ସତୀଘାଟର ୩ ଯୁବକଙ୍କୁ ଛୁରାମାଡ଼, ୫ଦିନରେ ଦ୍ଵିତୀୟ ଘଟଣା

ମୁରିବାହାଲ: ମୁରିବାହାଲ ଥାନା ଗୁଡ଼ିଘାଟ-ଟିକ୍ରାପଡ଼ା ରାସ୍ତାର ସତୀଘାଟ ନିକଟରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ୩ ଜଣ ଯୁବକ ଆହତ ହୋଇଛନ୍ତି। ସେମାନେ ହେଲେ ସତୀଘାଟ ଗ୍ରାମର ରାଜେଶ ମାଝୀ (୨୬), ଦେବାଶିଷ ମାଝୀ ଓ ସାହିଲ ଖମାରୀ। ରାଜେଶ ଓ ଦେବାଶିଷଙ୍କ ଅବସ୍ଥା ଗୁରୁତର ଅଛି। ଏନେଇ ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି।

ପୁଲିସର ସୂଚନା ଅନୁସାରେ, ଅଭିଯୋଗ ହୋଇଛି। ରାଜେଶ, ଦେବାଶିଷ ଓ ସାହିଲ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ମୁରିବାହାଲରୁ ଧନୁଯାତ୍ରା ଦେଖି ବାଇକ (ଓଡି ୦୩ ଏଲ୍‌ ୪୫୯୬)ରେ ନିଜ ଗାଁକୁ ଫେରୁଥିଲେ। ଘଟଣାସ୍ଥଳରେ ଏକ ଏଚ୍‌ଏଫ୍‌ ଡିଲକ୍ସ ବାଇକ୍‌ରେ ଥିବା ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେମାନଙ୍କୁ ଛୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଖବର ପାଇ ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ମୁରିବାହାଲ ସିଏଚ୍‌ସିକୁ ନେଇଥିଲେ। ବୁଧବାର ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। କେସ୍‌ ନଂ ୨୨୦/୨୨ ରୁଜୁ କରି ପୁଲିସ ତଦନ୍ତ କରୁଛି ବ‌ୋଲି ଆଇଆଇସି କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଗତ ଶୁକ୍ରବାର ଥାନାଠାରୁ ମାତ୍ର ୧କିମି ଦୂର ତ୍ରିଖୁଟି ବଜାର ଛକରେ ସ୍ଥାନୀୟ  ବଜାରପଡ଼ାର ନିରଞ୍ଜନ ଆଚାରୀ(୨୫) ଓ ରବି ମହାରଣା(୩୦)ଙ୍କୁ ୬ଜଣ ଦୁର୍ବୃତ୍ତ ହଠାତ‌୍ ଛୁରିରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସକୁ କୌଣସି ସଫଳତା ମିଳି ନଥିବା ବେଳେ ସତୀଘାଟ ଆକ୍ରମଣ ଘଟଣା ପ‌ରେ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି।

ସମ୍ବନ୍ଧିତ ଖବର