ଅଷ୍ଟ୍ରେଲିଆ ଗସ୍ତରେ ବିଜୟଧାରା ଜାରି: ଦ୍ବିତୀୟ ମ୍ୟାଚ୍‌ ୩-୦ରେ ଜିତିଲା ଭାରତ

ପର୍ଥ: ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ହକି ଦଳର ବିଜୟଧାରା ଜାରି ରହିଛି। ବୁଧବାର ପ୍ରଥମ ମ୍ୟାଚ୍‌ରେ ପଶ୍ଚିମ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ଶୁକ୍ରବାର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ଏ ଦଳକୁ ୩-୦ରେ ହରାଇଛି। ଅଭିଜ୍ଞ ଡ୍ରାଗ୍‌ ଫ୍ଲିକର ରୂପୀନ୍ଦର ପାଲ୍‌ ସିଂହ ଷଷ୍ଠ ମିନିଟ୍‌ରେ ଭାରତ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିବା ପରେ ଯୁବ ଷ୍ଟ୍ରାଇକର୍‌ ସୁମିତ୍‌ କୁମାର ଜୁନିୟର ୧୨ ଓ ୧୩ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରି ଯୁଗଳ ସଫଳତା ବଳରେ ସହଜ ବିଜୟ ଭେଟି ଦେଇଥିଲେ। ଅଧିନାୟକ ମନ୍‌ପ୍ରୀତ୍‌ ସିଂହ ଏବଂ ଷ୍ଟ୍ରାଇକର୍‌ ଆକାଶଦୀପ୍‌ ସିଂହଙ୍କ ସହାୟତାରେ ସୁମିତ୍‌ କୁମାର ଯଥାକ୍ରମେ ଦୁଇଟିଯାକ ଗୋଲ୍‌ କରିଥିଲେ। ଭ୍ରମଣକାରୀ ଭାରତୀୟ ଦଳ ମ୍ୟାଚ୍‌ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା। ଯାହା ଫଳରେ ପ୍ରଥମ କ୍ବାର୍ଟରରେ ହିଁ ଘରୋଇ ଦଳ ଉପରେ ୩ ଗୋଲ୍‌ ଲଦି ଦେଇଥିଲା। ତେବେ ଅଷ୍ଟ୍ରେଲିଆ-ଏ ଦଳର ଚମତ୍କାର ପ୍ରତ୍ୟାବର୍ତନ ‌ଯୋଗୁଁ ଅବଶିଷ୍ଟ ୩ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା। ତଥାପି ଦ୍ବିତୀୟ କ୍ବାର୍ଟରରେ ହିଁ ଅଷ୍ଟ୍ରେଲିଆ ଦଳ ପେନାଲ୍‌ଟି କର୍ନର ଜରିଆରେ ଏକମାତ୍ର ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଭାରତୀୟ ଗୋଲ୍‌ରକ୍ଷକ କୃଷ୍ଣ ପାଠକ ଏହାକୁ ନିସ୍ଫଳ କରିଦେଇଥିଲେ। ୩-୦ ବ୍ୟବଧାନର ବିଜୟକୁ ନେଇ ଭାରତୀୟ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ ଖୁସୀ ଅଛନ୍ତି। ପ୍ରଥମ କ୍ବାର୍ଟର ତୁଳନାରେ ଅବଶିଷ୍ଠ ତିନି କ୍ବାର୍ଟର ସଂଘର୍ଷପୂର୍ଣ୍ଣ ଥିଲା। ହେଲେ ଆମେ କୌଣସି ଗୋଲ୍‌ ବରଣ କରିନଥିବାରୁ ଖୁସୀ ବୋଲି କହିଛନ୍ତି ରିଡ୍‌। କ୍ରମାଗତ ଦୁଇଟି ବିଜୟ ପରେ ଏବେ ଭାରତୀୟ ଦଳ ତୀୟ ମ୍ୟାଚ୍‌ ଆସନ୍ତା ସୋମବାର ଖେଳିବ। ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆ ବରିଷ୍ଠ ଦଳ ସହ ଖେଳିବାକୁ ଥିବାରୁ ଭାରତ ପାଇଁ ପ୍ରକୃତ ପରୀକ୍ଷା ଅପେକ୍ଷା କରିଛି ବୋଲି ରିଡ୍‌ କହିଛନ୍ତି। ଅଷ୍ଟ୍ରେଲୀୟ ବରିଷ୍ଠ ଦଳରେ ୭ ଜଣ ଅନ୍ତର୍ଜାତୀୟ ତାରକା ଥିବାରୁ ଭାରତର ଶକ୍ତି ପରୀକ୍ଷା ହୋଇଯିବ ବୋଲି ରିଡ୍‌ କହିଛନ୍ତି।

ସମ୍ବନ୍ଧିତ ଖବର