୧୦ ବର୍ଷ ଶିଶୁକୁ ନିର୍ମମ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

‘ମଦ ନିଶାରେ ହାଣିଦେଲି’

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଥୁଆମୂଳ ଭଟାଗୁଡ଼ା ଗ୍ରାମରେ ବୁଧବାର ଜଣେ ନାବାଳକକୁ ବୀଭତ୍ସ ହତ୍ୟା କରାଯାଇଥିଲା। ଘଟଣାରେ ଅଟକ ରଖିଥିବା ଅଭିଯୁକ୍ତ ଜୟସିଂ ଜାନୀକୁ ଗୁରୁବାର ଥୁଆମୂଳ ରାମପୁର ପୁଲିସ ଗିରଫ କରିଛି। ମଦ ନିଶାରେ ଥିଲି, ଏହି ସମୟରେ ବନ୍ଧୁର ପୁଅ ହାବୁଡ଼ରେ ପଡ଼ିଥିଲା। ତାକୁ ଗୋଡ଼େଇ ଗୋଡ଼େଇ ହାଣିଦେଲି ବୋଲି ପୁଲିସ ଆଗରେ ଅଭିଯୁକ୍ତ କହିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ଥାନା ଭାଟଗୁଡ଼ା ଗ୍ରାମର ଜୟସିଂ ଜାନୀ (୫୦ ବର୍ଷ) ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଆସିଥିଲା। ପରେ ବନ୍ଧୁ ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲ ମାଝୀକୁ ଗୋଡ଼ାଇ ଥିଲା। କୁରାଢ଼ି ଧରି ଗୋଡ଼ାଉଥିବାରୁ ଶିଶୁଟି ଡରିଯାଇ ଦୌଡ଼ି ଦୌଡ଼ି ନିକଟରେ ଥିବା ଚାଳ ବାଡ଼ ଉପରକୁ ଡେଇଁ ପଡ଼ିଥିଲା। ଏହି ସମୟରେ ଜୟସିଂ ପଛପଟୁ ଅନିଲର ପିଠି ଓ ମୁଣ୍ଡକୁ ଚୋଟ ମାରିଥିଲା। ପରେ ଘାସିରାମଙ୍କ ବଡ଼ପୁଅ ଦେବାନନ୍ଦକୁ ମଧ୍ୟ ଧନୁତୀରରେ ଆକ୍ରମଣ କରିଥିଲା। ଗ୍ରାମର ଜଣେ ବୃଦ୍ଧ ତାମା ଜାନୀକୁ ମଧ୍ୟ ଆକ୍ରମଣ କରି ଆହତ କରିଥିଲା। ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିଲେ। ଗିରଫ ଅଭିଯୁକ୍ତ ଠାରୁ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଟାଙ୍ଗିଆ ଓ ଧନୁତୀର ଜବତ କରିଛି ପୁଲିସ।

ଗୁରୁବାର କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶ୍ରବଣା ବିବେକ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରମେଶ ସେଠୀ ତଦନ୍ତର ପାଇଁ ଥୁଆମୂଳ ରାମପୁର ପହଞ୍ଚି ଥିଲେ। ଶ୍ରୀ ସେଠୀ ଓ ଥୁଆମୂଳ ରାମପୁର ଥାନା ଅଧିକାରୀ ଶ୍ରୀ ମାଝୀଙ୍କ ସହିତ ଏକ ବିଶେଷଜ୍ଞ ଦଳ ସହିତ ଭଟାଗୁଡ଼ା ଗ୍ରାମକୁ ଯାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶୁକ୍ରବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର