ଟ୍ରକ୍‌ ଚାପାରେ ଦୁଇ ମୃତ

ପୁଲିସ୍‌ କର୍ମଚାରୀଙ୍କୁ ମାଡ଼, ଢେଲା ଫିଙ୍ଗୁଥିବା ଯୁବକକୁ ଲୋକେ ନିସ୍ତୁକ ପିଟିଲେ

କଟକ : କଟକ ମଧୁପାଟଣା ଓଭର ବ୍ରିଜ ଉପରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚାପାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଦୁଇ ଜଣଙ୍କ ମୃତଦେହକୁ ଘୋଷାଡି ନେଇ ଦ୍ରୁତ ଗତିରେ ପଳାଇ ଯିବା ଘଟଣା ହୃଦୟବିଦାରକ ଦୃଶ୍ୟ ସୃଷ୍ଟି କରିଛି। ମଧୁପାଟଣା ଥାନାର ସାମନାରେ ଏଭଳି ଘଟଣା ଘଟିଥିଲେ ବି ପୁଲିସ୍‌ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଏବଂ ଗାଡ଼ି ଫେରାର ହୋଇଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଉତ୍ତ୍ୟକ୍ତ ଲୋକ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରାୟ ଦେଢ ଘଣ୍ଟା କାଳ ରାସ୍ତା ଜାମ ହୋଇ ରହିଥିଲା। ସେହି ବାଟ ଦେଇ ଯାଉଥିବା ଲଙ୍ଗ ରୁଟ୍‌ ବସ୍‌ ଉପରକୁ ଜଣେ ଯୁବକ ଢେଲା ଫିଙ୍ଗି ଥିବା ବେଳେ ତାହାକୁ ନେଇ ଲୋକ ପ୍ରତିବାଦ କରିବା ସହ ଉକ୍ତ ଯୁବକକୁ ନିସ୍ତୁକ ଛେଚି ଥିଲେ। ଅନ୍ୟପଟେ ମଧୁପାଟଣା ଥାନା ଆଇଆଇସି ତେରୋସ୍କୋଭା ମହାପାତ୍ର ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ମୃତଦେହକୁ ଉଠାଇ ରାସ୍ତା ପରିସ୍କାର କରିଥିଲେ।

ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୧୦ଟା ବେଳେ ସମ୍ରାଟ ସିନେମା ହଲ୍‌ରୁ ଭୁବନେଶ୍ୱର ଅଭିମୁଖେ ଦୁଇ ଜଣ ଏକ ବାଇକ୍‌ରେ ଯାଉଥିଲେ।ା ହଠାତ୍‌ ପଛପଟୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ଉଭୟଙ୍କୁ ଧକ୍କା ଦେଇଥିଲା। ଜଣେ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ଟ୍ରକ ଚକା ଚଢ଼ିଯାଇଥିଲା । ଅନ୍ୟ ଜଣକୁ ବାଇକ୍‌ ସହିତ ପ୍ରାୟ ୧୦୦ ମିଟର ଟ୍ରକ ଘୋଷାଡ଼ି ନେଇଥିଲା। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ବାଇକ୍‌ର ପତ୍ତା ମିଳୁନାହିଁ।

ସମ୍ବନ୍ଧିତ ଖବର