ନିଶାଚାଷୀଙ୍କ ନୂଆ ଫନ୍ଦି ‘ଅଫିମ’, ଦୁର୍ଗମ ବରଡିହରେ ୨୫ ଲକ୍ଷର ଅଫିମ ଗଛ ପୋଡ଼ିଲେ ପୁଲିସ ଓ ପ୍ରଶାସନର କର୍ମଚାରୀ

ସରକାରୀ ଜାଗାରେ ହେଉଥିଲା ଚାଷ, ଦୁଇ ବାଇକ୍‌, ପାଣିପମ୍ପ ଜବତ

ପାଳଲହଡ଼ା : ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଏକଦା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍‌ ଜିଲ୍ଲା ତଥା ବାହାରେ କୁଖ୍ୟାତି ଅର୍ଜିଥିଲା। ବ୍ଲକ୍‌ର ଦୁର୍ଗମ ଜଙ୍ଗଲରେ ବ୍ୟବସ୍ଥିତ ଭାବେ ଏକର, ଏକର ଜମିରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିଲା। କେବଳ ଛେଣ୍ଡିପଦା ନୁହେଁ, ଏହାର ପଡ଼ୋଶୀ କିଶୋରନଗର ଓ ଆଠମଲ୍ଲିକ ବ୍ଲକ୍‌ର ଘଞ୍ଚ ଜଙ୍ଗଲରେ ମଧ୍ୟ ରୀତିମତ ଗଞ୍ଜେଇ ଚାଷ କରାଯାଉଥିଲା। ପ୍ରଶାସନର ବାରମ୍ବାର ଚଢ଼ଉ ପରେ ଏବେ ଏହି ଚୋରା ଗଞ୍ଜେଇ ଚାଷ କିଛି ପରିମାଣରେ ଥମିଛି। ତେବେ ପ୍ରଶାସନର ନଜରରୁ ବର୍ତ୍ତିବା ଲାଗି ଏହାପରେ ନୂଆ ତରିକା ଆପଣାଇଛନ୍ତି ନିଶାଚାଷୀ। ଗଞ୍ଜେଇ ଚାଷ ପରେ ଏବେ ବେଆଇନ ଅଫିମ ଚାଷ ଆଡ଼କୁ ମୁହାଁଇଛନ୍ତି ଜିଲ୍ଲାର କିଛି ନିଶା ମାଫିଆ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ର ଦୁର୍ଗମ ବରଡିହ ଅଞ୍ଚଳରେ ସରକାରୀ ଜାଗାରେ ଏଭଳି ଚାଷ ଚାଲିଥିବା ସଂପର୍କରେ ଗତକାଲି ଜଣାପଡ଼ିବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ଓ ପ୍ରଶାସନର କର୍ମଚାରୀମାନେ ଚଢ଼ଉକରି ଏହି ଅଂଚଳରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିଛନ୍ତି।

ସୂଚନା ଅନୁଯାୟୀ, ବରଡିହ ପଞ୍ଚାୟତରେ ଅଫିମ ଚାଷ ହେଉଥିବା ସଂପର୍କରେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାଳଲହଡ଼ା ଏସ୍‌ଡିପିଓ ସୁମନରଞ୍ଜିତା ସିଂହ, ଥାନାଧିକାରୀ କିଶୋର ସାମଲ, ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, କନ୍ତଳା ଆର୍‌ଆଇ ପୁଷ୍ପାଞ୍ଜଳି ବେହେରା ଓ ସଶସ୍ତ୍ର ପୁଲିସ ଗତକାଲି ଚଢ଼ଉ କରିଥିଲେ। କନ୍ତଳା ଆର୍‌ଆଇ ସର୍କଲ ଅନ୍ତର୍ଗତ ସରକାରୀ ଜାଗାରେ ଖାତା ନମ୍ବର ୩୦, ପ୍ଲଟ୍‌ ନମ୍ବର-୭୯ରେ ୨୮ ଡେସିମିଲ ଜମିରେ ଅଫିମ ଚାଷ କରାଯାଇଥିଲା। ସୁନ୍ଦରଗଡ଼, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାକୁ ଲାଗିଥିବା ଏହି ସ୍ଥାନ ବ୍ଲକ୍‌ର ଏକ ଦୁର୍ଗମ ଅଞ୍ଚଳ। ଗତକାଲି ଚଢ଼ଉକରି ୬ ହଜାର ୯୨୫ଟି ଅଫିମ ଗଛ କାଟି ପୋଡ଼ି ଦିଆଯିବା ସହ କିଛି ନମୁନା ସଂଗ୍ରହ କରାଯାଇଥିଲା। ନଷ୍ଟ କରାଯାଇଥିବା ଅଫିମ ଗଛର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ‌ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣାସ୍ଥଳରୁ ୨ଟି ବାଇକ୍ (ଓଆର୍‌୧୯ବି-୯୮୭୮ ଏବଂ ଓଡି ୩୫ ସି–୫୫୯୬), ଗୋଟିଏ ପାଣି ପମ୍ପ, ପ୍ଲାଷ୍ଟିକ୍‌ ପାଇପ୍‌ ଇତ୍ୟାଦି ଜବତ କରାଯାଇଛି। ତେବେ ସରକାରୀ ଜାଗାରେ ଦୀର୍ଘଦିନ ହେଲା ଅଫିମ ଚାଷ ଚାଲିଥିବା ସଂପର୍କରେ ସ୍ଥାନୀୟ ଆର୍‌ଆଇ ଅଥବା ଅବକାରୀ ବିଭାଗକୁ କୌଣସି ସୂଚନା ନମିଳିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଘଟଣାରେ କାହାକୁ ଗିରଫ କରାଯାଇପାରିନାହିଁ। ପୁଲିସ ଇନିସ୍‌ପେକ୍ଟର ଗୁଲବଦନ ମାଝି ଘଟଣାର ତଦନ୍ତ କରୁଛନ୍ତି। ଜବତ ବାଇକ୍‌ର ମାଲିକ ଠାବହେବା ପରେ ଅଫିମ ଚାଷର ପର୍ଦ୍ଦାଫାସ୍‌ ହୋଇପାରିବ ବୋଲି ଥାନାଧିକାରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର