୧୦୮ ନମ୍ବରରେ ମିଶିଲା ୧୦୨, ଗୋଟିଏ ନମ୍ବରରେ ମିଳିବ ସବୁ ସୁବିଧା

ଭୁବନେଶ୍ବର : ନବଜାତକ ଓ ଗର୍ଭବତୀ ମହିଳାଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍‌ସ ସେବାକୁ ୧୦୮ ନମ୍ବର ସହିତ ମିଶ୍ରଣ କରାଯାଇଛି। ତେଣୁ ଏବେ କେବଳ ୧୦୮ ନମ୍ବରରେ ଲୋକମାନେ ଆମ୍ବୁଲାନ୍‌ସ ସେବା ପାଇପାରିବେ। ଏହି ମିଶ୍ରଣ ଫଳରେ ହିତାଧିକାରୀଙ୍କୁ ଏକାଧିକ ନମ୍ବରକୁ ଫୋନ୍ କରିବାକୁ ପଡ଼ିବ ନାହିଁ। କମ୍ ସମୟରେ ଜନନୀ ଆମ୍ବୁଲାନ୍‌ସ ଲୋକଙ୍କ ପାଖରେ ଉପଲବ୍ଧ ହୋଇପାରିବ। ଆସନ୍ତା ୧ମାସ ଭିତରେ ୧୦୨ ନମ୍ବର ବନ୍ଦ ହୋଇଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାର ଶିକାର ଓ ରୋଗୀଙ୍କୁ ହସ୍ପିଟାଲରେ‌ ପହଞ୍ଚାଇବା ଲାଗି ୨୦୧୩ ମସିହାରେ ୧୦୮ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିଲା। ରାଜ୍ୟରେ ଏବେ ୧୧୨୪ଟି ୧୦୮ ଆମ୍ବୁଲାନ୍‌ସ ଚାଲୁଛି। ଏ ପର୍ଯ୍ୟନ୍ତ ୫୧ଲକ୍ଷରୁ ଅଧିକ ରୋଗୀଙ୍କୁ ସ୍ଥାନାନ୍ତର କରାଗଲାଣି। ସେହିପରି ନବଜାତକ ଓ ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଲାଗି ଜନନୀ ଆମ୍ବୁଲାନ୍‌ସ ଆରମ୍ଭ ହୋଇଥିଲା। ଏଥିପାଇଁ ଲୋକମାନଙ୍କୁ ୧୦୨ ନମ୍ବରକୁ କଲ୍‌ କରିବାକୁ ପଡ଼ୁଥିଲା। ମାତ୍ର ଏବେ ୧୦୮ ନମ୍ବରକୁ କଲ୍‌ କରି ଉଭୟ ଆମ୍ବୁଲାନ୍‌ସର ସେବା ମିଳିପାରିବ।

ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥାର ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ସରକାରଙ୍କ ଦ୍ବାରା ଆମ୍ବୁଲାନ୍‌ସ ସେବା ପାଇଁ ଏକକ ୧୦୮ ନମ୍ବର କାର୍ଯ୍ୟକାରୀ କରାଯିବା ଏକ ଉତ୍ତମ ପଦକ୍ଷେପ। ଏହାଦ୍ବାରା ଗର୍ଭବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରୋଗୀ ଗୋଟିଏ ନମ୍ବରକୁ କଲ୍ କରି ସରକାରୀ ହସ୍ପିଟାଲକୁ ଯାଇପାରିବେ। ୧୦୨ କଲ ସେଣ୍ଟର ଆବଶ୍ୟକତା ନ ଥିବାରୁ ଏହାକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଆଶା ଦିଦିମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି। ରାଜ୍ୟରେ କାର୍ଯ୍ୟରତ ସମସ୍ତ କ୍ରିୟୁ ମେମ୍ବରଙ୍କୁ ଟିକକରଣ କରାଯାଇଛି। କୋଭିଡ୍‌ ନିୟମ ପାଳନ କରି ସେମାନ ସେବା ଯୋଗାଇ ଆସୁଛନ୍ତି। ରୋଗୀଙ୍କୁ ହସ୍ପିଟାଲଙ୍କୁ ସ୍ଥାନାନ୍ତର କରାଯିବା ପରେ ଆମ୍ବୁଲାନ୍‌ସକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଉଛି। ଏହାସହ ରୋଗୀଙ୍କୁ ରକ୍ତଦାନ ଭଳି କାର୍ଯ୍ୟ ପାଇଁ ଆମ୍ବୁଲାନ୍‌ସ କର୍ମଚାରୀ ଆଗରେ ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର