ବିଦ୍ୟୁତ୍‌ ଆଘାତରେ ୩ ମହିଳାଙ୍କ ମୃତ୍ୟୁ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଟାଙ୍ଗିରି ଗ୍ରାମରେ ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତିନିଜଣ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ‌ରେ ମାମଲା ହୋଇଛି। ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଏନେଇ କମିସନଙ୍କ ପାଖ‌ରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନି‌ର୍ଦ୍ଦେଶ ଦିଆଯାଉ। ଯେଉଁ କ୍ଷତିପୂରଣ ଦିଆଯିବ, ତାହାର ପ୍ରମାଣ କମିସନଙ୍କ ନିକଟରେ ଦାଖଲ କରାଯାଉ ଏବଂ ଏହି ଘଟଣାରେ କେଉଁ ଅଧିକାରୀମାନେ ଦାୟୀ ତାହାର ବିଧିବଦ୍ଧ ତଦନ୍ତ କରିବାକୁ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ, ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦୁଝର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ନାୟକ କମିସନଙ୍କ ନିକଟରେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ତେଲକୋଇ ବ୍ଲକ୍‌ ଟାଙ୍ଗିରି ଗ୍ରାମର କୁବେର ନାଏକ ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟରେ ହୁକ ପକାଇ ବିଦ୍ୟୁତ୍‌ ସଂଯୋଗ ନେଇଥିଲେ। ବିଦ୍ୟୁତ୍‌ ତାର ଛିଣ୍ଡି ପାଖରେ ଥିବା ଏକ ନାଳରେ ପଡ଼ିଥିଲା। ଏକ ଛେଳି ପାଣି ପିଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଛଟପଟ ହେଉଥିଲା। ଛେଳି ଚରାଇବାକୁ ଯାଇଥିବା ହୁଡ଼ିସାହିର କାଠି ଜୁଆଙ୍ଗ (୬୨), ତାଙ୍କ ବୋହୂ ନିରାଧୀ ଜୁଆଙ୍ଗ (୪୫) ଏବଂ ଗ୍ରାମର ମେଞ୍ଜାରୀ ଜୁଆଙ୍ଗ (୩୦) ଜଣଙ୍କ ପରେ ଜଣେ ଛେଳିଟିକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଟାଟା ପାୱାର, ମୃତ କାଠି ଜୁଆଙ୍ଗ ଓ ନିରାଧୀ ଜୁଆଙ୍ଗଙ୍କ ପରିବାର ପକ୍ଷରୁ ତେଲକୋଇ ଥାନାରେ କୁବେର ନାଏକଙ୍କ ନାମରେ ଅଭିଯୋଗ ‌ହୋଇଛି।

ସମ୍ବନ୍ଧିତ ଖବର