ଆଇପିଏଲ୍ ଆଉ ୨ ଦିନ : ଏଥର ଅରେଞ୍ଜ କ୍ୟାପ ହାସଲ କରିପାରନ୍ତି ଏହି ବ୍ୟାଟସମ୍ୟାନ୍, ଜାଣନ୍ତୁ କିଏ ଅଛନ୍ତି ଦୌଡ଼ରେ…

ନୂଆଦିଲ୍ଲୀ:  ଆଇପିଏଲ ଆରମ୍ଭ ହେବାକୁ  ଆଉ ମାତ୍ର ୨ ଦିନ ରହିଛି । ଏହାର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଖେଳାଯିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପରକୁ ଭେଟିବେ । ତେବେ ଚଳିତ ବର୍ଷ କେଉଁ ବ୍ୟାଟସମ୍ୟାନ୍ ସର୍ବାଧିକ ସ୍କୋର କରିବା ସହ ଧମାକାଦାର ପ୍ରଦର୍ଶନ ଜରିଆରେ ‘ଅରେଞ୍ଜ କ୍ୟାପ’ ହାସଲ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । ତେବେ ଏହି ରେସରେ ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲ ଭଳି ଖେଳାଳି ସାମିଲ ଅଛନ୍ତି ।

ବିରାଟ କୋହଲି
ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋରର କ୍ୟାପଟେନ ବିରାଟ କୋହଲି ଅରେଞ୍ଜ କ୍ୟାପର ପ୍ରମୁଖ ଦାବିଦାର ରହିଛନ୍ତି । ସେ ଖରାପ ପରିସ୍ଥିତିରେ ମଧ୍ୟ ଦଳକୁ ବିଜୟୀ କରାଇବାର ଦକ୍ଷତା ରଖିଛନ୍ତି । ହେଲେ ଆଇପିଏଲର କୌଣସି ସିଜିନ ତାଙ୍କ ପାଇଁ ଭଲ ରହିନାହିଁ । ବିରାଟ କୌଣସି ସିଜିନରେ ବି ଦଳକୁ ଚାମ୍ପିୟନ କରାଇବାରେ ସଫଳ ହୋଇନାହାନ୍ତି । ତେବେ ଏଥର ତାଙ୍କ ପାଖରେ ଭଲ ସୁଯୋଗ ରହିଛି । ସେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ତେବେ ଏଥର ସେ ଭଲ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବା ସହ ଅରେଞ୍ଜ କ୍ୟାପ ଅଧିକାରୀ ମଧ୍ୟ ହୋଇପାରନ୍ତି ।

ଡେଭିଡ ୱାର୍ଣ୍ଣର
ସନରାଇଜର ହାଇଦ୍ରାବାଦର ଏହି ଦକ୍ଷ ଖେଳାଳି ୩ଟି ସିଜିନରେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇସାରିଛନ୍ତି । ନିକଟରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭଲ ଫର୍ମରେ ନଜର ଆସିଥିଲେ ଡେଭିଡ ୱାର୍ଣ୍ଣର । ସେ ଟି-୨୦ରେ ଆକ୍ରାମଣାତ୍ମକ ସଟ୍ ଖେଳିବାରେ ମାହିର ଅଟନ୍ତି । ଏଥର ୱାର୍ଣ୍ଣର ମଧ୍ୟ ଅରେଞ୍ଜ କ୍ୟାପ ହାସଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରୋହିତ ଶର୍ମା
ରୋହିତ ଶର୍ମା ଆଇପିଏଲର ସବୁଠାରୁ ସଫଳ କ୍ୟାପଟେନ । ସେ ନିଜ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଥର ଟାଇଟଲ ହାସଲ କରାଇବାର ସଫଳତା ଦେଇଛନ୍ତି । ବଡ ବଡ ସଟ୍ ଖେଳି ଦଳକୁ ବିଜୟୀ କରାଇବାର ଦକ୍ଷତା ମଧ୍ୟ ସେ ରଖିଛନ୍ତି । ତେଣୁ ଦଳ ତାଙ୍କ ଉପରେ ପୂରା ଭରସା ରଖିଛି । ଏଥର ଅଭ୍ୟାସ ବେଳେ ମଧ୍ୟ ଭଲ ସଟ୍ ଖେଳିବାର ନଜର ଆସିଛନ୍ତି ରୋହିତ ଶର୍ମା । ତେଣୁ ଅରେଞ୍ଜ କ୍ୟାପ ପାଇଁ ତାଙ୍କ ନାଁ ଚର୍ଚ୍ଚା ହେଉଛି ।

ଜୋସ୍ ବଟଲର
ଏଥର ରାଜସ୍ଥାନ ରୟାଲ୍ସକୁ ବିଜୟ ଦ୍ୱାରରେ ପହଞ୍ଚାଇ ପାରନ୍ତି ଜୋସ ବଟଲର । ଟି-୨୦ରେ ତାଙ୍କ ରେକର୍ଡ ମଧ୍ୟ ବେଶ୍ ବଢ଼ିଆ ରହିଛି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି । ତେବେ ଗତ ଆଇପିଏଲରେ ମଧ୍ୟ ସେ ରାଜସ୍ଥାନ ପାଇଁ ଭଲ ଖେଳିଥିଲେ । ହେଲେ ଦଳକୁ ସଫଳତା ଦେଇପାରି ନଥିଲେ । ହେଲେ ଦଳ ଏଥର ପୂରା ରଣନୀତି ସହ ପଡିଆକୁ ଓହ୍ଲାଇବ । ଏହାସହ ବଟଲର ମଧ୍ୟ ତାଙ୍କ ଭଲ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବା ସହ ଅରେଞ୍ଜ କ୍ୟାପ ହାସଲ କରିବେ ।

କେ ଏଲ ରାହୁଲ
କିଙ୍ଗସ୍ ଇଲେଭେନ ପଞ୍ଜାବର ଅଧିନାୟକ କେ ଏଲ ରାହୁଲ ଗତ ବର୍ଷ ଅରେଞ୍ଜ କ୍ୟାପ ଦୌଡରେ ୱାର୍ଣ୍ଣରଙ୍କ ପଛରେ ରହିଥିଲେ । ତେବେ ଏଥର ମଧ୍ୟ ସେ ଅରେଞ୍ଜ କ୍ୟାପ ଦୌଡରେ ରହିପାରନ୍ତି ବୋଲି କୁହାଯାଉଛି । ପଞ୍ଜାବ ହେଉ କି ଟିମ୍ ଇଣ୍ଡିଆ ରାହୁଲ ସବୁ ସ୍ଥାନରେ ଖେଳି ସଫଳତା ପାଇଛନ୍ତି । ଏଥର ସେ ନିଜେ ପଞ୍ଜାବର କ୍ୟାପଟେନ ହୋଇଛନ୍ତି । ତେଣୁ ପୂରା ରଣନୀତି ସହ ସେ ଦଳକୁ ବିଜୟୀ କରାଇବେ ବୋଲି ଦଳ ଭରସା ରଖିଛି ।

ସମ୍ବନ୍ଧିତ ଖବର