ମହିଳା ଦିନିକିଆ: ୱେଷ୍ଟ୍‌ଇଣ୍ଡିଜ୍‌ଠୁ ୧ ରନ୍‌ରେ ହାରିଲା ଭାରତ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ): ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ୱେଷ୍ଟଇଣ୍ଡିଜ୍‌ ଓ ଭାରତ ଦିନିକିଆ ଶୃଙ୍ଖଳା ଆରମ୍ଭ ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଦିନିକିଆ ଶନିବାର ଖେଳାଯାଇଥିଲା। ଉତ୍କଣ୍ଠାପୂର୍ଣ୍ଣ ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ୧ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ହାରିଗଲା। ପ୍ରାରମ୍ଭିକ ବ୍ୟାଟର୍‌ ପ୍ରିୟା ପୂନିଆ (୭୫)ଙ୍କ ଅର୍ଧଶତକ ବେକାର ଯାଇଥିଲା ବେଳେ ଘରୋଇ ଦଳ ଅଧିନାୟିକା ଷ୍ଟିଫାନି ଟେଲର (୯୪ ରନ୍‌, ୨ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ। ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ରବିବାର ଖେଳାଯିବ।

ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ଟେଲର ୬ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର୍‌ ନତାସା ମ୍ୟାକ୍‌ଲିନ୍‌ (୫୧) ଓ ଚେଡିନ୍‌ ନେସନ୍‌ (୪୩)ଙ୍କ ବଳରେ ଘରୋଇ ଦଳ ୭ ୱିକେଟ୍‌ ବିନିମୟରେ ୨୨୫ ରନ୍‌ କରିଥିଲା। ଶିଖା ପାଣ୍ଡେ (୨/୩୮) ଓ ଦୀପ୍ତି ଶର୍ମା (୨/୪୧) ଭାରତ ପକ୍ଷରୁ ସଫଳ ବୋଲର ରହିଥିଲା ବେଳେ ଝୁଲଣ ଗୋସ୍ବାମୀ, ଏକ୍‌ତା ବିସ୍ତ ଓ ପୂନମ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

ଜବାବରେ ପ୍ରିୟା ପୂନିଆଙ୍କ ଅର୍ଧଶତକ ସାଙ୍ଗକୁ ସାଥୀ ପ୍ରାରମ୍ଭିକ ବ୍ୟାଟର୍‌ ଜେମିମା ରୋଦ୍ରିଗୁଏଜ୍‌ଙ୍କ ୪୧ ରନ୍‌ ଏବଂ ପ୍ରଥମ ୱିକେଟ୍‌ରେ ୭୮ ରନ୍‌ର ଭାଗୀଦାରୀ ବଳରେ ଭାରତ ଭଲ ସ୍ଥିତି ପାଇଥିଲା। ଏହାପରେ ପୁନମ୍‌ ରାଉତ (୨୨), ଅଧିନାୟିକା ମିତାଲି ରାଜ (୨୦), ଦୀପ୍ତି ଶର୍ମା (୧୯) ଓ ଝୁଲଣ ଗୋସ୍ବାମୀ (ଅପରାଜିତ ୧୪) ଲଢ଼ିବାରୁ ମ୍ୟାଚ୍‌ରେ ରୋମାଞ୍ଚ ଭରିଯାଇଥିଲା। ହେଲେ ଅଫ୍‌ ସ୍ପିନର ଅନିଶା ମହମ୍ମଦଙ୍କ ୪୬ ରନ୍‌ରେ ୫ ୱିକେଟ୍‌ ଏବଂ ଟେଲର ୩୦ ରନ୍‌ରେ ୨ ଓ ସାବିକା ଗଜ୍‌ନାବି ୨୫ ରନ୍‌ରେ ୨ ୱିକେଟ୍‌ ନେଇ ଭାରତକୁ ୨୨୪ ରନ୍‌ରେ ଆଉଟ୍‌ କରିଦେଇଥିଲେ। ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୮ ରନ୍‌ ଦରକାର ହେଉଥିଲା ବେଳେ ଅନିଶା ପ୍ରଥମ ଓ ଶେଷ ବଲ୍‌ରେ ଯଥାକ୍ରମେ ଏକ୍‌ତା ବିସ୍ତ (୦) ଓ ପୂନମ ଯାଦବ (୦)ଙ୍କୁ ଆଉଟ୍‌ କରିବାରୁ ଭାରତ ୬ ରନ୍‌ କରିପାରିଥିଲା। ଏଥି ସହିତ ୱେଷ୍ଟଇଣ୍ଡିଜ୍‌ ମାତ୍ର ୧ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା।

