ଡେଙ୍ଗୁ ରିପୋର୍ଟରେ ରହୁନି ତାଳମେଳ, ତଥ୍ୟ ଲୁଚାଇବା ପଛରେ କିଏ ?

ଭୁବନେଶ୍ବର: ରାଜ୍ୟରେ ଚଳିତବର୍ଷ ପ୍ରକୃତରେ କେତେ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି? ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ଯେଉଁ ରିପୋର୍ଟ ଜାରି ହେଉଛି ଏଥିରେ ସତ୍ୟତା କେତେ? କାରଣ ଏସ୍‌ସିବି ମେଡିକାଲ କଲେଜରେ ଚିହ୍ନଟ ହେଉଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ରିପୋର୍ଟ ସହିତ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟକୁ ମିଳାଇଲେ ତହିଁରେ ଯଥେଷ୍ଟ ଫରକ୍ ରହିଛି। ତେବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଜାଣିଶୁଣି ଲୁଚାଯାଉଛି କି ତଥ୍ୟ ଆଦାନପ୍ରଦାନରେ ସମସ୍ୟା ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତକାଲି ସୁଦ୍ଧା ସ୍ବାସ୍ଥ୍ୟ ବିଭାଗର ଡେଙ୍ଗୁ ରିପୋର୍ଟ କହୁଛି, ରାଜ୍ୟରେ ଏ ପର୍ଯ୍ୟନ୍ତ ୬୦୭୪ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୯୦ଜଣ ଆକ୍ରାନ୍ତ ହୋଇଛନ୍ତି। କଟକ ଜିଲ୍ଲାରେ ସର୍ବାଧିକ ୪୫ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୫ଜଣ ରାଜ୍ୟ ବାହାରର ଆକ୍ରାନ୍ତ ରହିଛନ୍ତି। ସେହିପରି ଭଦ୍ରକ ଓ ଯାଜପୁରରେ ୩୮ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବାଲେଶ୍ବରର ୩୪ଜଣ, କେନ୍ଦ୍ରାପଡ଼ାରେ ୨୭, ଗଞ୍ଜାମ ୨୨ ଓ ଖୋର୍ଧା ଜିଲ୍ଲାରେ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଅଗଷ୍ଟ ମାସ ୧୨ତାରିଖ ସମୟରେ ୪୨୧ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୯୭ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତବର୍ଷ ଜୁଲାଇ ୧୬ତାରିଖରେ ଡେଙ୍ଗୁ ୱାର୍ଡ ଖୋଲିବା ପରେ ଏ ପର୍ଯ୍ୟନ୍ତ ୧୮୫ଜଣ ଆକ୍ରାନ୍ତ ଡେଙ୍ଗୁ ୱାର୍ଡରେ ଆଡମିଟ୍ ହୋଇଛନ୍ତି ତହିଁରୁ କଟକ ଜିଲ୍ଲାର ୨୭ଜଣ ରହିଛନ୍ତି। ତେବେ ଚଳିତବର୍ଷ ଜାନୁଆରି ମାସରୁ ଏ ପର୍ଯ୍ୟନ୍ତ ୪୩୧୧ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୨୭୦ ପଜିଟିଭ୍ ରହିଛନ୍ତି। ଏଥିରେ କଟକ ଜିଲ୍ଲାର କେବଳ ୬୧ଜଣ ଆକ୍ରାନ୍ତ ରହିଛନ୍ତି। ଗତକାଲି ସୁଦ୍ଧା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରେ କଟକ ଜିଲ୍ଲାର ୪୫ଜଣ ଆକ୍ରାନ୍ତ ଚିହ୍ନଟ କଥା କୁହାଯାଉଥିବା ବେଳେ ଏସ୍‌ସିବି ରିପୋର୍ଟରେ ତାହା ୬୧ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ବିଭାଗୀୟ ରିପୋର୍ଟରେ ଚଳିତବର୍ଷ ୨୯୦ ଜଣ ଆକ୍ରାନ୍ତ କଥା ଉଲ୍ଲେଖ ଥିବା ବେଳେ ଏସ୍‌ସିବିରେ କେବଳ ୨୭୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରିଛନ୍ତି କର୍ତୃପକ୍ଷ। ଏଭଳି ପରିସ୍ଥିତିରେ ତଥ୍ୟ ଆଦାନପ୍ରଦାନରେ ସମସ୍ୟା ରହିଛି କି ଜାଣିଶୁଣି ଡେଙ୍ଗୁ ଆକ୍ରାନ୍ତଙ୍କ ତଥ୍ୟ ଲୁଚାଇବାକୁ ଚେଷ୍ଟା କରାଯାଉଛି ତାହା ବୁଝା ପଡ଼ୁନାହିଁ।
ଏନ୍‌ଭିବିଡିସିପିର ଅତିରିକ୍ତ ନିର୍ଦେଶିକ ଡା‌. ପ୍ରମିଳା ବରାଳ କହିଛନ୍ତି, ଏସ୍‌ସିବି କର୍ତୃପକ୍ଷ ଲିଖିତ ଭାବେ କୌଣସି ସୂଚନା ଦେଉ ନାହାନ୍ତି। ଫୋନ୍ ଜରିଆରେ ସୂଚନା ଦେଉଛନ୍ତି। ଗତ ୮ତାରିଖ ସୁଦ୍ଧା ରାଜ୍ୟରେ ୧୮୫ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏସ୍‌ସିବି ମେଡିକାଲ କଲେଜରେ ୧୨୭ ଜଣ ଆଡମିଟ୍ ହୋଇଥିବା ବେଳେ ଅଧିକାଂଶଙ୍କ ଚିକିତ୍ସା ପରେ ପଠାଇ ଦିଆଯାଇଛି। ଆଜି ‌ଜଣେ ଡେଙ୍ଗୁରେ ପ୍ରାଣ ହରାଇଥିବା କଥା ସ୍ପଷ୍ଟ ସୂଚନା ମିଳିନାହିଁ, ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଡା. ବରାଳ କହିଛନ୍ତି।

ସମ୍ବନ୍ଧିତ ଖବର