ସଚିନ୍‌ଙ୍କୁ କାନ୍ଧରେ ଉଠାଇବାର କାରଣ କହିଲେ କୋହଲି, ‘ତାଙ୍କ ପାଇଁ ବିଶ୍ବକପ୍ ଜିତିବାର ଶେଷ ସୁଯୋଗ ଥିଲା’

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୧୧ ଆଇସିସି ବିଶ୍ବକପ୍‌ ବିଜେତା ହୋଇଥିଲା। ଏହା ପୂର୍ବରୁ ୧୯୮୩ରେ କପିଳ ଦେବ ଭାରତକୁ ପ୍ରଥମ ଥର ଲାଗି ବିଶ୍ବ ବିଜେତା କରାଇଥିଲା ବେଳେ ଏହାର ୨୮ ବର୍ଷ ପରେ ଧୋନି ହିଁ ଦ୍ବିତୀୟ ଥର ଦେଶକୁ ବିଶ୍ବକପ୍‌ ଭେଟି ଦେଇଥିଲେ। ଅନ୍ୟପକ୍ଷରେ ନିଜର ଲମ୍ବା ଦୁଇ ଦଶନ୍ଧୀରୁ ଅଧିକ ସମୟର ଖେଳ ଜୀବନ ଭିତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ବକପ୍‌ ଜିତିବାର ସ୍ବପ୍ନ ପୂରଣ କରିପାରିନଥିଲେ। ୫ ଥର ବିଶ୍ବକପ୍‌ ଖେଳିବାର କୀର୍ତ୍ତି ବହନ କରିଥିଲେ ମଧ୍ୟ ଥରଟିଏ ବିଶ୍ବକପ୍‌ ହାସଲ କରିବାର ସୁଯୋଗ ପାଇନଥିଲେ। ‌୧୯୯୬ ବିଶ୍ବକପ୍‌ରେ ସେମିଫାଇନାଲ୍‌ ଯାଇଥିଲେ ମଧ୍ୟ ଶ୍ରୀଲଙ୍କା ନିକଟରୁ ହାରିଯିବା ଏବଂ ଏହାର ୭ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୩ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ନିକଟରୁ ହାରିବା ଦ୍ବାରା ଭାରତର ବିଶ୍ବକପ୍‌ ଜିତିବା ଆଶା ଅପୂରଣୀୟ ରହିଯାଇଥିଲା। ତେଣୁ ଅବସର ପୂର୍ବରୁ ବିଶ୍ବକପ୍‌ ଜିତିବାର ଶେଷ ସୁଯୋଗ ତାଙ୍କ ପାଇଁ ୨୦୧୧ରେ ରହିଥିଲା। ସଚିନ ସେହି ବିଶ୍ବକପ୍‌ ଦଳର ସଦସ୍ୟ ଥିଲେ। ଭାରତ ମଧ୍ୟ ବିଶ୍ବକପ୍‌ ଜିତି ସଚିନ୍‌ଙ୍କ ଆଶା ପୂରଣ କରିପାରିଥିଲା। ଆଉ ସଚିନଙ୍କ ପାଇଁ ହିଁ ବିଶ୍ବକପ୍‌ ବିଜୟକୁ ଉତ୍ସର୍ଗ କରିଥିଲେ ଭାରତୀୟ ଦଳର ଖେଳାଳିମାନେ। କେବଳ ସେତିକି ନୁହେଁ ଭାରତ ବିଶ୍ବକପ୍‌ ବିଜେତା ହେବାର ମୁହୂର୍ତ୍ତକୁ ସଚିନ୍‌ଙ୍କ ସହ ପାଳନ କରିବାକୁ ବିଶେଷକରି ଯୁବ ତାରକାମାନେ ସୁଯୋଗ ଅପେକ୍ଷାରେ ଥିଲେ। ସିଂହଳୀ ଦ୍ରୁତ ବୋଲର ନୁଆନ୍‌ କୁଲ୍‌ସେକରାଙ୍କୁ ଛକା ମାରି ଧୋନି ଭାରତକୁ ବିଶ୍ବବିଜେତା କରାଇବା ଦେଶବାସୀଙ୍କ ପାଇଁ ଉଲ୍ଲସିତ ହେବାର ମୁହୂର୍ତ୍ତ ଥିଲା। ଏହି ଖୁସୀରେ କିଂବଦନ୍ତି ସଚିନ୍‌ଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାଥୀ ଖେଳାଳିମା‌ନେ ତାଙ୍କୁ କାନ୍ଧରେ ତୋଳି ଧରି ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ ସାରା ବୁଲାଇଥିଲେ। ଭାରତୀୟ କ୍ରିକେଟ୍‌ ପାଇଁ ତାଙ୍କ ଅବିସ୍ରାନ୍ତ ପ୍ରୟାସ ଏବଂ ଅତୁଳନୀୟ ଅବଦାନ ଲାଗି ଭାରତୀୟ ଦଳ ସଚିନ୍‌ଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ରହିଥିଲା।

୨୦୧୧ ବିଶ୍ବକପ୍‌ ବେଳକୁ ସଚିନ୍‌ଙ୍କୁ ୩୭ ବର୍ଷ ହୋଇଥିଲା। ଏହାପରେ ସେ ଅବସର ନେବାର ପ୍ରାୟତଃ ସଂକେତ ଦେଇସାରିଥିଲେ। ହେଲେ ତାଙ୍କର ସେହି ଅନ୍ତିମ ବିଶ୍ବକପ୍‌ ଖେଳିଥିବା ସଚିନ ୯ ମ୍ୟାଚ୍‌ରୁ ୫୩.୫୫ ହାରରେ ସଂଗ୍ରହ କରିଥିଲେ ୪୮୨ ରନ୍‌। ସେଥିରେ ଦୁଇଟି ଲେଖାଁଏ ଶତକ ଓ ଅର୍ଧଶତକ ମଧ୍ୟ ସାମିଲ ଥିଲା। ଆଉ ସେଥିସହିତ ସଚିନ ମଧ୍ୟ ତାଙ୍କ ବିଶ୍ବକପ୍‌ ମୋଟ ରନ୍‌ ସଂଖ୍ୟାକୁ ୨୨୭୮ରେ ପହଞ୍ଚାଇଥିଲେ। ଯାହାକି କୌଣସି ବି ବ୍ୟାଟ୍‌ସମ୍ୟାନ୍‌ଙ୍କ ତୁଳନାରେ ସର୍ବାଧିକ ଥିଲା। ଆଉ ୨୦୧୧ ବିଶ୍ବକପ୍‌ ଭାରତ ଜିତିବା ପରେ ପ୍ରଥମେ ବିଜୟର କୃତଜ୍ଞତା ସଚିନଙ୍କୁ ଜଣାଇବାର ଅନୁଭୂତି ପାଇଥିଲୁ। ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲି। ସେହି ଖୁସୀରେ ସଚିନଙ୍କ ଭଳି ବରିଷ୍ଠ ତଥା ସମ୍ମାନନୀୟ ଖେଳାଳିଙ୍କୁ ବିଦାୟୀ ବିଶ୍ବକପ୍‌ ଅବସରରେ ଟ୍ରଫି ସହ କାନ୍ଧରେ ତୋଳି ଧରିବାର ଆନନ୍ଦ ପାଇଥିଲୁ ବୋଲି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ଦ୍ବାରା ଅପ୍‌ଲୋଡ୍‌ ଏକ ଭିଡିଓ ଚାଟ୍‌ରେ ଦଳୀୟ ସାଥୀ ମୟଙ୍କ ଅଗ୍ରୱାଲଙ୍କୁ କହିଥିଲେ ବିରାଟ କୋହଲି।

ସଚିନଙ୍କର ଏହା ଶେଷ ବିଶ୍ବକପ୍‌ ବୋଲି ଆମେ ସମସ୍ତେ ଜାଣିଥିବାରୁ ପ୍ରତ୍ୟେକଙ୍କ ଅନୁଭବ ତାଙ୍କୁ ନେଇ କେନ୍ଦ୍ରୀଭୁତ ହୋଇଥିଲା। ତେଣୁ ଏପ୍ରିଲ ୨ ତାରିଖର ସେହି ଐତିହାସିକ ରାତ୍ରୀ ଭାରତୀୟଙ୍କ ପାଇଁ ଅଧିକ ସ୍ବତନ୍ତ୍ର ଥିଲା ବୋଲି କୋହଲି କହିଥିଲେ। ସଚିନ ଦୀର୍ଘ ୨୧ ବର୍ଷ ଧରି ଦେଶର ବୋଝ ବୋହିଥିଲେ। ତେଣୁ ତାଙ୍କୁ ଆମମାନଙ୍କ କାନ୍ଧରେ ବୋହିବାର ସମୟ ସେହିଦିନ ଥିଲା ବୋଲି କୋହଲି କହିଛନ୍ତି। ସେ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି। ସେହି ଦୃଷ୍ଟିରୁ ତାଙ୍କ ଭଳି କ୍ରିକେଟ୍‌ର ଭଗବାନଙ୍କ ପାଇଁ ଆମ ସମସ୍ତଙ୍କ ତରଫରୁ ବିଶ୍ବକପ୍‌ ବିଜୟ ବଡ଼ ଉପହାର ଥିଲା ବୋଲି କୋହଲି କହିଛନ୍ତି। ତାଙ୍କୁ ବିଶ୍ବକପ୍‌ ବିଜୟ ଭେଟିଦେବାକୁ ଅଙ୍ଗିକାରବଦ୍ଧ ଥିବାରୁ ଆମ ସମସ୍ତଙ୍କ କଠୋର ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର ଥିଲା। ଆମେ ଶେଷରେ ତାହା ହିଁ ଅନୁଭବ କରିଥିଲୁ। ପୁଣି ତାଙ୍କ ଘରୋଇ ପଡ଼ିଆ ମୁମ୍ବାଇରେ ଏଭଳି ବିଦାୟୀ ବିଶ୍ବକପ୍‌ ବିଜେତା ହେବା ଉଭୟ ସଚିନ ଏବଂ ଭାରତ ପାଇଁ ଗର୍ବ ଓ ସମ୍ମାନର କଥା ଥିଲା। ସେଇଥିପାଇଁ ତାଙ୍କୁ ଷ୍ଟାଡିୟମ୍‌ ସାରା କାନ୍ଧରେ ବସାଇ ବୁଲାଇବା ଆମ ତରଫରୁ ବଡ଼ ସମ୍ମାନ ହେବ ବୋଲି ଭାବିଥିଲୁ ଏବଂ ତାହାହିଁ କରିଥିଲୁ ବୋଲି କୋହଲି କହିଛନ୍ତି।

ସମ୍ବନ୍ଧିତ ଖବର