ଚର୍ଚ୍ଚାରେ ହର୍‌ମନ୍‌ପ୍ରୀତ୍‌ଙ୍କ କ୍ୟାଚ୍‌
ଭାରତୀୟ ଦଳ ମାତ୍ର ୧ ରନ୍‌ରେ ପ୍ରଥମ ଦିନିକିଆ ହାରିଯାଇଥିଲେ ମଧ୍ୟ ସାର୍‌ ଭିଭିଆନ୍‌ ରିଚାର୍ଡସ୍‌ ‌ଷ୍ଟାଡିୟମ୍‌ରେ ହର୍‌ମନ୍‌ପ୍ରୀତ୍‌ କୌର ଗୋଟିଏ ହାତରେ ନେଇଥିବା ଏକ ଦର୍ଶନୀୟ କ୍ୟାଚ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ବ୍ୟାଟିଂରେ ମାତ୍ର ୫ ରନ୍‌ କରିଥିବା ହର୍‌ମନ୍‌ପ୍ରୀତ୍‌ କ୍ଷେତ୍ରରକ୍ଷଣ ବେଳେ ଲଙ୍ଗ୍‌ ଅନ୍‌ ଅଞ୍ଚଳରେ ପ୍ରତିପକ୍ଷ ଅଧିନାୟିକା ଷ୍ଟିଫାନି ଟେଲରଙ୍କ ଯେଉଁ କ୍ୟାଚ୍‌ ନେଇଥିଲେ ତାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ‌ୱେଷ୍ଟଇଣ୍ଡିଜ୍‌ ପାଳିର ଶେଷ ଓଭରର ଶେଷ ବଲ୍‌ ପୂର୍ବରୁ ଟେଲର ୯୪ ରନ୍‌ରେ ଅପରାଜିତ ରହିଥିଲେ। ସେହି ଓଭର ଏକ୍‌ତା ବିସ୍ତ ବୋଲିଂ କରୁଥିଲେ। ଶେଷ ବଲ୍‌କୁ ଛକା ମାରି ନିଜର ଶତକ ପୂରଣ କରିବା ଲକ୍ଷ୍ୟରେ ରହିଥିଲେ ଟେଲର। ଶେଷ ବଲ୍‌କୁ ମଧ୍ୟ ସେହି ଲକ୍ଷ୍ୟରେ ପ୍ରହାର କରିଥିଲେ। ‌ହେଲେ ଲଙ୍ଗ୍‌ ଅନ୍‌ ଅଞ୍ଚଳରେ କ୍ଷେତ୍ରରକ୍ଷଣ କରୁଥିବା ହର୍‌ମନ୍‌ପ୍ରୀତ୍‌ ବଲ୍‌କୁ ବାଉଣ୍ଡାରି ବାହାରକୁ ଯିବା ପୂର୍ବରୁ ଲମ୍ଫ ମାରି ଗୋଟିଏ ହାତରେ ଧରି ନେଇଥିଲେ। ତାହା ଏକ କଷ୍ଟସାଧ୍ୟ ଏବଂ ଦର୍ଶନୀୟ କ୍ୟାଚ୍‌ ଥିଲା। ଟେଲର ମଧ୍ୟ ଶତକରୁ ବଞ୍ଚିତ ରହିଲେ। ଫଳରେ ହର୍‌ମନ୍‌ପ୍ରୀତ୍‌ଙ୍କ ଏହି କ୍ୟାଚ୍‌ର ଭିଡିଓ ଟ୍ବିଟରରେ ଭାଇରାଲ ହୋଇଯାଇଥିଲା। ସମସ୍ତେ ହର୍‌ମନ୍‌ପ୍ରୀତ୍‌ଙ୍କୁ ବଧେଇ ମଧ୍ୟ ଜଣାଇଥିଲେ।

ସମ୍ବନ୍ଧିତ ଖବର