୨୦ ବର୍ଷ ହେଲା: କଟକରେ ମହିଳା ପ୍ରତିନିଧିତ୍ବ ଶୂନ

ଏଯାଏ ୫ ଜଣ ସୁଯୋଗ ପାଇଛନ୍ତି; ଜୟନ୍ତୀ, କନକଲତା, ରାସମଞ୍ଜରୀ, ବିଜୟଲକ୍ଷ୍ମୀ ଓ ନିବେଦିତା

କଟକ: କଟକ ରାଜନୀତିରେ ସଫଳ ହୋଇ ପାରୁ ନାହାନ୍ତି ମହିଳା। ଗଲା ୨୦ ବର୍ଷ ଭିତରେ କଟକର ଲୋକସଭା ଅଥବା କୌଣସି ବିଧାନସଭା କ୍ଷେତ୍ରରେ ମହିଳା ନିର୍ବାଚିତ ହେବାରେ ସଫଳ ହୋଇ ପାରି ନାହାନ୍ତି। ୧୯୫୭ରୁ ୨୦୦୦ ମଧ୍ୟରେ ବଡ଼ମ୍ବା, ଆଠଗଡ଼ ଓ କଟକ ସଦରରୁ ୪ଜଣ ମହିଳା ବିଧାୟିକା ଗୋଟିଏଥର ପାଇଁ ନିର୍ବାଚିତ ହୋଇଥିଲେ। ରାଣୀ କନକଲତା ଦେବୀ, ରାଣୀ ରାସମଞ୍ଜରୀ, ନିବେଦିତା ପ୍ରଧାନ ଓ ବିଜୟଲକ୍ଷ୍ମୀ ସାହୁଙ୍କ ଭଳି ନେତ୍ରୀ ବିଧାନସଭାକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିବା ବେଳେ ଜୟନ୍ତୀ ପଟ୍ଟନାୟକ କଟକ ଲୋକସଭାରୁ ଦୁଇ ଥର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଟକ ରାଜନୀତିରେ ମହିଳା ଆଗକୁ ବଢି ନ ପାରିବା ଘଟଣା ବିଭିନ୍ନ କାରଣରୁ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରମୁଖ ରାଜ‌ନୈତିକ ଦଳ ବି ଟିକେଟ ପ୍ରଦାନ ସମୟରେ କଟକରୁ ଗଲା ୨୦ ବର୍ଷ ଭିତରେ ମହିଳାଙ୍କୁ ‌ଗୁରୁତ୍ବ ଦେଇ ନାହାନ୍ତି। ୨୦୧୪ ନିର୍ବାଚନରେ ଅଭିନେତ୍ରୀ ଅପରାଜିତା ମହାନ୍ତି ଯଦିଓ କଟକ ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ କିନ୍ତୁ ତାଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା।

ଏଯାଏ ୫ ଜଣ ସୁଯୋଗ ପାଇଛନ୍ତି; ଜୟନ୍ତୀ, କନକଲତା, ରାସମଞ୍ଜରୀ, ବିଜୟଲକ୍ଷ୍ମୀ ଓ ନିବେଦିତା
ଏଥର ସୁଯୋଗ ଅପେକ୍ଷାରେ ୫ରୁ ଅଧିକ ଆଶାୟୀ

କଟକ ଜିଲ୍ଲାର ୯ଟି ବିଧାନସଭା ଆସନ ମଧ୍ୟରୁ ୬ଟି କଟକ ଲୋକସଭା, ୨ଟି କେନ୍ଦ୍ରାପଡ଼ା ଲୋକସଭା ଓ ଗୋଟିଏ ଜଗତ୍‌ସିଂହପୁର ଲୋକସଭା ଅଧୀନରେ ରହିଛି। ତଥ୍ୟ ଅନୁଯାୟୀ ସେଥିରୁ ମାତ୍ର ୩ଟି ବିଧାନସଭା କ୍ଷେତ୍ରରେ ମହିଳା ବିଧାୟିକା ହେବାର ସୁଯୋଗ ପାଇଛନ୍ତି। ବଡ଼ମ୍ବା ନିର୍ବାଚନମଣ୍ଡଳ‌ୀରେ ୧୯୫୭ରେ ଗଣତନ୍ତ୍ର ପରିଷଦରୁ ରାଣୀ ସାହେବା କନକଲତା ଦେବୀ ନିର୍ବାଚିତ ହୋଇଥିଲେ। ଆଠଗଡ଼ ନିର୍ବାଚନମଣ୍ଡଳୀରେ ୧୯୭୭ରେ ରାଣୀ ରାସ ମଞ୍ଜରୀ ବେଦୀ(ଜେଏନ୍‌ପି)ରୁ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ପଞ୍ଚା୍ୟତ ସମିତି ଅଧ୍ୟକ୍ଷା ଆସନରେ ବସିବାରେ ବି ସେ ପ୍ରଥମ ବୋଲି କୁହାଯାଏ। କଟକ ସଦର ନିର୍ବାଚନମଣ୍ଡଳୀରୁ ୧୯୯୫ରେ କଂଗ୍ରେସରୁ ବିଜୟଲକ୍ଷ୍ମୀ ସାହୁ ବିଧାୟିକା ନିର୍ବାଚିତ ହେବା ସହ ରାଜ୍ୟ ମନ୍ତ୍ରିମଣ୍ଡଳରେ ବି ସ୍ଥାନ ପାଇଥିଲେ। ସେହିପରି ୨୦୦୦ରେ ବିଜେପିରୁ ନିବେଦିତା ପ୍ରଧାନ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ କଟକର ମେୟର ବି ହୋଇଥିଲେ। କଟକ ଲୋକସଭା ଆସନରେ ଦୁଇଥର କଂଗେସ ଟିକଟରୁ ଜୟନ୍ତୀ ପଟ୍ଟନାୟକ ସାଂସଦ ହୋଇଥିଲେ। ୧୯୮୦ରେ ଉପ ନିର୍ବାଚନରେ ଓ ୧୯୮୫ରେ ସେ ଲେକାସଭାକୁ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ସଂସଦୀୟ କ୍ଷେତ୍ରରେ କେବେବି ମହିଳାଙ୍କୁ ଦେଖିବାକୁ ମିଳିନି। ୨୦୨୪ ନିର୍ବାଚନ ପାଇଁ ବାରବାଟୀ-କଟକରୁ ସ୍ମୃତି ପଟ୍ଟନାୟକ, ଗୀତା ଦାସଙ୍କ ଭଳି ନେତ୍ରୀ ବିଜେପି ଟିକେଟ ଲବିରେ ଅଛନ୍ତି। ସାଲେପୁରରେ ଅପୂର୍ବା ଅପରୂପା ବିଜେଡି ଟିକେଟ ଆଶାରେ ଅଛନ୍ତି। ବିଜୟଲକ୍ଷ୍ମୀ ସାହୁ ଏବେ ବି କଟକ ରାଜନୀତିରେ ସକ୍ରୀୟ ଅଛନ୍ତି। ଚୌଦ୍ବାର-କଟକ ଅଞ୍ଚଳରେ ବି ଶର୍ମିଷ୍ଠା ପ୍ରିୟଦର୍ଶିନୀ, ରୂପାଲି ଲେଙ୍କାଙ୍କ ଭଳି ଯୁବ ନେତ୍ରୀ ରାଜନୀତିରେ ଭାଗ୍ୟ ପରୀକ୍ଷାର ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର