୩ ବର୍ଷ ପରେ ମହାନଦୀ ମାମଲା : ମୂଳ ମାମଲାର ଶୁଣାଣି ପାଇଁ ପ୍ରସ୍ତୁତ ରୁହ

ଓଡ଼ିଶା-ଛତିଶଗଡ଼କୁ ସଙ୍କେତ ଦେଲେ ଟ୍ରିବ୍ୟୁନାଲ, ଏପ୍ରିଲ ୧୦ରେ ପରବର୍ତ୍ତୀ ଶୁଣାଣି ହେବ

ନୂଆଦିଲ୍ଲୀ : ଦୀର୍ଘ ୩ବର୍ଷ ପରେ ମହାନଦୀ ମାମଲା କଡ଼ ଲେଉଟାଇଛି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲାର ଶୁଣାଣି ପାଇଁ ପ୍ରସ୍ତୁତ ରହିବାକୁ ଆଜି ଉଭୟ ଛତିଶଗଡ଼ ଓ ଓଡ଼ିଶାକୁ ସଙ୍କେତ ଦେଇଛନ୍ତି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନ୍‌ୱିଲକରଙ୍କୁ ନେଇ ଗଠିତ ତିନି ଜଣିଆ ବେଞ୍ଚ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମାମଲାର ୨୦ ତମ ଶୁଣାଣି କରିଥିଲେ।

ଶୁଣାଣିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଆଇନଜୀବୀ ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶାନୁସାରେ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ନିର୍ଦ୍ଧାରିତ ସମ୍ପର୍କିତ ଚିଠା ଚୂଡ଼ାନ୍ତ କରିସାରିଥିବା ନେଇ ଅବଗତ କରିଥିଲେ। ଏହା ଉପରେ ଟ୍ରିବ୍ୟୁନାଲ କୌଣସି ମତ ‌ଦେଇନଥିଲେ ମଧ୍ୟ ଶୁଣାଣି ପାଇଁ ସାକ୍ଷ୍ୟ ସହ ପ୍ରସ୍ତୁତ ରହିବାକୁ ମୌଖିକ ଟିପ୍ପଣୀ କରିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମୂଳ ମାମଲାର ଶୁଣାଣି ପାଇଁ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିସାରିଛନ୍ତି। ଆଜିର ଶୁଣାଣିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ପୁଣି ଥରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ମହାନଦୀ ଜଳ ସମ୍ପର୍କିତ ତଥ୍ୟ, କାଗଜପତ୍ର, ରିପୋର୍ଟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଯୋଗାଇ ଦିଆଯାଉନଥିବା ସମ୍ପର୍କରେ ଅବଗତ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏଗୁଡ଼ିକୁ ଉପସ୍ଥାପନା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଉ ବୋଲି ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଟ୍ରିବ୍ୟୁନାଲ ଉଭୟ ରାଜ୍ୟର ଦାବିକୁ ଗ୍ରହଣ କରିଥିଲେ ମଧ୍ୟ କୌଣସି ପ୍ରକାର ଆଦେଶ ବା ନିର୍ଦ୍ଦେଶ ଆଜିର ଶୁଣାଣିରେ ଜାରି କରିନଥିଲେ। ଟ୍ରିବ୍ୟୁନାଲରେ ଆଜି ମଧ୍ୟ କମନ୍ ଇନ୍‌ଫର୍‌ମେସନ ଫର୍ମାଟ୍‌ ଚୂଡ଼ାନ୍ତ ହୋଇପାରିନଥିଲା। ପୁଣି ଥରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମତାମତ ଦାଖଲ କରାଯାଇଥିଲା। ଏହାକୁ ପରବର୍ତ୍ତୀ ଶୁଣାଣିରେ ଟ୍ରିବ୍ୟୁନାଲରେ ଉପସ୍ଥାପନ କରାଯିବ।

ଆଜିର ଶୁଣାଣିରେ ଅନ୍ତରୀଣ ପ୍ରସ୍ତାବ ପାଇଁ ସହମତି ଉପରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାନୁସାରେ ଦୁଇ ରାଜ୍ୟ ମଧ୍ୟରେ ବିଚାରବିମର୍ଶ ଜାରି ରହିଥିବା ମଧ୍ୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦କୁ ଟ୍ରିବ୍ୟୁନାଲ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଭିଡିଓ କନ୍‌ଫରେନ୍‌ସିଂ ନହୋଇ (ଫିଜିକାଲ) ସ୍ୱାଭାବିକ ରୂପେ ହେବାକୁ ନେଇ ଟ୍ରିବ୍ୟୁନାଲ ଇଙ୍ଗିତ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର