ପୋକ୍‌ସୋ କୋର୍ଟରେ ନିଯୁକ୍ତି ପାଇବେ ୧୯୨

ଭୁବନେଶ୍ବର : ରାଜ୍ୟରେ ନୂଆ କରି ପ୍ରତିଷ୍ଠା ହୋଇଥିବା ୨୪ଟି ପୋକ୍‌ସୋ କୋର୍ଟ ପାଇଁ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତି ପୋକ୍‌ସୋ କୋର୍ଟରେ‌ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ମୋଟ୍‌ ୮ ଜଣ ନିଯୁକ୍ତି ପାଇବେ। ଗୃହ ବିଭାଗ ପକ୍ଷରୁ ଏ ନେଇ ଆକାଉଣ୍ଟାଣ୍ଟ୍ ଜେନେରାଲ୍‌ଙ୍କୁ ଅବଗତ କରାଯାଇଛି। ପ୍ରତି କୋର୍ଟରେ ଜିଲ୍ଲା ଓ ଦୌରା ଜଜ୍ ପାହ୍ୟାର ଜଣେ ବିଚାର ବିଭାଗୀୟ ଅଧିକାରୀ, ଜଣେ ବେଞ୍ଚ୍ କିରାଣୀ, ଜଣେ ଷ୍ଟେନୋଗ୍ରାଫର୍, ଜଣେ ବରିଷ୍ଠ କିରାଣୀ, ଜଣେ ବରିଷ୍ଠ ଟାଇପିଷ୍ଟ୍‌, ଜଣେ କନିଷ୍ଠ କିରାଣୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇବେ। ମୋଟ୍‌ ୧୯୨ ଜଣଙ୍କୁ ନିଯୁକ୍ତି ଦିଆଯିବ। ଅନୁଗୁଳ, ବାଲେଶ୍ବର, ଭଦ୍ରକ, ବରଗଡ଼, ବଲାଙ୍ଗୀର, କଟକ, ଢେଙ୍କାନାଳ, ବ୍ରହ୍ମପୁର, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ଜୟପୁର, ବାରିପଦା, ନବରଙ୍ଗପୁର, ନୟାଗଡ଼, ଫୁଲବାଣୀ, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପୋକ୍‌ସୋ କୋର୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି। ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନ ଅପରାଧର ବିଚାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ଏହି କୋର୍ଟ ସ୍ଥାପନ କରାଯାଉଛି।

ସମ୍ବନ୍ଧିତ ଖବର