ଅଶ୍ବିନୀ ହସ୍ପିଟାଲ୍‌ର ୧୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଅଶ୍ବିନୀ ସ୍ବାସ୍ଥ୍ୟ ସମ୍ମିଳନୀ’ : ସମସ୍ତେ ଟିକାକରଣରେ ସାମିଲ୍ ହୁଅନ୍ତୁ: ସୌମ୍ୟ

କରୋନା ଲଢ଼େଇରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ପାଇଛି: ପ୍ରଦୀପ୍ତ ମହାପାତ୍ର
ସ୍ବତନ୍ତ୍ର ଅଶ୍ବିନୀ ଫୁସଫୁସ୍ କେନ୍ଦ୍ର ଖୁବ୍‌ଶୀଘ୍ର: ମାୟା ଗନ୍ତାୟତ

ଭୁବନେଶ୍ବର : ଭାରତରେ ଟିକାକରଣକୁ ନେଇ ବହୁ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ମାତ୍ର ଯେଉଁ ପର୍ଯ୍ୟନ୍ତ ଟିକାକରଣ ଯୋଗୁଁ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବାର ପ୍ରମାଣ ଆସିନାହିଁ, ସେ ପର୍ଯ୍ୟନ୍ତ ସମସ୍ତେ ଟିକାକରଣରେ ସାମିଲ ହେବା ଉଚିତ। ଟିକାକରଣର ଆବଶ୍ୟକତା ବଢ଼ୁଥିବାରୁ ପରୀକ୍ଷଣରେ ଥିବା ଅନ୍ୟ ଟିକାଗୁଡ଼ିକୁ ମଧ୍ୟ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ଗୁରୁତ୍ବପୂର୍ଣ୍ଣ। ଆଜି ‘ଅଶ୍ବିନୀ ସ୍ବାସ୍ଥ୍ୟ ସମ୍ମିଳନୀ’ ଅବସରରେ ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ମତ ବ୍ୟକ୍ତ କରିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି; କରୋନା ଯେତେ ବିପଦ ଆଣିଛି, ସେତେ ସଂପଦ ଆଣିଛି। ଅର୍ଥାତ୍ ସ୍ବାସ୍ଥ୍ୟ ପାଇଁ ଆମକୁ ଏହି ମହାମାରୀ ସଜାଗ କରାଇଛି। ତେଣୁ ଦେଶରେ ବା ରାଜ୍ୟରେ କରୋନାର ଦ୍ବିତୀୟ ବା ତୃତୀୟ ଲହର ଆସିଲେ ମଧ୍ୟ ଆମର କୌଣସି କ୍ଷତି ହେବ ନାହିଁ। ପ୍ରଥମ ପର୍ଯ୍ୟାୟରେ କରୋନା ସହ ଲଢ଼େଇ କରି ମିଳିଥିବା ଅଭିଜ୍ଞତାକୁ ବ୍ୟବହାର କରି ସବୁ ପ୍ରକାରର ସଚେତନତା ଆପଣାଇଲେ, ଆମେ କରୋନାକୁ ଜିତି ପାରିବା।

କଟକସ୍ଥିତ ସୁପର ସ୍ପେସାଲିଟି ଅଶ୍ବିନୀ ହସ୍ପିଟାଲ୍‌ର ୧୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଶ୍ବିନୀ ଫୁସଫୁସ୍ ପ୍ରତିଷ୍ଠାନ ଏବଂ କନକ ନ୍ୟୁଜ୍‌ର ମିଳିତ ଉଦ୍ୟମକ୍ରମେ ଆଜି ଭୁବନେଶ୍ବର ମେ ଫେୟାର୍‌ ହୋଟେଲ୍‌ ସମ୍ମିଳନୀ କକ୍ଷରେ ‘ଅଶ୍ବିନୀ ସ୍ବାସ୍ଥ୍ୟ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଯୁଗ୍ମ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ମହାମାରୀ କରୋନା ବିରୋଧରେ ଲଢ଼େଇରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ପାଇଛି ବୋଲି ସେ କହିଥିଲେ। ପ୍ରାୟ ସାଢ଼େ ଆଠ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ସଙ୍ଗରୋଧ ଗୃହରେ ରଖିବା ଆହ୍ବାନଭରା ଥିଲା। ଏଥିପାଇଁ ରାତି ରାତି ଅନିଦ୍ରା ହୋଇ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଛି ଏବଂ ତା’ର ଫଳ ସ୍ବରୂପ ରାଜ୍ୟରେ କରୋନା ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଥିଲେ। ଏବେ ସମସ୍ତେ ବିନା କୌଣସି ସଙ୍କୋଚରେ କରୋନା ଟିକା ନେବାକୁ ସେ ଲୋକଙ୍କୁ ଏହି ଅବସରରେ ପରାମର୍ଶ ଦେଇଥିଲେ।

