କଂଗ୍ରେସ କର୍ମୀ ସମ୍ମିଳନୀରେ ମହୁମାଛି ଆକ୍ରମଣ : ଗୋଡ଼େଇ କାମୁଡ଼ିଲେ, ୩୦ରୁ ଅଧିକ ଆହତ, ବଦଳିଲା ସଭାସ୍ଥାନ

ରାଉରକେଲା/ବୀରମିତ୍ରପୁର : ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା। ବୀରମିତ୍ରପୁର ଟାଉନ କଂଗ୍ରେସ ପକ୍ଷରୁ ବିଏସ୍‌ଏଲ୍‌ ଡାକବଙ୍ଗଳା ସମ୍ମୁଖ ପଡ଼ିଆରେ ଚାଲିଥିଲା କର୍ମୀ ସମ୍ମିଳନୀ। ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ସମେତ ସଭାରେ ଯୋଗ ଦେଇଥିଲେ ଶତାଧିକ କର୍ମୀ ଓ ନେତା। ସ୍ବାଗତ ଭାଷଣ ଦେଉଥିଲେ ଟାଉନ ସଭାପତି ବିକ୍ରମ ପଟ୍ଟନାୟକ। ସେତିକିବେଳେ ହଠାତ୍‌ ସଭାସ୍ଥଳୀକୁ ମାଡ଼ି ଆସିଥିଲେ ହଜାର ହଜାର ବଣୁଆ ମହୁମାଛି। ଆଉ ସଭା‌ସ୍ଥଳରେ ବସିଥିବା ନେତା ଓ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ। ମହୁମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ବିକଳରେ ଯିଏ ଯୁଆଡ଼େ ଦୌଡ଼ିଥିଲେ। ଏପରିକି ମଞ୍ଚାସୀନ ଅତିଥିମାନେ ମଧ୍ୟ ମଞ୍ଚ ଛାଡ଼ି ପଳାଇଥିଲେ। କିଏ ଚଦର ଘୋଡ଼ାଇ ତଳେ ଶୋଇ ପଡ଼ିଥିଲେ ତ ପୁଣି କିଏ ଗାମୁଛା ବା ସାର୍ଟକୁ ମୁହଁରେ ଘୋଡ଼ାଇ ବସି ପଡ଼ିଥିଲେ। ସେଠାରେ ଗୋଟିଏ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମିତି ସଭାସ୍ଥଳରେ ଅଧଘଣ୍ଟା ଧରି ଚାଲିଥିଲା ଧାଁଦୌଡ଼। ମହୁମାଛିଙ୍କ ଦଂଶନର ଶିକାର ହୋଇଥିଲେ ୩୦ରୁ ଅଧିକ ନେତା ଓ କର୍ମୀ। ସେମାନଙ୍କ ମଧ୍ୟରୁ ଅର୍ଜୁନ ନାୟକ, ରାଜୁ ଠାକୁର, ରୋହିତ ସିଂହ ଓ ସାହଜାଦ୍‌ ଅହମ୍ମଦଙ୍କ ସମେତ ୧୦ଜଣଙ୍କୁ ଚିକିତ୍ସା ପାଇଁ ବୀରମିତ୍ରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଜେନେରେଟର୍ ଗରମ ଧୂଆଁ ବାଜିବାରୁ ଏଭଳି ଘଟିଥିବା କୁହା ଯାଉଥିବାବେଳେ ଜଣେ ମଦ୍ୟପ ମହୁଫେଣାକୁ ଟେକା ମାରି ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ମହୁମାଛିଙ୍କ ଆକ୍ରମଣ ପରେ ସଭା ସ୍ଥାନ ପରିବର୍ତ୍ତନ କରି ବିଏସ୍‌ଏଲ୍‌ ଡାକବଙ୍ଗଳା ଭିତରେ ପୁଣିଥରେ କର୍ମୀ ସମ୍ମିଳନୀ ଆରମ୍ଭ ହୋଇଥିଲା। ଆଗାମୀ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବୀରମିତ୍ରପୁର ଟାଉନ୍‌ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବେଣୁଧର ତ୍ରିପାଠୀ, ରାଉରକେଲା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବୀରେନ ସେନାପତି, ପିସିସି ସଭ୍ୟ ରାମାଚନ୍ଦ ଶ୍ରୀଚନ୍ଦନ, ଦେବବ୍ରତ ବିହାରୀ, ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଶଶି ସାଗର, ମେରୀ ସାମଲୀ ଡୁଙ୍ଗଡୁଙ୍ଗ, ରୋହିତ ଯୋଶେଫ ତିର୍କୀ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ସାଜିଦ୍‌ ଅହମ୍ମଦ ଓ କୈଳାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବୀରମିତ୍ରପୁର ଓ ଏହାର ଆଖପାଖ ଅଞ୍ଚଳରୁ ଶତାଧିକ ପୁରୁଷ ଓ ମହିଳା କର୍ମୀ ଓ ନେତା ମଧ୍ୟ ଆସିଥିଲେ।

ସମ୍ବନ୍ଧିତ ଖବର