ବିଧାନସଭା ଘେରିଲା ଓଷ୍ଟା: ଆଲୋଚନା ପରେ ଆନ୍ଦୋଳନ ମାସେ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟରେ ଥିବା ୬୪୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅର୍ଧାଧିକ ଶିକ୍ଷକ ଅବସର ନେଇସାରିଲେଣି। ଜଣେ କିମ୍ବା ଦୁଇ ଜଣ ଶିକ୍ଷକରେ ଏ ସବୁ ବିଦ୍ୟାଳୟ ଚାଲିଛି। ଖୁବ୍‌ଶୀଘ୍ର ଏଗୁଡ଼ିକ ବନ୍ଦ ହୋଇଯିବ। ବଞ୍ଚାଇ ରଖିବାକୁ ହେଲେ ସରକାରୀ ଘୋଷଣା କରିବା ଏକମାତ୍ର ବିକଳ୍ପ। ଏନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି। ନିର୍ଭର ପ୍ରତିଶ୍ରୁତି ମଧ୍ୟ ମିଳିଛି। କିନ୍ତୁ ତାହା ପୂରଣ ନ ହେବା ପ୍ରତିବାଦରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଆଜି ବିଧାନସଭା ଘେରାଉ କରାଯାଇଥିଲା। ଅପରାହ୍ନରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସହ ଆଲୋଚନା ପରେ ଏକ ମାସ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।

ଓଷ୍ଟା ପକ୍ଷରୁ କୁହାଯାଇଛି ଯେ ଗତ ଜୁଲାଇରେ ସରକାରଙ୍କ ସହିତ ସଙ୍ଗଠନର ଆଲୋଚନା ହୋଇଥିଲା। ବୈଠକ ନିଷ୍ପତ୍ତି ଅନୁଯାୟୀ ୬୪୮ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ, ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କ ବେସରକାରୀ ଓ ସରକାରୀ ଚାକିରି କାଳକୁ ୧:୧ରେ ଗଣନା କରାଯାଇ ଆରଏସିପି ପ୍ରଦାନ, ଅନୁଦାନରୁ ବଞ୍ଚିତ ୧୭୭ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନ, ପଦୋନ୍ନତି ମାଧ୍ୟମରେ ପ୍ରଧାନଶିକ୍ଷକ ପଦବୀ ପୂରଣ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ୪୮ ବର୍ଷରେ ତାଲିମପ୍ରାପ୍ତ ଦରମା, ଇପିଏଫ ବାବଦକୁ କାଟି ରଖିଥିବା ଅର୍ଥରାଶିକୁ ଶିକ୍ଷକଙ୍କୁ ସିଧାସଳଖ ପ୍ରଦାନ ଆଦି ଦାବିଗୁଡ଼ିକୁ ଖୁବ୍‌ଶୀଘ୍ର ପୂରଣ କରାଯିବାର ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ଦାବି ପୂରଣ ହୋଇ ନାହିଁ। ଏହି କାଳକ୍ଷେପଣ ନୀତିର ପ୍ରତିବାଦରେ ଓଷ୍ଟା ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଅପରାହ୍ନରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସହ ଏକ ୫ ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ଆଲୋଚନା ଫଳପ୍ରଦ ହୋଇଥିବାରୁ ଓଷ୍ଟା ପକ୍ଷରୁ ଏକ ମାସ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଯଦି ସମାଧାନ କରା ନଯାଏ ତେବେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀରେ ଯାଇଥିବା ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାର ମିଶ୍ର ଓ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର