ପାତାଳୀ ନଦୀରେ ବୁଡ଼ି ଦୁଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସଲିଳ ସମାଧି, ମାଛ ଧରିବାକୁ ଯାଇ ଅଘଟଣ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଗୋଲୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାମଡିଙ୍ଗ ଏବଂ ପଡ଼େଇସିଂ ଗ୍ରାମର ଦୁଇ ଜଣ ପଞ୍ଚମ ଶ୍ରେଣୀର ଛାତ୍ରୀ ଆଜି ଅପରାହ୍ନରେ ଗ୍ରାମ ନିକଟ ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ବୁଡ଼ିଯାଇଛନ୍ତି। ଫଳରେ ଡାଲିମା ଖିଲ (୧୩) ଓ ଅମିତା ଖିଲ (୧୨)ଙ୍କର ସଲିଳ ସମାଧି ହୋଇଛି।

ସୂଚନା ଅନୁସାରେ, ପାଡୁଆ ଥାନା ଗୋଲୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମଡିଙ୍ଗ ଗ୍ରାମର ଭକ୍ତରାମ ଖିଲଙ୍କ ଝିଅ ଡାଳିମା ଖିଲ (ପାଡୁଆ ଥାନା ଗାଲଗାଣ୍ଡା ସେବାଶ୍ରମର ପଞ୍ଚମ ଶ୍ରେଣୀ ଛାତ୍ରୀ) ଏବଂ ପଡେଇସିଂ ଗ୍ରାମର ଦସମନ୍ତ ଖିଲଙ୍କ ଝିଅ ଅମିତା ଖିଲ (ପଡେଇସିଂ ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ) ଆଜି ଅପରାହ୍ନ ପ୍ରାୟ ୧ଟାରେ ପଡେଇସିଂ ଗ୍ରାମ ନିକଟ ପାତାଳୀ ନଦୀର ପଡେଇସିଂ ନଦୀ ଘାଟ ନିକଟରେ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ଯାକ ହଠାତ୍‌ ନଦୀ ଗର୍ଭକୁ ଚାଲି ଯାଇଥିଲେ। ପାଖରେ ଥିବା ଲୋକେ ଦୁଇ ଝିଅ ନଦୀରେ ବୁଡ଼ି ଯାଉଥିବା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନଦୀର ପ୍ରଖର ସ୍ରୋତରେ ଦୁଇ ନାବାଳିକା ଭାସି ଯାଇ ମୃତ୍ୟୁ ବରଣ କରିଥିଲେ। ଗ୍ରାମବାସୀ ଏବଂ ପରିବାର ଲୋକେ ଦୁଇ ଝିଅଙ୍କ ମୃତଦେହ ପାତାଳୀ ନଦୀରୁ ଉଦ୍ଧାର କରିଥିବା ଜଣାଯାଇଛି।  ପବିତ୍ର ଶିବରାତ୍ର ଦିନ ଏପରି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର