ଅନୁଭବ କାଙ୍ଗାଳ ହେଲେ ଭଲ ସାହିତ୍ୟ ସୃଷ୍ଟି ହୁଏନି: ସୌମ୍ୟ

୨୨ତମ ଭଦ୍ରକ ପୁସ୍ତକ ମେଳା ଉଦ୍‌ଘାଟିତ

ଭଦ୍ରକ: ଇଣ୍ଟରନେଟ୍‌ ଓ ଲାପ୍‌ଟପ୍‌ ଭଳି ଏବେ ମୋବାଇଲ୍‌ରେ ଚାଲିଛି ପାଠପଢ଼ା। ଅତ୍ୟାଧୁନିକ ପ୍ରଯୁକ୍ତି ଜ୍ଞାନକୌଶଳ ଯୁଗରେ ବହି ଆମଠାରୁ ଯେତିକି ଦୂରେଇ ଦୂରେଇ ଯାଉଛି, ମୋବାଇଲ୍ ଆମର ସେତିକି ଆପଣାର ହୋଇଯାଇଛି। ତେବେ ଭାଷାର ଶତ୍ରୁ ମୋବାଇଲ୍‌ ନୁହେଁ। ଆମ ଭାଷାସାହିତ୍ୟକୁ ବଞ୍ଚାଇବା ପାଇଁ ଆମକୁ କିଛି ନୂଆ କୌଶଳ ଆପଣାଇବାକୁ ପଡ଼ିବ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ସନ୍ଧ୍ୟାରେ ଭଦ୍ରକ ମନମୋହନ ସଙ୍ଗୀତ ପରିଷଦ ପରିସରରେ ୨୨ତମ ଭଦ୍ରକ ପୁସ୍ତକ ମେଳାକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ପୁସ୍ତକ ବୋଧେ ଆଉ ଆଗଭଳି ପଢ଼ାଯାଉନାହିଁ ବୋଲି ଆମେ ଭାବୁଛନ୍ତି। କିନ୍ତୁ ଏ ବିଷୟରେ ଗବେଷଣା କରିବାର ଆବଶ୍ୟକତା ରହିଛି। କାଗଜକାଳିର ବହି ହୁଏତ ଆଉ ଆଗକୁ ରହିବନି। କିଛି କାମ ନ ଥିଲା ବେଳେ ଆମେ ପ୍ରଥମେ ଉପନ୍ୟାସ ପଢ଼ିବା ଆରମ୍ଭ କରିଥିଲେ। ବହି ପଢ଼ିବାର ଯେଉଁ ଅଭ୍ୟାସ ଆମେ ଶିଖିଛୁ, ତାହା କେବେ କମିବନାହିଁ। ଛପା ଅକ୍ଷରରେ ପଢ଼ିବା କମୁଛି। ମୋବାଇଲ୍ ଆମର ଅଙ୍ଗବସ୍ତ୍ର ଭଳି ହୋଇଗଲାଣି। ଏବେ ଆମେ ପ୍ରତି ମୁହୂର୍ତ୍ତରେ ମୋବାଇଲ୍‌ ଖୋଜୁଛୁ। ଆମ ପିଲାମାନଙ୍କର ଭାଷା ଦୁର୍ବଳ ହୋଇଯାଉଛି। ଭାଷା ଓ ଶବ୍ଦର ଖେଳରେ ସାହିତ୍ୟ ହୁଏ ବୋଲି କୁହାଯାଏ। ଅନୁଭବ କାଙ୍ଗାଳ ସାହିତ୍ୟିକଙ୍କଠାରୁ ଭଲ ସାହିତ୍ୟ ସୃଷ୍ଟି ହୋଇପାରେନା। ତେଣୁ ମାଆ, ମାଟି, ମାତୃଭାଷା ଓ ମୋବାଇଲ୍‌କୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ।

ସଭାରେ ବରେଣ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ କହିଲେ, ଏବେ ବହି ପ୍ରତି ନୂତନ ପିଢ଼ିର ପାଠକ ଆକୃଷ୍ଟ ହେଉନାହାନ୍ତି। ମୋବାଇଲ୍‌ ଓ ଇଣ୍ଟରନେଟ୍‌ ଯୁଗ ବହିଠାରୁ ଲୋକଙ୍କୁ ଦୂରେଇ ନେଉଥିବା ବେଳେ ଭଦ୍ରକ ପୁସ୍ତକ ମେଳାରେ ବହୁସଂଖ୍ୟାରେ ବୁଦ୍ଧିଜୀବୀ ଓ ସାହିତ୍ୟିକମାନେ ଯୋଗ ଦେବା ଏକ ଶୁଭ ଲକ୍ଷଣ। ମୁଖ୍ୟବକ୍ତା ବିଶିଷ୍ଟ ଗାଳ୍ପିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଧାବିନୋଦ ନାୟକ କହିଲେ, ବହି ପରସ୍ପରକୁ ଯୋଡ଼ିବାରେ ଏକ ସଂଯୋଗର ସେତୁ ଭାବେ କାମ କରେ। ଅବାଟରୁ ମଣିଷ ସମାଜକୁ ବାଟକୁ ଆଣେ। ବହିର ବିକଳ୍ପ ନାହିଁ। ବହି ସମାଜ ବିକାଶର ମୂଳଧାରା। ଦୁନିଆରେ ଆମର ଯଦି କେହି ଭଲ ବନ୍ଧୁଟିଏ ଥାଏ, ସେ ହେଉଛି ବହି। ସମ୍ମାନିତ ଅତିଥି ଭାବେ ନାଟ୍ୟକାର ବିଜୟ ଦାସ ଓ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇଥିଲେ। ମୋବାଇଲର ବହୁଳ ବ୍ୟବହାର ଯୋଗୁଁ ବହିର ଆଦର କମିଥିଲେ ମଧ୍ୟ ପୁସ୍ତକର ଆବଶ୍ୟକତା ରହିଛି। ପୁସ୍ତକରୁ ଅନେକ କିଛି ଶିଖିବାର ରହିଛି ବୋଲି ଉଭୟ ମତବ୍ୟକ୍ତ କରିଥିଲେ।

ପୁସ୍ତକ ମେଳାର ସଭାପତି ଅଜୟ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ବତ ସମାରୋହରେ ଅଧ୍ୟାପକ ବିଶ୍ବରଞ୍ଜନ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସମ୍ପାଦକ ରୂପକ ବିହାରୀ ରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧାକର ରାଉତ, ପ୍ରାଧ୍ୟାପକ ଶୈଳେନ୍ଦ୍ର ମହାପାତ୍ର, ଆଇନଜୀବୀ ଗଦାଧର ବଳ, ଦିବ୍ୟସିଂହ ନାୟକ, ରାଧା ଦାସ, ପଙ୍କଜ ବଳ, ଅମରେଶ ବିଶ୍ୱାଳ, କୁନି ମହାନ୍ତି, ବୈକୁଣ୍ଠ ବିଶ୍ୱାଳ, ଜଗନ୍ନାଥ ରାଉତ, ବିପ୍ଳବ ହୋତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ନାୟକଙ୍କ ସମେତ ବହୁ ସାହିତ୍ୟିକ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର