ସେଲ୍‌ଫି ହେଲା କାଳ : ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍‌, ୩ ଯୁବତୀ ଗୁରୁତର

ପୁରୀ : ସେଲ୍‌ଫି ନେବା ବେଳେ ଦୁର୍ଘଟଣା ଘଟି ୩ ଜଣ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ପୁରୀ ବାଇପାସ କୋରୁଅ ଛକ ନିକଟରେ ଆଜି ଅପରାହ୍ଣ ପ୍ରାୟ ୩ଟାରେ ତିନି ଯୁବତୀ ଏକ ନୂଆ ଆକ୍ଟିଭା ସ୍କୁଟର ଉପରେ ବସି ସେଲ୍‌ଫି ନେଉଥିଲେ। ଏହି ସମୟରେ ବ୍ରହ୍ମଗିରି ଆଡ଼ୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ସ୍କୁଟର ସହ ୩ ଜଣ ରାସ୍ତା ଉପରେ ଛିଟ୍‌କି ପଡ଼ିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତିନି ଜଣ ଯୁବତୀଙ୍କୁ ପିସିଆର ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବା ସହ ରକ୍ତସ୍ରାବ ବନ୍ଦ ନହେବାରୁ ତିନି ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୁଲିସ ଟ୍ରକ୍ ଓ ସ୍କୁଟରକୁ ଜବତ କରିଛି। ଗୁରୁତର ତିନି ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ସେମାନଙ୍କ ଘର କଣ୍ଠପୁର, ଦାସବାଟିଆ ଓ ପାଇକସାହିରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର