ଲୁଲେର ଗାଁରେ ସପ୍ତାହକରେ ୪ ଶିଶୁଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ବିଭିନ୍ନ ରୋଗରେ ଶିଶୁ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଥାଏ। ଉପଯୁକ୍ତ ସ୍ବାସ୍ଥ୍ୟ ସେବାର ଅଭାବ ହେଉ କି ଲୋକଙ୍କ ସଚେତନତାର ଅଭାବ ଜିଲ୍ଲାରେ ଦିନକୁ ଦିନ ଶିଶୁ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। ଗତ ତିନିମାସରେ ପେଡ଼ାକୋଣ୍ଡା ଗ୍ରାମପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମରେ ଅଜଣା ରୋଗରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଏବେ ସୁଦ୍ଧା କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନାହାନ୍ତି। ଏବେ ପୁଣି ମାଥିଲି ବ୍ଲକ୍‌ର ଦୁର୍ଗମ କର୍ତ୍ତନପାଲୀ ପଞ୍ଚାୟତର ଲୁଲେର ଗ୍ରାମରେ ଗତ ଏକ ସପ୍ତାହ ମଧ୍ୟରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ମୃତ ଶିଶୁଙ୍କ ମଧ୍ୟରେ ତିନି ଶିଶୁ ୧୦ ମାସରୁ କମ୍ ବୟସର ହୋଇଥିବା ବେଳେ ଆଉ ଜଣେ ଦେଢ଼ବର୍ଷର ବୋଲି ଜଣାପଡ଼ିଛି। ସପ୍ତାହକ ଭିତରେ ଚାରି ଚାରିଜଣ ଶିଶୁଙ୍କର ମୃତ୍ୟୁ ଘଟଣା ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅନ୍ୟପକ୍ଷରେ ଅଞ୍ଚଳବାସୀ ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଠାରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କ ଦାୟିତ୍ବବୋଧ ନେଇ ଏବେ ପ୍ରଶ୍ନ ଉଠିଛି। ସେପଟେ ଲୁଲେର ଗ୍ରାମର ଭାରତ ରାଣା, ମଙ୍ଗଳା ସୋଡ଼ି, ବାଲା ଭୂମିଆ ଏବଂ ସନାଧର ଚାଲା ନିଜ ନିଜ ସନ୍ତାନଙ୍କୁ ଅକାଳରେ ହରାଇ ହତାଶ ହୋଇପଡ଼ିଛନ୍ତି। ଶିଶୁ ମୃତ୍ୟୁ ଘଟଣାର କାରଣ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମିୟ ସ୍ବାଇଁଙ୍କୁ ପଚାରିବାରୁ ଦୁଇଜଣ ଶିଶୁଙ୍କ ମାଥିଲିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ମେଡିକାଲ ଆସି ନ ଥିବା ସେ କହିଛନ୍ତି। ମେଡିକାଲ ଆସି ନ ଥିବା ଶିଶୁଙ୍କୁ ଦିଶାରୀ ପାଖରେ ଝଡ଼ାଫୁଙ୍କା କରାଯାଇଥିବା କୁହାଯାଉଛି। ଲୋକଙ୍କ ସଚେତନତା ଅଭାବରୁ ଏଭଳି ଦୁଃଖଦ ଘଟଣା ଘଟୁଥିବା ସେ କହିଛନ୍ତି।

ଜିଲ୍ଲାରେ ଗତ ୨୦୧୮-୧୯ରେ ୧୩ ହଜାର ୭୮୯ ଜଣ ଶିଶୁ ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ବର୍ଷରୁ ୫ ବର୍ଷ ମଧ୍ୟରେ ୧୪୧ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ବର୍ଷ ତଳକୁ ୬୯୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୯-୨୦ ବର୍ଷରେ ୧୨ ହଜାର ୮୩୬ ଜଣ ଶିଶୁ ଜନ୍ମ ହୋଇଥିବା ବେଳେ ଏକ ବର୍ଷରୁ ତଳକୁ ୭୨୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ରୁ ୫ ବର୍ଷ ମଧ୍ୟରେ ୧୦୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ଅନୁଯାୟୀ ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ୨୦୧୪ ଏପ୍ରିଲ ମାସରୁ ୨୦୧୯ ସେପ୍ଟେମ୍ବର ମାସ ମଧ୍ୟରେ ୪୮୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କର ମୃତ୍ୟୁ ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୪ ଜନଗଣନା ଅନୁଯାୟୀ ଜିଲ୍ଲାରେ ୬ ଲକ୍ଷ ୪୧ ହଜାର ୩୮୫ ଲୋକ ବସବାସ କରୁଥିବା ବେଳେ ଏମାନଙ୍କ ମଧ୍ୟରୁ ୮୦ ହଜାର ୫ ବର୍ଷରୁ କମ ବୟସର ଶିଶୁ ରହିଛନ୍ତି।

ଗତ ୨୦୧୬ ମସିହାରେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୧୦୦ ଜଣ ଶିଶୁଙ୍କର ଜାପାନିଜ ଏନ୍‌ସେଫାଲାଇଟିସରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଥିଲା। ବେସରକାରୀ ଭାବେ ଏହି ସଂଖ୍ୟା ପାଖାପାଖି ୫୦୦ ଶହ ହେବ ବୋଲି କୁହାଯାଉଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ। ଅପପୁଷ୍ଟିର ଶିକାର ହୋଇ ପ୍ରତି ବର୍ଷ ବହୁ ସଂଖ୍ୟାରେ ଶିଶୁଙ୍କର ମୃତ୍ୟୁ ହେଉଛି। ୨୦୧୪-୧୫ ବର୍ଷରେ ସରକାର ଜିଲ୍ଲାରେ ଶିଶୁ ମୃତ୍ୟୁ ରୋକିବା ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅପପୁଷ୍ଟି ସେବା କେନ୍ଦ୍ର ପାଇଁ ୧ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏତେ ଟଙ୍କା ଖର୍ଚ୍ଚ କରି ମଧ୍ୟ ଶିଶୁ ମୃତ୍ୟୁ ରୋକାଯାଇ ନ ପାରିବା ନିଶ୍ଚିତ ଭାବେ ଚନ୍ତାର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ ଏହି କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର