ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ : ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ପାଉଛନ୍ତି ୮୦% ଲୋକେ

କଟକ : ରାଜ୍ୟରେ ୩ କୋଟି ୩୫ ଲକ୍ଷ ୮୧ ହଜାର ୬୪୪ ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ୨୦୧୧ ଜନଗଣନା ଅନୁସାରେ, ରାଜ୍ୟରେ ଜନସଂଖ୍ୟାର ଏମାନେ ହେଉଛନ୍ତି ୮୦ ପ୍ରତିଶତ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅଧିନରେ ୮୦,୧୬,୮୩୧ଟି ପରିବାରର ୨ କୋଟି ୮୬ ଲକ୍ଷ ୧୨ ହଜାର ୬୪୮ ଜଣ ସଦସ୍ୟଙ୍କୁ ମୁଣ୍ଡପିଛା ୫ କିଲୋ ଚାଉଳ/ଗହମ ପ୍ରଦାନ କରାଯାଉଛି।

The Indian Express

ସତ୍ୟପାଠରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨,୫୯,୩୪୭ ପରିବାରକୁ ସାମିଲ କରାଯାଇ ପ୍ରତି ପରିବାରକୁ ମାସକୁ ୩୫ କିଲୋ ଚାଉଳ ପ୍ରଦାନ କରାଯାଉଛି। ଅନ୍ତ୍ୟୋଦୟ ଯୋଜନାରେ ୩୮ ଲକ୍ଷ ୫୮ ହଜାର ୯୮୯ ଜଣଙ୍କୁ ସାମିଲ କରାଯାଇଛି। ସେହିଭଳି ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୫୩,୦୦୦ ପରିବାରର ୧୧ ଲକ୍ଷ ୧୦ ହଜାର ୭ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇ ମୁଣ୍ଡପିଛା ୫ କିଲୋ ଚାଉଳ ପ୍ରତି ମାସରେ ପ୍ରଦାନ କରାଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ୧, ୬୩, ୦୬୨.୮୪୧ ମେଟ୍ରିକ୍ ଟନ୍ ଚାଉଳ ଓ ୨୪,୦୭୭.୫୪୩ ମେଟ୍ରିକ୍ ଟନ୍ ଗହମ ପ୍ରତି ମାସରେ ପ୍ରଦାନ କରାଯାଉଛି। ସେହିଭଳି ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ୫,୫୫୦.୦୩୫ ମେଟ୍ରିକ୍ ଟନ୍ ଚାଉଳ ପ୍ରତି ମାସରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଏଥିସହିତ କୋଭିଡ-୧୯କୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ କେନ୍ଦ୍ର ସରକାର ‘ଆତ୍ମନିର୍ଭର ଭାରତ ଯୋଜନା’ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି। ଯେଉଁ ପ୍ରବାସୀ ଶ୍ରମିକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି, ସେମାନଙ୍କୁ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ମାଗଣାରେ ପ୍ରଦାନ କରାଯାଉଛି। ପ୍ରତି ମାସରେ ଏପରି ପରିବାରକୁ ୧ କିଲୋ ଡାଲି ମଧ୍ୟ ମାଗଣାରେ ପ୍ରଦାନ କରାଯାଉଛି। ମେ ଓ ଜୁନ୍ ମାସରେ ରାଜ୍ୟ ସରକାର ଏପରି ୩୯,୦୦୫ଟି ପ୍ରବାସୀ ଶ୍ରମିକ ପରିବାରକୁ ଚିହ୍ନଟ କରିଥିଲେ। ଏଥିସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ପରିବାର ଗୁଡିକୁ ଏକକାଳୀନ ୧ ହଜାର ଟଙ୍କା ନଗଦ ରାଶି ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏଥିପାଇଁ ୩୦ ଜିଲ୍ଲା ଲାଗି ୯୫୫,୧୬,୯୫,୦୦୦ ଟଙ୍କା ମଞ୍ଜୁର କରାଯାଇଛି। ଆଧାର କାରଣରୁ ଗୋଟିଏ ବି ହିତାଧିକାରୀକୁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଖାଦ୍ୟ ସାମଗ୍ରୀରୁ ବଞ୍ଚିତ କରାଯାଇନାହିଁ। ଅନ୍ୟପକ୍ଷରେ, ଆଧାର ଆଇନର ଧାରା ୭ ପାଳନ କରି ହିତାଧିକାରୀଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ପ୍ରଦାନ ବେଳେ ଯେଉଁମାନଙ୍କ ଆଧାରର କାର୍ଡ ନାହିଁ ସେମାନଙ୍କୁ ଆଧାର କାର୍ଡ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ସ୍ଥିତିରେ ରାସନ କାର୍ଡ ନଥିବା ଗରିବ ପରିବାର ଗୁଡିକୁ ମାଗଣା ଖାଦ୍ୟଶସ୍ୟ ସହିତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପ୍ରସଂଗକୁ ନେଇ ବିଚାରାଧୀନ ଜନସ୍ବାର୍ଥ ମାମଲାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ସଚିବଙ୍କ ତରଫରୁ ସତ୍ୟପାଠ ମାଧ୍ୟମରେ ଏପରି ତଥ୍ୟ ରଖାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ଦାୟର ଏହି ମାମଲା ସହିତ ଡକ୍ଟର ବିଶ୍ବାବସୁ ଦାସ ଓ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ଆବେଦନର ଆଜି ଶୁଣାଣି କରିଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର