ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ୧୦୦ ଦିନ : ଓଡ଼ିଶା ପାଇଛି ୧୬ ହଜାର କୋଟିରୁ ଅଧିକ

ସଫଳତାର କାହାଣୀ ବଖାଣିଲେ କେନ୍ଦ୍ରମନ୍ତ୍ରୀ, ସମାଲୋଚନା କଲେ ବିରୋଧୀ

ଭୁବନେଶ୍ବର : ଓଡ଼ିଶାକୁ ଫନି ପାଇଁ ମିଳିଛି ୪୬୭୮.୨୨ କୋଟି ଟଙ୍କା। କାମ୍ପା ପାଣ୍ଠି ବାବଦରେ ଓଡ଼ିଶା ପାଇଛି ୫୯୩୩.୯୮ କୋଟି ଟଙ୍କା। ୨୦୧୯-୨୦ ରେଳ ବଜେଟ୍‌ରେ ଓଡ଼ିଶାକୁ ବରାଦ ହୋଇଛି ୫୯୯୩ କୋଟି ଟଙ୍କା। ମୋଟ୍‌ ଉପରେ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ମାତ୍ର ୧୦୦ ଦିନ ଭିତରେ ଓଡ଼ିଶା ପାଇଛି ୧୬ ହଜାର କୋଟି ଟଙ୍କାରୁ ଅଧିକ। ଏହା ସର୍ବକାଳୀନ ରେକର୍ଡ।

ମୋଦୀ ସରକାରଙ୍କ ୧୦୦ ଦିନର ସଫଳତାର ତାଲିକା ଦେବାକୁ ଓଡ଼ିଶା ଆସିଥିବା ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏମିତି ଭାବେ ଓଡ଼ିଶାକୁ ମିଳିଥିବା କେନ୍ଦ୍ରୀୟ ସହାୟତାର ହିସାବ ଦେଇଛନ୍ତି। କେବଳ ଅନୁଦାନରେ ନୁହେଁ, ଅନ୍ୟ ଦୃଷ୍ଟିରୁ ବି ଓଡ଼ିଶାକୁ ମୋଦୀ ଗୁରୁତ୍ବ ଦେଇଥିବା ସେ ଦର୍ଶାଇଛନ୍ତି। ତାଙ୍କର ଯୁକ୍ତି ହେଉଛି, ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଓଡ଼ିଶାକୁ ଦୁଇଟି ମନ୍ତ୍ରଣାଳୟ ମିଳିଥିଲା, ପେଟ୍ରୋଲିୟମ୍ ଏବଂ ଆଦିବାସୀ ବ୍ୟାପାର। କିନ୍ତୁ ଏଥର ପେଟ୍ରୋଲିୟମ୍ ସହ ଗୁରୁତ୍ବପୂର୍ଣ୍ଣ ଇସ୍ପାତ ମନ୍ତ୍ରଣାଳୟ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ମନ୍ତ୍ରଣାଳୟ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ମିଳିଛି। ତେଣୁ ଦୁଇଟି ମନ୍ତ୍ରଣାଳୟ ଅଧିକ ମିଳିଛି। ସେହିପରି ଓଡ଼ିଶାର ବରିଷ୍ଠ ବ୍ୟକ୍ତିତ୍ବ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହା ଓଡ଼ିଶା ପ୍ରତି ମୋଦୀଙ୍କ ଭଲ ପାଇବାକୁ ପ୍ରମାଣିତ କରୁଛି।

କେନ୍ଦ୍ର ସରକାରଙ୍କ ସଫଳତାର ତାଲିକା ଦେଇ ଶ୍ରୀ ମାଣ୍ଡଭିୟା କହିଲେ, ଜମ୍ମୁ-କଶ୍ମୀର ଓ ଲଦାଖ ଅଧିବାସୀଙ୍କ ଉନ୍ନତି ତଥା ଅଖଣ୍ଡ ଭାରତ ପାଇଁ ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି। ସେହିପରି ଅନ୍ୟ ଉଲ୍ଲେଖନୀୟ ପଦକ୍ଷେପ ମଧ୍ୟରେ ଅଛି ସୀମାରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀମାନଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ସୁବିଧା, ରାଜକୋଷକୁ ସମୃଦ୍ଧ କରିବା ପାଇଁ ଅର୍ଥନୈତିକ ସଂସ୍କାର, ତିନି ତଲାକର ଉଚ୍ଛେଦ, ନାବାଳିକାକୁ ଯୌନ ଶୋଷଣ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ, ସଂସଦ ଅଧିବେଶନର କାର୍ଯ୍ୟକ୍ଷମତା ବୃଦ୍ଧି, ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ନିବେଶ ବୃଦ୍ଧି, ଜିଏସ୍‌ଟି ଓ ଆୟକର ଦାଖଲ ପ୍ରକ୍ରିୟାରେ ସରଳତା ଓ ସ୍ବଚ୍ଛତା, ସମସ୍ତ ଗୃହକୁ ବିଜୁଳି ସଂଯୋଗ ଯୋଜନା, ଆୟୁଷ୍ମାନ ଭାରତ, ଜନ ଔଷଧୀ କେନ୍ଦ୍ର, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ଛୋଟ ବିକ୍ରେତାଙ୍କୁ ସାମାଜିକ ସୁରକ୍ଷା ଇତ୍ୟାଦି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ନିର୍ବାଚନୀ ଇସ୍ତାହାରରେ ଏନ୍‌ଡିଏ ପକ୍ଷରୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହାକୁ ୧୦୦ ଦିନ ଭିତରେ ପୂରଣ କରାଯାଇଛି। ଦେଶର ପ୍ରତ୍ୟେକ କୃ‌ଷକଙ୍କ ଖାତାରେ ୬ ହଜାର ଟଙ୍କା ଲେଖାଏ ଜମା କରିବାକୁ ଆମେ ନିଷ୍ପତ୍ତି ନେଇଛୁ। କାର୍ଯ୍ୟରୁ ଅବସର ନେଇଥିବା ପ୍ରତ୍ୟେକ ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନ୍‌ସନ୍ ପ୍ରଦାନ କରାଯିବ। ସମାଜର ଗରିବ କୃଷକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ପାଇଁ ସରକାର ସଂକଳ୍ପବଦ୍ଧ। ସୁବିଧା ଓ ଶସ୍ତାରେ ଗୁଣାତ୍ମକ ଔଷଧ ପ୍ରଦାନ କରିବା ପାଇଁ ଦେଶରେ ୫୫୦୦ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି। ଖୁବ୍ ଶୀଘ୍ର ଆଉ ୩୦୦ଟି ନୂଆ କେନ୍ଦ୍ର ଖୋଲାଯିବ।

ଆର୍ଥିକ ମାନ୍ଦାବସ୍ଥା ସମ୍ପର୍କରେ ଶ୍ରୀ ମାଣ୍ଡଭିୟା କହିଲେ, ଏହି ମାନ୍ଦାବସ୍ଥା କ୍ଷଣସ୍ଥାୟୀ। ବର୍ତ୍ତମାନ ସମଗ୍ର ବିଶ୍ବରେ ଅର୍ଥନୈତିକ ଅସ୍ଥିରତା ଜାରି ରହିଛି। ଭାରତ ଉପରେ ଏହାର ପ୍ରଭାବ କମ୍ ପଡ଼ିଛି। ଭାରତର ଅର୍ଥନୀତି ଭିତ୍ତିଭୂମି ସୁଦୃଢ଼। ତେଣୁ ଚଳିତ ବର୍ଷ ଶେଷ ବେଳକୁ ଏଥିରେ ସୁଧାର ଆସିବ।

ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଉପନେତା ବିଷ୍ଣୁ ଚରଣ ସେଠୀ, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥି‌େଲ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ପତ୍ର ସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ ଉପନିର୍ଦ୍ଦେଶକ ସୀତାନାଥ ମିଶ୍ର ଉପସ୍ଥିତ ଥିଲେ।

ସମାଲୋଚନା କଲେ ବିରୋଧୀ

ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ିଛନ୍ତି ମୋଦୀ ସରକାର: କଂଗ୍ରେସ
ଅନେକ ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି : ବି‌େଜଡି

ଭୁବନେଶ୍ବର : ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ୧୦୦ ଦିନ ଭିତରେ ଓଡ଼ିଶାକୁ ୧୬ ହଜାର କୋଟି ଟଙ୍କାର ଅନୁଦାନ ମଳିଥିବା ନେଇ ବିଜେପି ଦାବି କରିଥିବାବେଳେ ବିଜେଡି ଓ କଂଗ୍ରେସ ମୋଦୀ ସରକାରକୁ ସମାଲୋଚନା କରିଛନ୍ତି।

ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ମୋଦୀ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଦେଶର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମୟରେ ବିଶ୍ବରେ ମାନ୍ଦାବସ୍ଥା ଦେଖାଦେଇଥିଲା। କିନ୍ତୁ ସେତେବେଳର ସରକାର ବୁଦ୍ଧିମତ୍ତାର ସହ ଆର୍ଥିକ ନୀତି ପରିଚାଳନା କରିବାରୁ ମାନ୍ଦାବସ୍ଥାର କୁପ୍ରଭାବରୁ ଦେଶରେ ଦେଖା ଦେଇନଥିଲା। ଓଡ଼ିଶାକୁ ଅନୁଦାନ ଦେବା ନେଇ କେନ୍ଦ୍ର ସରକାର କିଛି ଦୟା ଦେଖାଇନାହାନ୍ତି। ମୋଦୀ ଦେଶକୁ ବୁଡ଼ାଇଛନ୍ତି। ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ୩୭୦ ଧାରା ଉଚ୍ଛେଦଠାରୁ ଆରମ୍ଭ କରି ଅନୁଦାନ ଦେବା ନେଇ ଆତ୍ମଘୋଷଣା କରିଚାଲିଛନ୍ତି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ବିଜେଡିର ଯୁକ୍ତି ହେଲା, ଆର୍ଥିକ ମାନ୍ଦାବସ୍ଥାକୁ ୧୦୦ ଦିନ ଭିତରେ ସଜାଡ଼ି ହେବନି। ଏଥିପାଇଁ ସରକାରଙ୍କ ପୂର୍ବ ନିଷ୍ପତ୍ତି ଉପରେ ତର୍ଜମା କରାଯିବା ଦରକାର। ମୋଦୀ ସରକାର ଓଡ଼ିଶାକୁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଦେବା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଟଙ୍କା ଦେଇଦେଲେ ରାଜ୍ୟର ବିକାଶ ହୋଇଯାଏନି। ରାଜ୍ୟରେ ଅନେକ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ପ୍ରଦାନ କରିଥିଲେ ବି ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି। କାମ୍ପା ଓ ଫନି ପାଇଁ କେନ୍ଦ୍ର ସରକାର ଦେଇଥିବା ସହାୟତା ପାଣ୍ଠି ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇସାରିଛନ୍ତି।

ସମ୍ବନ୍ଧିତ ଖବର