‘କରୋନା ପ୍ରତ୍ୟାବର୍ତ୍ତନ’ ପ୍ରସଙ୍ଗରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଓଡ଼ିଶା ଜନସ୍ବାସ୍ଥ୍ୟର ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର, କଟକ ଏସ୍‌ସିବି ମେଡିକାଲ୍ କଲେଜର ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡ. ଜୟନ୍ତ ପଣ୍ଡା, ଅଶ୍ବିନୀ ହସ୍ପିଟାଲ୍‌ର ପୁଲ୍‌ମୋନୋଲୋଜିଷ୍ଟ ଡ. ସମ୍ପତ୍ ଦାଶ ଓ କନକ ନ୍ୟୁଜ୍‌ର ସଂପାଦକ ମନୋରଂଜନ ମିଶ୍ର ଅଂଶ ଗ୍ରହଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ‘ଭାରତରେ ଟିକାକରଣ’ ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପରିବାର କଲ୍ୟାଣର ନିର୍ଦ୍ଦେଶକ ଡ. ବିଜୟ କୁମାର ପାଣିଗ୍ରାହୀଙ୍କ ପରିଚାଳନାରେ ଆୟୋଜିତ ଏହି ଅଧିବେଶନରେ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ସଂଘମିତ୍ରା ପତି, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଆମ୍ରି ହସ୍ପିଟାଲର ମୁଖ୍ୟ ଇଣ୍ଟେନ୍ସିଭିଷ୍ଟ ଡ. ସମୀର ସାହୁ ଓ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ ପ୍ରଫେସର୍ ଡ. ଇ ଭେଙ୍କଟା ରାଓ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶରେ ଶ୍ବାସକ୍ରିୟା ଜନିତ ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାରୁ ରାଜ୍ୟରେ ସ୍ବତନ୍ତ୍ର ଅଶ୍ବିନୀ ଫୁସଫୁସ୍ କେନ୍ଦ୍ର ସ୍ଥାପନା ପାଇଁ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ଏହି ଅବସରରେ ଅଶ୍ବିନୀ ହସ୍ପିଟାଲ୍ ଗ୍ରୁପର ପ୍ରତିଷ୍ଠାତା ମାୟା ଗନ୍ତାୟତ କହିଥିଲେ।

ଏହି ଅବସରରେ କରୋନା ସଂକଟ ସମୟରେ ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବା କରୋନା ଯୋଦ୍ଧାମାନଙ୍କୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ବରିଷ୍ଠ କଥାକାର ଦାଶ ବେନହୁର ସମ୍ମାନିତ କରିଥିଲେ। ସମ୍ମାନିତ କୋଭିଡ୍‌ ଯୋଦ୍ଧାମାନେ ହେଲେ ଯୁଗ୍ମ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରଫେସର ସିବିକେ ମହାନ୍ତି, ପ୍ରଫେସର ଉମାକାନ୍ତ ଶତପଥୀ, ଡ. ବିଜୟ କୁମାର ମହାପାତ୍ର, ଡ. ମାନସ ସାମଲ, ଡ. ସୁବ୍ରତ କୁମାର ପରିଡ଼ା, ନର୍ସିଂ ସେବା ପାଇଁ ସ୍ବପ୍ନାରାଣୀ ଜେନା, ଦୀପକ କୁମାର ସାହୁ, କଟକ ମହାନଗର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ର, ଅମ୍ବର କର, ସୁଜିତ୍ ଦାସ ଚୈାଧୁରୀ, କ୍ଲିନିକାଲ୍ ଆସିଷ୍ଟାଣ୍ଟ୍ ସୁଶାନ୍ତ କୁମାର ସାହୁ, ଡ. ଉମେଶ ରାୟ ଏବଂ ଅଶ୍ୱିନୀ ହସ୍ପିଟାଲ୍ ଡ. ସମ୍ପତ୍ ଦାଶ, ଡ. ମାନସ ନାୟକ, ଡ. ସତ୍ୟ ରଂଜନ ମହାନ୍ତି, ଡ. ଝୁଲଣ କୁମାର ଜେନା ଏବଂ ଡ. ସୈାମ୍ୟରାଜ ଘୋଷ। ଶେଷରେ ଅଶ୍ବିନୀ ହସ୍ପିଟାଲ ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର