୫ଲକ୍ଷରେ ୨୫ଲକ୍ଷ ସୁଧ! ବନ୍ଧାହେଲେ ଆଇଏଏସ୍‌ଙ୍କ ଭାଇ ସୁଶୀଲ ଅଗ୍ରୱାଲ

ଶିକ୍ଷକଙ୍କ ଏତଲାରେ କାର୍ଯ୍ୟାନୁଷ୍ଠାନ
ଚାଉଳ ଦୁର୍ନୀତିରେ ହୋଇଥିଲେ ବିଦା
ଜମି ଦୁର୍ନୀତି ଅଭିଯୋଗ ଆଣିଥିଲା କଂଗ୍ରେସ

ବନ୍ତଳା : କରୋନା କାଳରେ ଡିଲରଙ୍କଠାରୁ ସରକାରଙ୍କ ମାଗଣା ଚାଉଳ କାଟ୍ କରି ନିଲମ୍ବିତ ହୋଇଥିବା ଯୋଗାଣ ବିଭାଗର ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ସୁଶୀଲ ଅଗ୍ରୱାଲ ଆଜି ସୁଧ କାରବାରରେ ଗିରଫ ହୋଇଛନ୍ତି। ଜଣେ ଶିକ୍ଷକଙ୍କୁ ୫ଲକ୍ଷ ଟଙ୍କା ଦେଇ ୨୫ ଲକ୍ଷ ଟଙ୍କା ସୁଧ ଆଦାୟ ଅଭିଯୋଗରେ ରବିବାର ଅନୁଗୁଳ ସଦର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଅଗ୍ରୱାଲଙ୍କ ଗିରଫ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚିତ ବିଷୟ ହୋଇଛି।

ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ କହିବା ମୁତାବକ, ଛେଣ୍ଡିପଦା ଥାନା କଂପସଲା ହାଇସ୍କୁଲର ଶିକ୍ଷକ ବଂଶୀଧର ଦେହୁରୀ ଏହି ସୁଧ କାରବାର ନେଇ ଗତ ୧୨ତାରିଖ ରାତିରେ ଅଭିଯୋଗ କରିଥିଲେ। ବଂଶୀଧରଙ୍କ ଘର ଛେଣ୍ଡିପଦା ଥାନା ବାଗେଡିଆ ବଣିଆନଟି ସାହିରେ। ତିନି ବର୍ଷ ତଳେ ସୁଶୀଲଙ୍କଠାରୁ ଶିକ୍ଷକ ବଂଶୀଧର କୁଆଡ଼େ ୫ଲକ୍ଷ ଟଙ୍କା ସୁଧକୁ ଆଣିଥିଲେ। ଇତିମଧ୍ୟରେ ସୁଧ ବାବଦକୁ ୨୫ଲକ୍ଷ ଟଙ୍କା ସେ ଦେଇ ସାରିଛନ୍ତି। ଆହୁରି ସୁଧ ଟଙ୍କା ଶୁଝିବା ପାଇଁ ଅନୁଗୁଳର ଲାଲ୍‌ମୋହନ ଦାସଙ୍କଠାରୁ ସେ ୨ଲକ୍ଷ ଟଙ୍କା ନେଇଥିଲେ। ଏହା ବାବଦକୁ ୧୫ଲକ୍ଷ ୮୦ହଜାର ଟଙ୍କା ସୁଧ ମୂଳ ଦେବା ପାଇଁ ତାଙ୍କୁ ବଳ ପୂର୍ବକ ବାନ୍ଧି ଏକ କାଗଜରେ ଚୁକ୍ତି ପାଇଁ ଦସ୍ତଖତ ନିଆଯାଇଛି। ତୁରନ୍ତ ଟଙ୍କା ଫେରାଇବାକୁ ତାଙ୍କ ଉପରେ ଚାପ ପକା ଯାଉଥିଲା। ଏପରିକି ତାଙ୍କର କିଛି ସହଯୋଗୀ ତାଙ୍କ ସ୍କୁଲକୁ ଯାଇ ହତ୍ୟା ଧମକ ଦେବା ସହ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଏଥିନେଇ ବଂଶୀଧର ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ସଦର ଥାନା ପୁଲିସ ସୁଧ କାରବାର ଆଇନରେ ଏକ ମାମଲା (କେସ୍‌ ନମ୍ବର ୭୧) ରୁଜୁ କରି ଆଜି ତାଙ୍କୁ ଗିରଫ କରିଛି। ଘଟଣାରେ ଆଉ କିଛି ଲୋକ ଫେରାର୍‌ ଥିବା ଥାନାଧିକାରୀ ଶ୍ରୀ ତ୍ରିପାଠୀ ‘ସମ୍ବାଦ’କୁ କହିଛନ୍ତି।

