ମହିଳା ହକି ଶିବିର ପାଇଁ ଟର୍ନରଙ୍କୁ ଆମନ୍ତ୍ରଣ

ବେଙ୍ଗାଲୁରୁ: ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ପ୍ରସ୍ତୁତି ନିମନ୍ତେ ହକି ଇଣ୍ଡିଆ ମହିଳା ହକି ଦଳର ଏକ ସ୍ବତନ୍ତ୍ର ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି। କେବଳ ଷ୍ଟ୍ରାଇକର୍‌ମାନଙ୍କୁ ନେଇ ଆୟୋଜିତ ଏହି ଶିବିର ବେଙ୍ଗାଲୁରୁ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ସେଣ୍ଟରରେ ଆସନ୍ତାକାଲିଠାରୁ ୮ ଦିନ ଧରି ଚାଲିବ। ତେବେ ଏହି ଶିବିରରେ ଯୋଗଦେବାକୁ ହକି ଇଣ୍ଡିଆ ଅଷ୍ଟ୍ରେଲୀୟ ତାରକା ଗ୍ଲେନ୍‌ ଟର୍ନରଙ୍କୁ ଆମନ୍ତ୍ରିତ କରିଛି। ଟର୍ନର ଶିବିରରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବେ। ୨୦୧୦ ଓ ୨୦୧୪ ବିଶ୍ବ କପ୍‌ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିବା ଟର୍ନର ଶୁକ୍ରବାର ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଶିବିରରେ ଆମ ଖେଳାଳିମାନେ ଟର୍ନରଙ୍କ ଅଭିଜ୍ଞତାର ଉପଯୋଗ କରିପାରିବେ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ କହିଛନ୍ତି। ଟର୍ନର ଜଣେ ଦକ୍ଷ ଷ୍ଟ୍ରାଇକର୍‌। ଜଣେ ଷ୍ଟ୍ରାଇକର୍‌ ଭାବେ ଦଳ ପାଇଁ ଗୋଲ୍‌ କରିବାର ସାମର୍ଥ୍ୟ ଟର୍ନରଙ୍କୁ ବେଶ୍‌ ଭଲ ଭାବେ ଜଣା। ତେଣୁ ଷ୍ଟ୍ରାଇକରମାନେ କିପରି ନିଜର ସ୍ଥାନରେ ଉନ୍ନତ ପ୍ରଦର୍ଶନ କରିପାରିବେ ସେ ନେଇ ଟର୍ନର ତାଙ୍କ ଅଭିଜ୍ଞତା ଶିବିରାର୍ଥୀଙ୍କୁ ବାଣ୍ଟିବେ। ଏହି ଶିବିର ପାଇଁ ଷ୍ଟ୍ରାଇକର୍‌ଙ୍କ ମଧ୍ୟରୁ ଅଧିନାୟିକା ରିତୁ ରାଣୀଙ୍କ ବ୍ୟତୀତ ୟୁଥ୍‌ ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ଲାଲ୍‌ରେମ୍‌ସିଆମି, ନଭ୍‌ନୀତ୍‌ କୌର, ନଭ୍‌ଜ୍ୟୋତ୍‌ କୌର, ରାଜ୍‌ୱିନ୍ଦର କୌର, ବନ୍ଦନା କାଟାରିଆ, ଓଡ଼ିଆ ଝିଅ ଅନୁପା ବାର୍ଲା, ପ୍ରିୟଙ୍କା ୱାଙ୍ଖେଡେ, ପ୍ରିତି ଦୁବେ, ମମ୍‌ତାଜ ଖାନ୍‌, ଜ୍ୟୋତି, ପୁନମ୍‌ ରାଣୀ ଓ ଲୀଲାବତୀ ମାଲାମାଡାଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର