ସେମି-ଫାଇନାଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

ଆବୁଧାବି : ଆଜି ଆବୁଧାବିର ଶେଖ୍ ଜାଏଦ ଷ୍ଟାଡିୟମଠାରେ ଟି-୨୦ ବିଶ୍ବକପ ୨୦୨୧ର ପ୍ରଥମ ସେମି-ଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ନିଜର ତାରକା ବ୍ୟାଟ୍ସମ୍ୟାନ ଜାସନ ରଏଙ୍କ ବିନା ପଡ଼ିଆକୁ ଓହ୍ଲାଇବ । ଆହତ ଜନିତ କାରଣରୁ ରଏ ବାଦ ପଡ଼ିଛନ୍ତି । ତାଙ୍କ ଅନୁପସ୍ଥିତି ଇଂଲଣ୍ଡ ଟିମର ବ୍ୟାଟିଂ ଲାଇନଅପକୁ  ଦୁର୍ବଳ କରିବ । ରଏଙ୍କ ସ୍ଥାନରେ ସାମ ବିଲିଙ୍ଗସଙ୍କୁ ଖେଳାଯାଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଏହି ମ୍ୟାଚକୁ ଜିତି  ନ୍ୟୁଜିଲାଣ୍ଡ ୫୦ ଓଭର ବିଶିଷ୍ଟ ବିଶ୍ବକପ ଫାଇନାଲ ମ୍ୟାଚ ପରାଜୟର ପ୍ରତିଶୋଧ ନେବ । ଉଭୟ ବୋଲିଂ ଓ ବ୍ୟାଟିଂ ଦୃଷ୍ଟିରୁ ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଟିମ ବେଶ ସନ୍ତୁଳିତ ଜଣାପଡ଼ୁଛି । ଏଣୁ ଏହି ମ୍ୟାଚରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିପାରେ । 

ଟସ ହାରିବା ପରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି ଯେ ଟସ ଜିତିଥିଲେ ସେ ବି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ଟସ ମ୍ୟାଚର ଫଳାଫଳ ନିର୍ଣ୍ଣୟ କରେ ନାହିଁ । ତେବେ ଟିମରେ ରଏଙ୍କ ଅନୁପସ୍ଥିତି ଅନୁଭୂତ ହେବ ।

ବିଶ୍ବକପର ୨ୟ ସେମିଫାଇନାଲ ମୁକାବିଲାରେ ଆସନ୍ତା କାଲି ପାକିସ୍ତାନ ଅଷ୍ଟ୍ରେଲିଆକୁ ଭେଟିବ ।

ସମ୍ବନ୍ଧିତ ଖବର