ଫନି ମାଡ଼ରେ ଚିଲିକାରେ ୨ ନୂଆ ମୁହାଣ

ଚିଲିକା ଜୈବ ବିବିଧତା ପ୍ରଭାବିତ, ଲବଣାଂଶ ମାତ୍ରା ବଢିଛି, ଦେଖିବାକୁ ମିଳୁନାହାନ୍ତି ଡଲଫିନ୍‌

ପୁରୀ : ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ମୁକ୍ତି ପାଇନାହିଁ ଏସିଆର ସର୍ବବୃହତ୍ ଲବଣାକ୍ତ ହ୍ରଦ ଚିଲିକା। ଏହା କେବଳ ଚିଲିକାର ସବୁଜିମାକୁ ଛାରଖାର୍‌ କରିନାହିଁ, ଅଥଳ ଜଳରାଶିରେ ସୃଷ୍ଟି କରିଛି ଅସନ୍ତୁଳନ। ଚିଲିକାରେ ଖୋଲି ଦେଇଛି ୨ଟି ନୂଆ ମୁହାଣ। ଫଳରେ ଚିଲିକା ଭିତରକୁ ସମୁଦ୍ର ପାଣି ଅଧିକ ମାତ୍ରାରେ ପଶି ପାଣିରେ ଲବଣାଂଶ ସନ୍ତୁଳନକୁ ପ୍ରଭାବିତ କରିଛି। ସେପଟେ ବାତ୍ୟା ପରେ ଡଲଫିନ୍‌ଙ୍କର ଦେଖା ମିଳୁନି। ଅତ୍ୟଧିକ ଭୟରେ ସେମାନେ ଲୁଚି ଯାଇଛନ୍ତି କି ଚିଲିକା ଛାଡ଼ି ଚାଲିଯାଇଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।

ତିନି ତାରିଖରେ ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ସହର ନିକଟରେ ଭୂପୃଷ୍ଠ ଛୁଇଁବା ପରେ ଏକପ୍ରକାର ତାଣ୍ଡବ ରଚିଥିଲା। ଯାହାର ପ୍ରଭାବରେ ମରାଳମାଳିନୀ ଚିଲିକା ଧସ୍ତବିଧ୍ବସ୍ତ ହୋଇଯାଇଛି। ବିଗାଡ଼ି ଦେଇଛି ଏହାର ଜୈବ ବିବିଧତା। ପୂର୍ବରୁ ଚିଲିକାରେ ୨ଟି ମୁହାଣ ରହିଥିଲା। ସେହି ମୁହାଣ ଦେଇ ସମୁଦ୍ର ପାଣି ଚିଲିକାକୁ ଆସୁଥିଲା। ଏହାଦ୍ବାରା ଚିଲିକା ପାଣିରେ ଲବଣାଂଶ ମାତ୍ରା ସନ୍ତୁଳିତ ହୋଇ ରହିଥିଲା। ମାତ୍ର ‘ଫନି’ ମାଡ଼ରେ ଅରକୁଦାଠାରୁ ସିପକୁଦା ମଧ୍ୟରେ ଆଉ ଦୁଇଟି ନୂଆ ମୁହାଣ ଖୋଲିବା ପରେ ଏବେ ଚିଲିକାର ଜଳରାଶିକୁ ଅଧିକ ସମୁଦ୍ର ଜୁଆର ପଶୁଛି। ଏହାଦ୍ବାରା ଚିଲିକାରେ ଲବଣାଂଶ ମାତ୍ରା ବଢ଼ିବାରେ ଲାଗିଛି। ଏହା ଜଣାପଡ଼ିବା ପରେ ଚିଲିକା ଉନ୍ନୟନ ସଂସ୍ଥା (ସିଡ଼ିଏ) ସ୍ଥିତି ଅନୁଧ୍ୟାନ କରିଛି। ତେବେ ଏହାର ପ୍ରତିକାର କିଛି ନାହିଁ, କେବଳ ପ୍ରାକୃତିକ ଉପାୟରେ ଖୋଲିଥିବା ମୁହାଣ ପ୍ରାକୃତିକ ଭାବେ ପୋତି ହେବ ବୋଲି ସିଡିଏର କେତେକ ଅଧିକାରୀ କହିଛନ୍ତି। ତେଣେ ବାତ୍ୟା ପରଠୁ ଚିଲିକାର ଅନ୍ୟତମ ପରିଚୟ ବିରଳ ଇରାୱାଡ଼ି ଡଲଫିନ୍‌ଙ୍କର ଦେଖା ମିଳୁନାହିଁ। ମୁହାଣଠାରୁ ସାତପଡ଼ା ମଧ୍ୟରେ ୬୦ରୁ ୮୦ଟି ଡଲଫିନ୍‌ ନିୟମିତ ଦେଖାଯାଆନ୍ତି। ସମୁଦ୍ରରୁ ଚିଲିକା ଓ ଚିଲିକାରୁ ସମୁଦ୍ରକୁ ଯିବାଆସିବା ସହଜ ହେଉଥିବାରୁ ଏହି ଅଞ୍ଚଳରେ ଡଲଫିନ୍‌ଙ୍କ ବିଚରଣ ଅଧିକ ଥାଏ। ମାତ୍ର ‘ଫନି’ ପରେ ସେମାନେ ଆଉ ଦିଶୁନାହାନ୍ତି। କାଁଭାଁ କେତେବେଳେ କେମିତି ଦୁଇ ତିନିଟି ଦେଖା ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଚିଲିକା ଉନ୍ନୟନ ସଂସ୍ଥା ମୁଖ୍ୟ ନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି, ଚିଲିକା ଉପରେ ‘ଫନି’ର ବ୍ୟାପକ ପ୍ରଭାବ ପଡ଼ିଛି। ମୁହାଣ ଖୋଲିବା ଦ୍ବାରା ଲବଣାଂଶ ବଢ଼ିବାର ଆଶଙ୍କା ରହିଛି। ଏହା ହେଲେ ଚିଲିକାର ଜୈବିକ ସନ୍ତୁଳନ ପ୍ରଭାବିତ ହୋଇପାରେ। ମାଛ ବ୍ୟତୀତ ଅନେକ ବିରଳ ବନ୍ୟପ୍ରାଣୀ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ଏହାର ଅଧିକ ଅନୁଧ୍ୟାନ କରାଯିବ। ଚିଲିକାରୁ ଡଲଫିନ୍ ଉଭାନ ହୋଇଯିବା ସମ୍ପର୍କରେ ଶ୍ରୀ ନନ୍ଦ କହିଲେ, ଡଲଫିନ୍‌ ଅତି ସ୍ପର୍ଶକାତର ଜଳଚର ଜୀବ। ସେମାନେ ବାତ୍ୟା ବା ଉଚ୍ଚ ଶବ୍ଦ ହେଲେ ସହି ପାରନ୍ତି ନାହିଁ। ବାତ୍ୟାରେ ଜୁଆରର ପ୍ରଖରତା ହିଁ ସେମାନଙ୍କୁ ପ୍ରଭାବିତ କରିଥାଇପାରେ। ବୋ‌ଧହୁଏ ସେମାନେ ଚିଲିକା ଆଭ୍ୟନ୍ତର ଅଞ୍ଚଳକୁ ଚାଲିଯାଇଥିବେ। ସମୁଦ୍ରକୁ ଯିବା କଥାକୁ ବି ଅସ୍ବୀକାର କରାଯାଇପାରିବ ନାହିଁ। ଖୁବ୍‌ଶୀଘ୍ର ସିଡିଏର ଏକ ଟିମ୍‌ ‘ଫନି’ ପ୍ରଭାବ ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ କରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର