ଏସ୍‌ସିବିରେ ଆହତଙ୍କୁ ଭେଟିଲେ, ସମୀକ୍ଷା କଲେ ୩ କେନ୍ଦ୍ରମନ୍ତ୍ରୀ

ଏସ୍‌ସିବି ଆସିବେ ଦିଲ୍ଲୀ, ରାୟପୁର ଓ ନାଗପୁର ଏମ୍‌ସର ବିଶେଷଜ୍ଞ

କଟକ: କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଆଜି କଟକ ବଡ଼ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି ତିନି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ଏଲ୍‌. ମାଣ୍ଡଭିୟ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ଏସ୍‌ସିବି ଅଧ୍ୟକ୍ଷ, ଅଧୀକ୍ଷକଙ୍କ ସହିତ ଆଲୋଚନ‌ା କରିଥିଲେ। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ମନ୍ତ୍ରୀ କହିଥିଲେ, କଟକ ବଡ଼ଡାକ୍ତରଖାନା ଏକ ବଡ଼ ଦାୟିତ୍ବ ନେଇଛି। ଏଠାକାର ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ତଥା ସମସ୍ତଙ୍କ ସହଯୋଗରେ ଆହତମାନଙ୍କ ଭଲ ଚିକିତ୍ସା କରାଯାଉଛି। ଆହତଙ୍କୁ ସମ୍ମିଳିତ ସହଯୋଗରେ ଚିକିତ୍ସାର ଆବଶ୍ୟକତା ରହିଥିବାରୁ ଦିଲ୍ଲୀ ଏମ୍‌ସ ଓ ରାୟପୁର ଏମ୍‌ସର ବିଶେଷଜ୍ଞ ପ୍ରତିନିଧିଦଳ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର୍‌ରେ ପହଂଚିଛନ୍ତି। କାଲି ସକାଳେ ଏମ୍‌ସ ନାଗପୁରର ଏକ ଟିମ୍‌ ମଧ୍ୟ ଅତ୍ୟାଧୁନିକ ଯନ୍ତ୍ରାଂଶ, ଔଷଧ ସହ ଏସ୍‌ସିବିରେ ପହଞ୍ଚି ଆହତଙ୍କ ଚିକିତ୍ସାରେ ସହଯୋଗ କରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜାତୀୟ ବିପତ୍ତିକୁ ଆମକୁ ସମ୍ଭାଳିବାକୁ ପଡିବ। ସୁସ୍ଥ ହୋଇ ଆହତମାନେ କିପରି ସୁରକ୍ଷିତ ଭାବେ ତାଙ୍କ ପରିବାର ପାଖରେ ପହଂଚିବେ ତାହା ସମସ୍ତଙ୍କର ବଡ଼ ଦାୟିତ୍ବ ବୋଲି ମନ୍ତ୍ରୀ କହିଥିଲେ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବିଶେଷଜ୍ଞ ଡାକ୍ତରଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଥିଲେ ଯେ, ଆନ୍ଧ୍ରପ୍ରଦେଶର ସାଢେ ୩ଶହ ରେଳଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ତାଙ୍କ ସରକାର ନିଜ ରାଜ୍ୟକୁ ନେବା ସହ ଆହତମାନଙ୍କୁ ମଧ୍ୟ ନିଜ ରାଜ୍ୟକୁ ନେଇ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୩ଦିନରେ ରେଳ ବିଭାଗ ନିଜକୁ ସମ୍ଭାଳିବା ଆରମ୍ଭ କରିଛି। ଅନ୍ୟପଟେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁନରୁଦ୍ଧାର କାମ ସରିଛି ବୋଲି ସୂଚାଇବା ସହିତ କହିଥିଲେ ଯେ ଖୁବ୍‌ଶୀଘ୍ର ସବୁକିଛି ସ୍ବାଭାବିକ ହେଉଛି। ସମସ୍ତେ ଯେଉଁଭଳି ମିଳିମିଶି ସହଯୋଗର ହାତ ବଢାଇଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ। ଏସ୍‌ସିବିର ଡାକ୍ତର, କର୍ମଚାରୀ, ଅଧୀକ୍ଷକ, ଅଧ୍ୟକ୍ଷ ଓ କଟକ ସହରବାସୀ ଯେଉଁଭଳି ଭାବେ ସହଯୋଗର ହାତ ବଢାଇଛନ୍ତି ତାକୁ ପ୍ରଶଂସା କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ। ତା ସହିତ କଟକ, ବାଲେଶ୍ବର, ଭଦ୍ରକ, ସୋରୋ ତଥା ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଆହତଙ୍କ ଚିକିତ୍ସା ପାଇଁ ଯୁବପିଢ଼ି ଯେଉଁଭଳି ଭାବେ ରକ୍ତଦାନ କରିଛନ୍ତି ତାର ସେ ଉଚ୍ଚପ୍ରଶଂସା କରିଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ ବୋଲି କହିଛନ୍ତି ୩ କେନ୍ଦ୍ରମନ୍ତ୍ରୀ।

ଏହି ଗସ୍ତ ସମୟରେ ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି, ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସଙ୍କ ସମେତ ଏସ୍‌ସିବିର ବିଶେଷଜ୍ଞ, ଡାକ୍ତର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ରେଲୱେ ବୋର୍ଡର ଦିଲ୍ଲୀପ ମଲ୍ଲିକ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଚିରଞ୍ଜୀବ ଖଣ୍ଡାୟତରାୟ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ (ଏସ୍‌ସି ସେଲ୍‌)ସୁଶାନ୍ତ ମଲ୍ଲିକ, କର୍ପୋରେପଟର୍‌ ଗଗନ ଓଝା, ଗୋପାଳ ବେହେରା, ଦୀପକ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମହାପାତ୍ର, ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ଶ୍ରୀତମ୍‌ ଦାସଙ୍କ ସମେତ ବହୁ ନେତା ଓ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର