ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ : ୨୦୨୦-୨୧ ଶିକ୍ଷାବର୍ଷରେ ସାମିଲ ନେଇ ଆଶଙ୍କା

୪ ମାସରେ ଧରାହେଲେଣି ୧୧ହଜାର ମଦୁଆ ଚାଳକ

ଭୁବନେଶ୍ବର : ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ। ୨୦୨୦-୨୧ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବ। ସଡ଼କ ସୁରକ୍ଷା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ପରିବହନ ବିଭାଗ ପକ୍ଷରୁ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ କୁହାଯାଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍କୁଲ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ପାଠକୁ ସାମିଲ କରାଯାଇ ଛାତ୍ର ଜୀବନରୁ ସେମାନଙ୍କୁ ସଚେତନ କରାଯିବ। ଏବେ କେବଳ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ କରାଯିବ। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ମତାମତ ପରେ ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଥିଲା। ବିଷୟବସ୍ତୁ ପ୍ରସ୍ତୁତ ଲାଗି ପରିବହନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ କୁହାଯାଇଛି। ବିଷୟବସ୍ତୁରେ କେଉଁ କେଉଁ ପ୍ରସଙ୍ଗ ସ୍ଥାନ ପାଇବ, ଗଣଶିକ୍ଷା ବିଭାଗ ହିଁ ସେ ନିଷ୍ପତ୍ତି ନେବ। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନ କରିବା, ମଦ ପିଇ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥା ନ ହେବା, ଦ୍ରୁତ ବେଗରେ ଗାଡ଼ି ନ ଚଳାଇବା, ହେଲମେଟ୍ ଓ ସିଟ୍ ବେଲଟ୍‌ ନିୟମ ପାଠ୍ୟକ୍ରମରେ ସ୍ଥାନିତ କରିବାକୁ ଆଲୋଚନା ହୋଇଛି। ସେହିପରି ୧୮ବର୍ଷରୁ କମ୍ ପିଲାଙ୍କୁ ନିଜେ ଗାଡ଼ି ଚଳାଇ ସ୍କୁଲ ଆସିବାକୁ ବାରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ‌ତେବେ ଇତିମଧ୍ୟରେ ୨୦୨୦-୨୧ ଶିକ୍ଷାବର୍ଷ ସିଲାବସ୍ ଚୂଡ଼ାନ୍ତ ହୋଇସାରିଛି। ତେଣୁ ସଡ଼କ ସୁରକ୍ଷା ବିଷୟକୁ କିଭଳି ପାଠ୍ୟକ୍ରମରେ ସାମିଲ କରାଯିବ, ସେନେଇ ବିଚାରବିମର୍ଶ ଚାଲିଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଖୋର୍ଦ୍ଧା ରାମେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥରେ ଇଣ୍ଡିଗ୍ରେଟେଡ୍ ହାଇୱେ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ଲଗାଯିବ। ସିସିଟିଭି ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ। ଏହାଦ୍ୱାରା ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କର ଆପେ ଆପେ ଚାଲାଣ କଟିଯିବ। ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ଗତ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ରାଜ୍ୟରେ ଦୁର୍ଘଟଣା କମିଥିବା ପରିବହନ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି। ଗତ ୪ ମାସ ମଧ୍ୟରେ ପୁଲିସ ୧୦ ହଜାର ମଦୁଆ ଚାଳକ ଓ ଆରଟିଓ ପକ୍ଷରୁ ଏକ ହଜାର ମଦୁଆ ଚାଳକଙ୍କୁ ଧରା ଯାଇଛି।

ସମ୍ବନ୍ଧିତ ଖବର