୫ଲକ୍ଷ ଟଙ୍କାରେ ପ୍ରାୟ ୨୫ଲକ୍ଷ ସୁଧ ଆଦାୟ ଅଭିଯୋଗ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଗ୍ରୱାଲ ହେଉଛନ୍ତି ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ(ଆଇଏଏସ୍‌) ତଥା ଅନୁଗୁଳର ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପର୍କୀୟ। କେବଳ ସୁଧ କାରବାର ନୁହେଁ, ଜମି କିଣାବିକା ଏବଂ ଯୋଗାଣ ବିଭାଗ ଚାଉଳ ଦୁର୍ନୀତିରେ ମଧ୍ୟ ଅଗ୍ରୱାଲଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ସବୁ ରହିଛି। ଅଗ୍ରୱାଲ ବଅଁରପାଳ ବ୍ଲକରେ ଯୋଗାଣ ବିଭାଗର ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଥିଲେ। କରୋନା ସମୟରେ କେନ୍ଦ୍ର ସରକାର ଗରିବଙ୍କ ପାଇଁ ଯେଉଁ ମାଗଣା ଚାଉଳ ବାଣ୍ଟୁଥିଲେ, ସେଥିରୁ ଅଗ୍ରୱାଲ ଡିଲର୍‌ ପଏଣ୍ଟ୍‌ରୁ ବିପୁଳ ପରିମାଣର ଚାଉଳ କାଟୁଥିଲେ ବୋଲି ବହୁ ସଂଖ୍ୟାରେ ଡିଲର୍‌ ଅଭିଯୋଗ କରିଥିଲେ। ‘ସମ୍ବାଦ’ରେ ଏ ସମ୍ପର୍କିତ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ଦାୟିତ୍ବରୁ ବିଦା କରିଥିଲା।

ସେହିପରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଲୋକଙ୍କ ଶତାଧିକ ଏକରର ମୂଲ୍ୟବାନ ଜମିକୁ ଆଇନର ବିଭିନ୍ନ ଗଳାବାଟ ଦେଇ ଅଗ୍ରୱାଲ କେମିତି ନିଜର ଏବଂ ନିଜ ସ୍ତ୍ରୀଙ୍କ ନାମରେ ସବୁ ପଟ୍ଟା କରାଇ ନେଇଛନ୍ତି ତାହାର ବହୁ ଚାଂଚଲ୍ୟକର ଦସ୍ତାବିଜ୍‌ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ନିକଟ ଅତୀତରେ ପର୍ଦ୍ଦାଫାସ କରିଛି। କିନ୍ତୁ ଏ ଦିଗରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ ଥିବା ବେଳେ ସୁଧ କାରବାରରେ ଅଗ୍ରୱାଲ୍‌ ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚିତ ବିଷୟ ହୋଇଛି। ଏପରିକି ଏହି ସୁଧ କାରବାରର ଚେର ବେଆଇନ ଜମି ଦଲାଲି ଯାଏ ଲମ୍ବିଥିବା ସହରସାରା ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର