ଦୁବାଇ ଟେଷ୍ଟରେ ୟାସିର୍‌ଙ୍କୁ ୧୪ ୱିକେଟ୍‌:ପାକିସ୍ତାନର ପାଳି ବିଜୟ

ଦୁବାଇ: ହାରିସ୍‌ ସୋହେଲ୍‌ (୧୪୭) ଓ ବାବର ଆଜମ୍‌ (୧୨୭*)ଙ୍କ ଦମ୍‌ଦାର ଶତକ ପରେ ୟାସିର୍‌ ଶାହାଙ୍କ ସ୍ପିନ୍‌ ଯାଦୁରେ ଛନ୍ଦି ହୋଇପଡ଼ିଲା ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ଦଳ। ଫଳରେ ଆବୁଧାବିରେ ପ୍ରଥମ ଟେଷ୍ଟ୍‌କୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୪ ରନ୍‌ରେ ଜିତି ନେଇଥିବା ନ୍ୟୁଜିଲାଣ୍ଡ୍‌ ଦୁବାଇରେ ଦ୍ବିତୀୟ ଟେଷ୍ଟ୍‌କୁ ଏକ ପାଳି ଓ ୧୬ ରନ୍‌ରେ ହାରିଗଲା। ଫଳରେ ଅଳ୍ପକେ ପ୍ରଥମ ଟେଷ୍ଟ୍‌ରେ ବିଜୟ ହାତଛଡ଼ା କରିଥିବା ପାକିସ୍ତାନ ଦୁବାଇ ଟେଷ୍ଟ୍‌କୁ ୪ ଦିନରେ ଶେଷ କରିଦେଇ ୩ ମ୍ୟାଚ୍‌ ବିଶିଷ୍ଟ୍‌ ଶୃଙ୍ଖଳାକୁ ୧-୧ ବରାବର ସ୍ଥିତିରେ ପହଞ୍ଚାଇ ଦେଲା। ପାକିସ୍ତାନ ପ୍ରଥମ ପାଳିକୁ ୪୧୮/୫ରେ ଘୋଷଣା କରିଦେବା ପରେ ୟାସିର୍‌ଙ୍କ ଯାଦୁ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିକୁ ୯୦ ଓ ଦ୍ବିତୀୟ ପାଳିକୁ ୩୧୨ ରନ୍‌ରେ ସଫା କରିଦେଇଥିଲା। ଉଭୟ ପାଳିରେ (୮/୪୧ ଓ ୬/୧୪୩) ମୋଟ ୧୮୪ ରନ୍‌ ବ୍ୟୟ କରି ୧୪ ୱିକେଟ୍‌ ଦଖଲ କରି ବିଜୟର ନାୟକ ସାଜିଥିବା ୟାସିର୍‌ ଶାହାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ପ୍ରଥମ ପାଳିରେ ୩୨୮ ରନ୍‌ ପଛରେ ପଡ଼ି ଫଲୋଅନ୍‌ ଖେଳିଥିବା ନ୍ୟୁଜିଲାଣ୍ଡ୍‌ ତୃତୀୟ ଦିବସ ଶେଷ ବେଳକୁ ୨ ୱିକେଟ୍‌ ହରାଇ ୧୩୧ ରନ୍‌ କରିଥିଲା। ଚତୁର୍ଥ ଦିବସରେ ଲାଥାମ୍‌ (୫୦), ଟେଲର (୮୨) ଓ ନିକୋଲ୍‌ସ (୭୭) ଅର୍ଧଶତକ ଜମାଇ ବହୁ ସମୟ ପାକିସ୍ତାନ ବୋଲରଙ୍କ ବିପକ୍ଷରେ ଲଢ଼ିଥିଲେ। ଏକ ସମୟରେ ୨୫୫ରେ ୪ ୱିକେଟ୍‌ ହରାଇ ଭଲ ସ୍ଥିତିରେ ରହିଥିବା ନ୍ୟୁଜିଲାଣ୍ଡ୍‌ ପାଳି ପରାଜୟ ଏଡାଇବାର ପ୍ରୟାସ କରିଥିଲା। ମାତ୍ର ୟାସିର୍‌ଙ୍କ ସ୍ପିନ୍‌ ଜାଲରେ ଜଣକ ପରେ ଜଣେ ବ୍ୟାଟ୍‌ସମ୍ୟାନ୍‌ ଛନ୍ଦି ହୋଇପଡ଼ିବାରୁ ନ୍ୟୁଜିଲାଣ୍ଡ୍‌ ଅବଶିଷ୍ଟ ୬ ୱିକେଟ୍‌ ୫୭ ରନ୍‌ ମଧ୍ୟରେ ହରାଇ ପାଳି ପରାଜୟ ପାଇଁ ବାଧ୍ୟ ହୋଇଥିଲା। ପୂରା ଦଳ ୩୧୨ ରନ୍‌ରେ ଦ୍ବିତୀୟ ପାଳିର ସମସ୍ତ ୱିକେଟ୍‌ ହରାଇଥିଲା। ୟାସିର୍‌ ୬ ଓ ହାସନ୍‌ ଅଲ୍ଲୀ ୩ ୱିକେଟ୍‌ ନେଇଥିଲେ। ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଶେଷ ମ୍ୟାଚ୍‌ ଆବୁଧାବିରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି: ୪୧୮/୫ରେ ଘୋଷିତ (ହାରିସ୍‌ ସୋହେଲ-୧୪୭, ବାବର ଆଜମ୍‌-୧୨୭*, ଆଝାର ଅଲ୍ଲୀ-୮୧, ଗ୍ରାଣ୍ଡ୍‌ହୋମେ-୨/୪୪)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୩୫.୩ ଓଭରରେ ୯୦ (ୟାସିର୍‌ ଶାହା-୮/୪୧) ଏବଂ ଦ୍ବିତୀୟ ପାଳି: ୧୧୨.୫ ଓଭରରେ ୩୧୨ (ଲାଥାମ୍‌-୫୦, ରସ୍‌ ଟେଲର-୮୨, ହେନରି ନି‌କୋଲ୍‌ସ-୭୭, ୟାସିର୍‌ ଶାହା-୬/୧୪୩, ହାସନ୍‌ ଅଲ୍ଲୀ-୩/୪୬)।

ସମ୍ବନ୍ଧିତ ଖବର