ମୃତକଙ୍କୁ ଜୀବିତ ଦର୍ଶାଇ ଜମି ବିକ୍ରି, ୩ ଗିରଫ; ୧୪ ଲକ୍ଷ ୨୦ହଜାର ଟଙ୍କାରେ ବିକି ଦେଇଥିଲେ

ଗୋଳନ୍ଥରା : ମୃତକଙ୍କୁ ଜୀବିତ ଦର୍ଶାଇ ଜମି ବିକ୍ରି ଅଭିଯୋଗରେ ଗୋଳନ୍ଥରା ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ପି.ଜଗଦୀଶ, ପି.ବିକ୍ରମ ଓ ପି.ସରୋଜ। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସୂଚନାନୁସାରେ, କୁକୁଡ଼ାଖଣ୍ଡି ତହସିଲ ଓ ଲାଠି ରାଜସ୍ବ ସର୍କଲ୍ ଅନ୍ତର୍ଗତ ମଦନମୋହନପୁର ମୌଜାରେ (ଖାତା ନମ୍ବର-୨୯୨, ପ୍ଲଟ ନମ୍ବର ୧୩୫୩, କିସମ-ଜଳସେଚିତ) ୫୦୦ ଡେସିମିଲ୍ ଜମି ସେହି ଗ୍ରାମର ଏନ.‌‌‌‌‌େପାଟିଲା ନାମକ ଜଣେ ମହିଳାଙ୍କ ନାମରେ ରହିଛି। କିନ୍ତୁ ଦୀର୍ଘବର୍ଷ ହେଲା ତାଙ୍କର ମୃତ୍ୟୁ ହୋଇସାରିଛି। ମଦନମୋହନପୁର ଗ୍ରାମର ଦୁଇରୁ ତିନିଜଣ ଦଲାଲ ଏହି ଜମିକୁ ହଡ଼ପ କରିବାକୁ ଚେଷ୍ଟା କରିଥିଲେ। ସେମାନେ ଚଞ୍ଚକତା କରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଏନ.ପୋଟିଆମ୍ମା ନାମକ ଜଣେ ବୃଦ୍ଧାଙ୍କୁ ବ୍ରହ୍ମପୁର ସବ୍‌ରେଜିଷ୍ଟ୍ରାର୍ ଅଫିସକୁ ନେଇଯାଇଥିଲେ। କାର୍ଯ୍ୟାଳୟରେ ତାଙ୍କୁ ‌ ପୋଟିଲା ବୋଲି ଅଧିକାରୀ ଏବଂ କର୍ମଚାରୀଙ୍କୁ ପରିଚୟ କରାଇଥିଲେ। ନକଲି ପ୍ରମାଣପତ୍ର ଦେଖାଇ ଏହି ଜମିକୁ ଗତମାସ ୨୮ ତାରିଖରେ ୧୪ ଲକ୍ଷ ୨୦ହଜାର ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ଏହା ଜାଣିବା ପରେ ମୃତକ ‌‌‌‌‌ ପୋଟିଲାଙ୍କ ସଂପର୍କୀୟମାନେ ସବରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ପରେ ଏନେଇ ପୋଟିଲାଙ୍କ ନାତୁଣୀ ଏନ୍.ସୁଭଦ୍ରା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା କେସ୍ ନମ୍ବର ୯୫ ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। ମଦନମୋହନପୁର ଗ୍ରାମର ଜଗଦୀଶ, ବିକ୍ରମ ଓ ସରୋଜଙ୍କୁ ପଚରାଉଚରା ପରେ ସେମାନେ ଠକେଇ ବିଷୟରେ ସ୍ବୀକାର କରିଥିଲେ। ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଏହି ଠକେଇରେ ସବରେଜିଷ୍ଟ୍ରାର୍ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସଂପୃକ୍ତି ସନ୍ଦେହ ଘେରକୁ ଆସିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ବିବେକାନନ୍ଦ ମହନ୍ତ ମହାନ୍ତ ସୂଚନା ଦେଇଛନ୍ତି। ଅନ୍ୟପଟେ ଏନ.ପୋଟିଆମ୍ମା କହିଛନ୍ତି, ଗ୍ରାମର କିଛି ଲୋକ ବିଧବା ଭତ୍ତା ଏବଂ ଇନ୍ଦିରା ଆବାସ କରାଇବା ନାମରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କୁ ଏଥିରେ ଫସାଇଛନ୍ତି।

ସମ୍ବନ୍ଧିତ ଖବର