜୟୀ ଦଳ ବଛାଯିବ। ପ୍ରଥମ ଦିନରେ ସୁପର ଓଭର ନହୋଇ ପାରିଲେ, ସଂରକ୍ଷିତ ଦିନରେ ଏହା ‌ଶେଷ ହେବ। ତେବେ ପ୍ରଥମ ଦିନରେ ହିଁ ମ୍ୟାଚ୍ ଶେଷ କରାଯିବାକୁ ସବୁଚେଷ୍ଟା କରାଯିବ। ଡକୱର୍ଥ/ଲୁଇସ୍ ନିୟମ ବ୍ୟବହାର କରି ଓଭରକୁ କମ୍ ବେଶି କରାଯିବ। ଏହା ସତ୍ତ୍ବେ ଯଦି ମ୍ୟାଚ୍ ଅସପୂର୍ଣ୍ଣ ରହେ, ସଂରକ୍ଷିତ ଦିବସ ଖେଳ ପ୍ରଥମ ଦିନର ଖେଳ ଯେଉଁଠାରେ ଅଟକି ଥିବ ସେହିଠାରୁ ହିଁ ଆରମ୍ଭ କରାଯିବ। ଚିନ୍ତାର କଥା ହେଉଛି, ମାଞ୍ଚେଷ୍ଟରରେ ମଙ୍ଗଳବାର ଭଳି ବୁଧବାର ମଧ୍ୟ ବର୍ଷା ହେବାର ପୂର୍ବାନୁମାନ ରହିଛି। ଫଳରେ ସଂରକ୍ଷିତ ଦିବସକୁ ମ୍ୟାଚ୍ ଗଲେ, ସେଠାରେ ମଧ୍ୟ ଏହା ବାଧାପ୍ରାପ୍ତ ହୋଇପା‌ରେ। ସଂଯୋଗବଶତଃ ଭାରତ-ନ୍ୟୁଜିଲାଣ୍ଡ ଲିଗ୍ ମ୍ୟାଚ୍ ଲଗାଣ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ସେ‌ତେବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ ବାଣ୍ଟିଥିଲେ। ସେମିଫାଇନାଲ୍‌ରେ କିନ୍ତୁ ଏହି ନୀତି ବଦଳିବ। ନିର୍ଧାରିତ ନୀତି ନିୟମରେ ଫାଇନାଲିଷ୍ଟ ନିର୍ଣ୍ଣୟ ହେବ।

ସମ୍ବନ୍ଧିତ ଖବର