ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାସ୍‌ହାର ୮୩.୯୯%

ଭୁବନେଶ୍ୱର: ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ୫୮୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ୪୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୮ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୨୦୪ ଜଣ ଦ୍ୱିତୀୟ ଶ୍ରେଣୀ ଓ ୨୩୬ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ପାସ୍‌ହାର ୮୩.୯୯% ହୋଇଛି।

କଳା ବିଭାଗରେ ପାସ୍‌ହାର ସବୁଠାରୁ ଅଧିକ ରହିଛି। ଏହି ବିଭାଗରେ ୧୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୬ ଜଣ ପ୍ରଥମ, ୪୮ ଜଣ ଦ୍ୱିତୀୟ ଓ ୯୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୧.୨୫% ରହିଛି। ବିଜ୍ଞାନ ବିଭାଗରେ ସବୁଠାରୁ ଅଧିକ ୩୪୬ ଜଣ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ ପ୍ରଥମ, ୧୩୮ ଜଣ ଦ୍ୱିତୀୟ ଓ ୧୨୫ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୮୨.୩୬% ହୋଇଛି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୪୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ କେହି ପାସ୍‌ କରି ନ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୪ ଓ ତୃତୀୟ ଶ୍ରେଣୀରେ ୧୬ ଜଣ ରହିଛନ୍ତି, ପାସ୍‌ହାର ୭୫% ହୋଇଛି। ଧନ୍ଦାମୂଳକ ଶିକ୍ଷା ବିଭାଗରେ ପରୀକ୍ଷା ଦେଇଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଦ୍ୱିତୀୟ ଓ ୨ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି, ପାସ୍‌ହାର ୫୦% ରହିଛି। ଏହି ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି। ପରୀକ୍ଷା ଦେଇଥିବା ୩୩୪ ଛାତ୍ରଙ୍କ ମଧ୍ୟରୁ ୨୮୩ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୪.୭୩% ରହିଛି। ୨୩୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୫.୫୩% ରହିଛି। ଅନୁସୂଚିତ ଜାତି ବର୍ଗ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୯୦.୪୭% ହୋଇଥିବା ବେଳେ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୮୧.୮୧% ହୋଇଛି। କେନ୍ଦ୍ରାପଡ଼ା, କେନ୍ଦୁଝର, ନବରଙ୍ଗପୁର, ଫୁଲବାଣୀ, ବରଗଡ଼, ଦେବଗଡ଼ର ପାସ୍‌ହାର ଶତ ପ୍ରତିଶତ ହୋଇଛି। ରାୟଗଡ଼ା ଜିଲ୍ଲାରେ ପାସ୍‌ହାର ସର୍ବନିମ୍ନ ୪୦% ହୋଇଛି। ନବରଙ୍ଗପୁର ଓ ଫୁଲବାଣୀରେ ବିଜ୍ଞାନ ବିଭାଗରେ କେହି ପରୀକ୍ଷାର୍ଥୀ ନ ଥିବା ବେଳେ କଳା ବିଭାଗରେ ରାୟଗଡ଼ା ଓ ଦେବଗଡ଼ ଜିଲ୍ଲାରେ କେହି ବି ପରୀକ୍ଷାର୍ଥର୍ୀ ନ ଥିଲେ।

ସମ୍ବନ୍ଧିତ ଖବର