ଓଲଟିଲା ବରଯାତ୍ରୀ ବସ୍‌ ଡ୍ରାଇଭର ମୃତ, ୨୭ ଆହତ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧଅଁଡାମାଲ ଗ୍ରାମ ନିକଟରେ ଏକ ଗଛକୁ ଧକ୍କା ଦେଇ ବରଯାତ୍ରୀ ବସ୍ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ, ପଡୋଶୀ ଛତିଶଗଡ ଅଞ୍ଚଳର ଦେଓଭୋଗ ନିକଟସ୍ଥ ପାରୁଆପାଲୀ ଗାଁରୁ ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ଗ୍ରାମ ଅଭିମୁଖେ ଏକ ବରଯାତ୍ରୀ ବସ୍ ବାହାରିଥିଲା। ତେବେ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଝରିଗାଁ ବ୍ଲକ ସଦର ମହକୁମା ଠାରୁ ମାତ୍ର ୪ କିଲୋମିଟର ପୂର୍ବରୁ ଧଅଁଡାମାହାଲ ନିକଟରେ ବସ୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଏକ ଗଛକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ବସ୍ ଧକ୍କାରେ ଗଛଟି ଭାଙ୍ଗିଯିବା ସହ ମୂଳରୁ ଉପୁଡ଼ି ଯାଇଥିଲା। ବସ୍‌ ଭିତରେ ଥିବା ପ୍ରାୟ ୫୦ଜଣ ଭିତରେ ଫସି ରହିଥିବା ବେଳେ  ଷ୍ଟିଅରିଂ ଚାପି ହୋଇ ଯିବାରୁ ଡ୍ରାଇଭର ରୋହିତ ଗୌଡ(୩୦) ବାହାରକୁ ବାହାରି ପାରିନଥିଲେ।

ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବସ୍‌ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ବହୁ ଉଦ୍ୟମ କରିଥିଲେ। କିନ୍ତୁ ଇତି ମଧ୍ୟରେ ଗୁରୁତର ଥିବା ଡ୍ରାଇଭର ରୋହିତଙ୍କ ମୃତ୍ୟୁ ହୋଯାଇଥିଲା। ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ବସ୍‌ ଭିତରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର