ମାତୃଭାଷାରେ କପି କରି ୩୦ ପରୀକ୍ଷାର୍ଥୀ ଏମ୍‌ପି

ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷାର ଦ୍ବିତୀୟ ଦିନ ବି ସୁରୁଖୁରରେ ଶେଷ ହୋଇଛି। କଳା ବିଭାଗର ମାତୃଭାଷା(ଓଡ଼ିଆ) ବିଷୟ ପରୀକ୍ଷା ରହିଥିଲା। ଏହି ବିଷୟରେ କପି କରି ୩୦ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ସେମାନଙ୍କୁ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରବୋଧ କୁମାର ପଣ୍ଡା କହିଛନ୍ତି। ଯେଉଁଠାରେ ସିସିଟିଭି ଲାଗିପାରିନି, ସେଠାରେ ସ୍କ୍ବାଡ୍‌ ମୁତୟନ ହୋଇଛନ୍ତି। ଗଠିତ ହୋଇଥିବା ତ୍ରିସ୍ତରୀୟ ସ୍କ୍ବାଡ୍‌ ବାରମ୍ବାର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି। ଦୁଇ ଦିନ ହେଲା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ଭୁବନେଶ୍ବର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ର ବୁଲିଛନ୍ତି। ଶନିବାର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଥିବାରୁ ଏଥିପ୍ରତି ପରିଷଦ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର